ସୋର(ଶଶିକାନ୍ତ ବେହେରା): ଇଦ୍ ଖର୍ଚ୍ଚ ମାଗିବାକୁ ସ୍ୱାମୀଙ୍କ ନିକଟକୁ ଯାଇଥିଲେ ମହିଳା। ହେଲେ ଖର୍ଚ୍ଚ ତ ମିଳିଲାନି, ମିଳିଲା ତଲାକ୍। ଏବେ ନ୍ୟାୟ ପାଇଁ ପୀଡ଼ିତା ଜିଲାପାଳଙ୍କ ଦ୍ୱାରସ୍ତ ହୋଇଛନ୍ତି।
ମୁସଲମାନ ମହିଳାଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ତିନି ତଲାକ୍ ନିୟମକୁ ଉଚ୍ଛେଦ କରାଯିବା ସହ ଏହାକୁ ବେଆଇନ ଘୋଷଣା କରାଯାଇଛି। ଏ ସମ୍ପର୍କୀତ ବିଲ୍ ଉଭୟ ରାଜ୍ୟ ସଭା ଓ ଲୋକସଭାରେ ବହୁମତରେ ପାରିତ ହେବା ସହ ରାଷ୍ଟ୍ରପତିଙ୍କ ମୋହର ବାଜି ଏହା ଆଇନରେ ପରିଣତ ହୋଇ ସାରିଛି। ଏହାକୁ ଅବମାନନା କଲେ ୩ ବର୍ଷ ଜେଲ୍ ଦଣ୍ଡର ମଧ୍ୟ ବ୍ୟବସ୍ଥା ରହିଛି। ଏହାସତ୍ତ୍ୱେ ଏପରି ଘଟଣା କମିବା ବଦଳରେ ବଢ଼ି ଚାଲିଛି।
ଆଜି ଏପରି ଅଭିଯୋଗ ଆସିଛି ବାଲେଶ୍ୱର ଜିଲା ସୋର ପଠାଣ ମହଲାରୁ । ଇଦ୍-ଉଲ୍-ଜୁହାରେ ପତ୍ନୀଙ୍କୁ ସ୍ୱାମୀ ଦେଇଛନ୍ତି ତିନି ତଲାକ । ସୋରରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣିରେ ପୀଡ଼ିତା ଆଜି ଏନେଇ ଜଣାଇଛନ୍ତି ।
ପୀଡ଼ିତାଙ୍କ ଅଭିଯୋଗ ଅନୁଯାୟୀ, ୩ ବର୍ଷ ତଳେ ତାଙ୍କର ବିବାହ ହୋଇଥିଲା । ହେଲେ ଶାଶୁ ଘରେ ତାଙ୍କୁ ଦୀର୍ଘ ଦିନ ହେଲାଣି ନିର୍ଯାତନା ଦିଆଯାଉଥିଲା । ଶାଶୁ ଘର ସଦସ୍ୟ ତାଙ୍କୁ ଜାଣିଶୁଣି ହଇରାଣ, ହରକତ ବି କରୁଥିଲେ।
ଗତକାଲି ଇଦ୍ ଥିବାବେଳେ ଖର୍ଚ୍ଚ ମାଗିବା ପାଇଁ ସେ ଘର ନିକଟରେ ଥିବା ସ୍ୱାମୀଙ୍କ ଦୋକାନକୁ ଯାଇଥିଲେ । ଏହି ସମୟରେ ଖର୍ଚ୍ଚ ଦେବା ବଦଳରେ ସ୍ୱାମୀ ଗାଳିଗୁଲଜ କରିବା ସହ ତିନି ତଲାକ ଦେଇଥିବା ମହିଳାଜଣକ ଅଭିଯୋଗ କରିଛନ୍ତି । ତେବେ ଏନେଇ ମହିଳାଙ୍କ ସ୍ୱାମୀ କିମ୍ବା ତାଙ୍କ ପରିବାର ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନି।