୩୦ ଦିନ ସୁଦ୍ଧା କେନ୍ଦୁଝର ଜିଲ୍ଲାପାଳଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଅ: ଜାତୀୟ ଏସଟି କମିଶନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କେନ୍ଦୁଝର ଜିଲ୍ଲାର ଗନ୍ଧମାର୍ଦ୍ଧନ ଲୁହାପଥର ଖଣି ଅଂଚଳରେ ରହୁଥିବା ଆଦିମ ଜନଜାତିଙ୍କ ଜୀବନ ଓ ଜୀବିକା ପ୍ରତି ଦେଖା ଦେଇଥିବା ବିପଦକୁ ନେଇ ଜାତୀୟ ଅନୁସୂଚିତ ଜନଜାତି କମିଶନ କ୍ଷୁବ୍ଧ ହୋଇଛନ୍ତି। ଏହାସହିିତ ନୋଟିସ୍ ପଠାଇବା ସତ୍ତ୍ୱେ କମିଶନଙ୍କ ପାଖରେ କେନ୍ଦୁଝର ଜିଲ୍ଲାପାଳ ହାଜର ହୋଇନଥିବାରୁ ତାଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ୩୦ଦିନ ସୁଦ୍ଧା ଜଣାଇବାକୁ ରାଜ୍ୟ ସରକାରଙ୍କୁ କମିଶନ ସୁପାରିସ୍ କରିଛନ୍ତି। ସୂଚନା ଅନୁସାରେ, ଗନ୍ଧମାର୍ଦ୍ଧନ ଲୁହାପଥର ଖଣି ଅଂଚଳରେ […]

Bonda Tribal

Ordigital Desk
  • Published: Tuesday, 09 November 2021
  • , Updated: 09 November 2021, 10:02 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କେନ୍ଦୁଝର ଜିଲ୍ଲାର ଗନ୍ଧମାର୍ଦ୍ଧନ ଲୁହାପଥର ଖଣି ଅଂଚଳରେ ରହୁଥିବା ଆଦିମ ଜନଜାତିଙ୍କ ଜୀବନ ଓ ଜୀବିକା ପ୍ରତି ଦେଖା ଦେଇଥିବା ବିପଦକୁ ନେଇ ଜାତୀୟ ଅନୁସୂଚିତ ଜନଜାତି କମିଶନ କ୍ଷୁବ୍ଧ ହୋଇଛନ୍ତି। ଏହାସହିିତ ନୋଟିସ୍ ପଠାଇବା ସତ୍ତ୍ୱେ କମିଶନଙ୍କ ପାଖରେ କେନ୍ଦୁଝର ଜିଲ୍ଲାପାଳ ହାଜର ହୋଇନଥିବାରୁ ତାଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ୩୦ଦିନ ସୁଦ୍ଧା ଜଣାଇବାକୁ ରାଜ୍ୟ ସରକାରଙ୍କୁ କମିଶନ ସୁପାରିସ୍ କରିଛନ୍ତି।

