ଗୋପାଳପୁର (ଓଡ଼ିଶା ରିପୋର୍ଟର): ବାତ୍ୟା ‘ତିତ୍ଲି’ର ଆଖି ସ୍ଥଳଭାଗ ଛୁଇଁବା ଆରମ୍ଭ କଲାଣି। ଆଉ ଘଣ୍ଟେ ଦୁଇ ଘଣ୍ଟା ପରେ ଏହା ସ୍ଥଳଭାଗ ଅତିକ୍ରମ କରିବ। ତେବେ ଏହା ପୂର୍ବରୁ ଗଞ୍ଜାମ ଜିଲ୍ଲା ଗୋପାଳପୁରରେ ଏହାର ପ୍ରଭାବ ଦେଖିବାକୁ ମିଳିଲାଣି।
ବର୍ଷା ସାଙ୍ଗକୁ ଜୋର ପବନ ଯୋଗୁ ଗୋପାଳପୁର ସହରରେ ଅନେକ ଗଛ ଭାଙ୍ଗି ରାସ୍ତା ଉପରେ ପଡ଼ିଛି। ହାଇମାଷ୍ଟ୍ ଲାଇଟ୍ ଭାଙ୍ଗିଛି। ଘରର ଆଜ୍ବେଷ୍ଟସ୍ ଛାତ ଉଡ଼ିଯାଇଛି।
ଗୋପାଳପୁରରୁ ବ୍ରହ୍ମପୁରକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାରେ ଗଛ ଉପୁଡ଼ି ପଡ଼ିଛି। ଫଳରେ ଦୁଇ ସହର ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ରହିଛି। ତେବେ ଏନେଇ ପ୍ରଶାସନିକ ତତ୍ପରତା ଦେଖିବାକୁ ମିଳିନାହିଁ। ଉପୁଡ଼ି ପଡ଼ିଥିବା ଗଛଗୁଡ଼ିକୁ ସଫା କରିବାକୁ ପ୍ରଶାସନିକ କଳ ତତ୍ପରତା ଦେଖାଇ ନାହିଁ।
ଗୋପାଳପୁର ବ୍ୟତୀତ ଜିଲ୍ଲାର ଅନ୍ୟାନ୍ୟ ସ୍ଥାନରେ ମଧ୍ୟ ଗଛ ଉପୁଡ଼ି ପଡ଼ିଥିବା ଖବର ଆସିଛି।