ସୂଚନା ଅନୁସାରେ, ଗନ୍ଧମାର୍ଦ୍ଧନ ଲୁହାପଥର ଖଣି ଅଂଚଳରେ ଓଡ଼ିଶା ଖଣି ନିଗମ (ଓଏମସି) ପକ୍ଷରୁ ବ୍ୟାପକ ଖଣି ଖନନ କାର୍ଯ୍ୟ ଚାଲିଥିବା ଯୋଗୁ ଆଦିମ ଜନଜାତି ତଥା ପାରମ୍ପରିକ ଜଙ୍ଗଲ ବାସିନ୍ଦାଙ୍କୁ ଏବେ ଜୀବନଜୀବିକା ପାଇଁ ସଂଘର୍ଷ କରିବାକୁ ପଡ଼ୁଛି। ଏହି ଖଣି ଖନନ ଯୋଗୁ କେନ୍ଦୁଝର ସଦର ଓ ବାଂଶପାଳ ବ୍ଲକ ଅନ୍ତର୍ଗତ କୁମୁଣ୍ଡି, ତଳକାଇସରି, ସୁକାତି ଓ ମହାଦେଇଯୋଡ଼ା ପଂଚାୟତରେ ରହୁଥିବା ଆଦିମ ଜନଜାତି ଲୋକଙ୍କୁ ବିଭିନ୍ନ ମୌଳିକ ସମସ୍ୟା ମଧ୍ୟ ଦେଇ ଗତି କରିବାକୁ ପଡ଼ୁଛି, ସେମାନଙ୍କର ସମସ୍ୟା ପ୍ରତି ଓଏମସି ଓ ଓଡ଼ିଶା ସରକାର ଆଖି ବୁଜି ଦେଇଛନ୍ତି। ଏହି ସମସ୍ୟାଗୁଡ଼ିକୁ ନେଇ ଜାତୀୟ ଅନୁସୂଚିତ ଜନଜାତି କମିଶନଙ୍କ ନିକଟରେ ଖଗେଶ୍ୱର ପୂର୍ତ୍ତି ନାମକ ଜଣେ ବ୍ୟକ୍ତି ଏକ ଆବେଦନ କରିଥିଲେ । ଯାହା ଉପରେ କମିଶନ ଅକ୍ଟୋବର ୨୧ତାରିଖରେ ଶୁଣାଣି କରିଥିଲେ। କମିଶନଙ୍କ ପାଖରେ ଓଏମସି ପରିଚାଳନା ନିର୍ଦ୍ଦେଶକ ବଲବନ୍ତ ସିଂ, ଓଡ଼ିଶା ସମବାୟ ରେଜିଷ୍ଟ୍ରାର ସୁଶାନ୍ତ କୁମାର ବାରିକଙ୍କ ସମେତ ଆବେଦନକାରୀଙ୍କ ପକ୍ଷରୁ ନିତ୍ୟାନନ୍ଦ ଦେହୁରୀ ହାଜର ହୋଇ ପକ୍ଷ ରଖିଥିଲେ। ଏହି ଶୁଣାଣିର ଠିକ୍ ଦୁଇଦିନ ପୂର୍ବରୁ ଆବେଦନକାରୀ ଶ୍ରୀ ପୂର୍ତ୍ତିକୁ ପୁଲିସ ଗିରଫ କରିନେଇଥିଲା । ତେବେ ନୋଟିସ ଦିଆଯିବା ସତ୍ତ୍ୱେ କେନ୍ଦୁଝର ଜିଲ୍ଲାପାଳ ହାଜର ହୋଇନଥିବାରୁ କମିଶନ କ୍ଷୁବ୍ଧ ହେବା ସହ ଆଇନଗତ କାର୍ଯ୍ୟାନୁଷ୍ଠାନ ନିମନ୍ତେ ସୁପାରିଶ କରିଛନ୍ତି।

ଜାତୀୟ ଅନୁସୂଚିତ ଜନଜାତି କମିଶନ ସଦସ୍ୟ ଅନନ୍ତ ନାୟକଙ୍କ ଅଧ୍ୟକ୍ଷତାରେ ଯୁଗ୍ମ ସଚିବ କେ ଥାଉଙ୍ଗ, ଆଇନ ପରାମର୍ଶଦାତା ରାଧାକାନ୍ତ ତ୍ରିପାଠୀ ଓ ଆଦିତ୍ୟ ଶର୍ମା ଏବଂ କନ୍ସଲାଣ୍ଟ ଆଲୋକ କୁମାର ଦ୍ୱିଦେବୀଙ୍କ ଉପସ୍ଥିତିରେ ଶୁଣାଣି ହୋଇଥିଲା । ଆଦିମ ଜନଜାତି ଲୋକଙ୍କୁ ସ୍ଥାନୀୟ ଗର୍ଦ୍ଧମାର୍ଦ୍ଧନ ଲୋଡ଼ିଂ ଏଜେନ୍ସୀ ଓ ଟ୍ରାନ୍ସପୋର୍ଟ କୋଅପରେଟିଭ ଏଜେନ୍ସିରେ ସଦସ୍ୟ ଭାବେ ସାମିଲ କରାଯାଉନଥିବା ଅଭିଯୋଗକୁ ସମବାୟ ରେଜିଷ୍ଟ୍ରାର ସ୍ୱୀକାର କରିବା ସହ ସଦସ୍ୟତା ସଂଗ୍ରହରେ ଅନିୟମିତତା ହୋଇଥିବାର ତଦନ୍ତ ଜାରି ରହିଛି ବୋଲି କମିଶନଙ୍କୁ ଅବଗତ କରିଥିଲେ । କମିଶନ ତାଙ୍କୁ ୩୦ଦିନ ସୁଦ୍ଧା ତଦନ୍ତ ରିପୋର୍ଟ ଦାଖଲ ସହ ସେମାନଙ୍କୁ ସଦସ୍ୟତା ଦେବାକୁ ସୁପାରିସ୍ କରିଛନ୍ତି। ସେହିପରି ଗର୍ଦ୍ଧମାର୍ଦ୍ଧନ ଖଣି ଅଂଚଳର ଖଣି ଖନନ ଯୋଗୁ ପ୍ରଭାବିତ ଆଦିମ ଜନଜାତି ଲୋକଙ୍କୁ ଷ୍ଟାଣ୍ଡାର୍ଡ ଅଫ ଲିଭିଂ ଓ ଉତ୍ତମ ଜୀବନଶୈଳୀ ସହ ସେମାନଙ୍କର ଆର୍ଥିକ ଓ ସାମାଜିକ ସ୍ଥିତିରେ ସୁଧାର ଆଣିବା ଦିଗରେ ପଦକ୍ଷେପ ନେବାକୁ ଓଏମସି ପରିଚାଳନା ନିର୍ଦ୍ଦେଶକଙ୍କୁ କମିଶନ ସୁପାରିସ୍ କରିଛନ୍ତି।

ସେହି ଅଂଚଳରେ ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ନିଆଯାଇଥିବା ପଦକ୍ଷେପ ଓ ବୃକ୍ଷରୋପଣ ସଂକ୍ରାନ୍ତରେ ଏକ ବିସ୍ତୃତ ରିପୋର୍ଟ ଦାଖଲ ପାଇଁ ମଧ୍ୟ ଓଏମସିକୁ ନିର୍ଦ୍ଦେଶ ଦିଆଯାଇଛି । ସେହି ଅଂଚଳର ଜଳ,ବାୟୁ ଓ ଭୂମି ପ୍ରଦୂଷଣର ଏକ ସାନି ଅନୁଧ୍ୟାନ କରି କମିଶନଙ୍କ ନିକଟରେ ରିପୋର୍ଟ ଦାଖଲ ପାଇଁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି । ତେବେ ଏହି ଶୁଣାଣିବେଳେ କେନ୍ଦୁଝର ଜିଲ୍ଲାପାଳଙ୍କ ଅନୁପସ୍ଥିତିକୁ ନେଇ କମିଶନ ସଦସ୍ୟ କ୍ଷୁବ୍ଧ ହେବା ସହ ତାଙ୍କ ବିରୁଦ୍ଧରେ ଉଚ୍ଚ କର୍ତ୍ତୃପକ୍ଷ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ୩୦ଦିନ ମଧ୍ୟରେ କମିଶନଙ୍କୁ ଜଣାଇବାକୁ ସୁପାରିସ୍ କରିଛନ୍ତି ।

ସୂଚନାଯୋଗ୍ୟ, କେନ୍ଦ୍ର ଆଦିବାସୀ ରାଷ୍ଟ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡ଼ୁ କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲା ଗସ୍ତବେଳେ ଜିଲ୍ଲାପାଳମାନେ ତାଙ୍କୁ ବିଶେଷ ଗୁରୁତ୍ୱ ଦେଇନଥିବାରୁ ସେ କ୍ଷୁବ୍ଧ ହୋଇ ଗଣମାଧ୍ୟମ ଆଗରେ ନିଜର କ୍ଷୋଭ ବ୍ୟକ୍ତ କରିଥିଲେ । ଏବେ ଜାତୀୟ ଏସଟି କମିଶନଙ୍କ ନୋଟିସ ସତ୍ତ୍ୱେ କେନ୍ଦୁଝର ଜିଲ୍ଲାପାଳ ଅନୁପସ୍ଥିତ ରହିବାକୁ ପଛାଇ ନଥିବା ଜଣାପଡ଼ିଛି ।

Related story