କଟକ(ଓଡ଼ିଶା ରିପୋର୍ଟର): ଏଣିକି ତପସ୍ୱିନୀଙ୍କୁ ଭରଣପୋଷଣ ନିମନ୍ତେ ମାସିକ ୧୭ ହଜାର ବଦଳରେ ୧୦ ହଜାର ମିଳିବ। ତପସ୍ୱିନୀଙ୍କ ସ୍ୱାମୀ ତଥା ଡାକ୍ତର ସୁମିତ ଦାସଙ୍କୁ ଏପରି ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ଅନ୍ୟତ୍ର ରହଣି ବ୍ୟବସ୍ଥା କରାଯାଉଥିବାରୁ ପାରିତୋଷିକ ହ୍ରାସ ଅପିଲ ଥିଲା । ଅପିଲକୁ ଗ୍ରହଣ କରି ମାସିକ ୧୦ ହଜାର ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ହେଲେ ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ତପସ୍ୱିନୀ ଶାଶୂ ଘରେ ରହିବେ ବୋଲି କହିଛନ୍ତି କୋର୍ଟ । ତପସ୍ୱିନୀଙ୍କ ପକ୍ଷରୁ ମାମଲା ଲଢୁଥିବା ଓକିଲ ଏନେଇ ସୂଚନା ଦେଇଛନ୍ତି।
ଆଇନ ଅନୁଯାୟୀ ସ୍ତ୍ରୀଙ୍କର ଭରଣପୋଷଣ ଦାୟିତ୍ୱ ସୁମିତଙ୍କର। ଏଥିନିମନ୍ତେ ତପସ୍ୱିନୀଙ୍କୁ ମାସିକ ୧୭ ହଜାର ଦେବାକୁ ସୁମିତଙ୍କୁ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ। ହେଲେ ସ୍ୱାମୀ ଆଗରେ ଟଙ୍କା ଜରୁରୀ ନୁହେଁ ବୋଲି କହିଛନ୍ତି ତପସ୍ୱିନୀ । କୋର୍ଟ ନିର୍ଦ୍ଦେଶ ଦେବା ପରଠୁ ୨ ମାସ ବଦଳରେ ମାସକର ଟଙ୍କା ମିଳିଥିବା ବେଳେ ମଧ୍ୟ ଏହା ଗୁରୁତ୍ୱ ବହନ କରେନି ବୋଲି ସେ କହିଛନ୍ତି।
ଏଥିସହ ସେ କହିଛନ୍ତି, ମୁଁ ଭୋକ ଉପାସରେ ୪୭ ଦିନ ବାହାରେ ବସିଥିଲି। ବିନା ଟଙ୍କାରେ ବି ରହିପାରିବି । ମୋ ସ୍ୱାମୀ ମୋ ପାଇଁ ସବୁଠୁ ଅଧିକ ଗୁରୁତ୍ୱପୂର୍ଣ୍ଣ। ଖୁବ୍ ଶୀଘ୍ର ଆମେ ଏକାଠି ହୋଇପାରୁ।
ଏଥିସହ ଶାଶୁ ଘର ସହ ତାଙ୍କ ସମ୍ପର୍କରେ ଧିରେ ଧିରେ ସୁଧାର ଆସୁଥିବା କହିଛନ୍ତି ତପସ୍ୱିନୀ । ଏପରିକି ଆବଶ୍ୟକ ଥିଲେ ଶାଶୂଙ୍କ ସହ କଥାବାର୍ତ୍ତା ହେଉଥିବା ମଧ୍ୟ କହିଛନ୍ତି। ହେଲେ ଉଭୟ ପରସ୍ପର ଘରକୁ ଯିବା ଆସିବା କରୁ ନ ଥିବା କହୁଛନ୍ତି।
ସୁମିତଙ୍କ ସହ ଯୋଗାଯୋଗରେ ଅଛନ୍ତି କି ବୋଲି ପଚାରିବାରୁ ଏହା ସମ୍ପୂର୍ଣ୍ଣ ବ୍ୟକ୍ତିଗତ କହି ପ୍ରଶ୍ନକୁ ଏଡ଼ାଇ ଯାଇଥିଲେ। ହେଲେ ଗତ ୫ ତାରିଖ ରାତିରେ ସୁମିତ ନିଜ ଘରକୁ ଆସିଥିଲେ। ଏହାପରେ ୯ ତାରିଖ ରାତିରେ ବାହାରି ଯାଇଥିଲେ। ଏହାପରେ ୧୦ ତାରିଖରେ କୋର୍ଟକୁ ଆସିଥିଲେ। ଏହାପରେ ତାଙ୍କ ବିଷୟରେ କିଛି ଜାଣିନି ବୋଲି କହିଛନ୍ତି ତପସ୍ୱିନୀ ।
ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଗତ ୧୦ ତାରିଖରେ ସୁମିତ ଏକ ୧୭ ହଜାର ଟଙ୍କାର ଚେକ୍ ତପସ୍ୱିନୀଙ୍କ ନିମନ୍ତେ ଏସଡିଜେଏମ୍ କୋର୍ଟରେ ଦାଖଲ କରିଥିଲେ। ହେଲେ ତପସ୍ୱିନୀଙ୍କୁ ୨ ମାସ ବଦଳରେ ମାସକର ଟଙ୍କା ଦିଆଯାଇଥିବା ତପସ୍ୱିନୀଙ୍କ ଓକିଲ କହିଥିବା ବେଳେ ଏହାକୁ ଖଣ୍ଡନ କରିଛନ୍ତି ସୁମିତଙ୍କ ଓକିଲ। ଏନେଇ ସେ କହିଛନ୍ତି, ପ୍ରତ୍ୟେକ ମାସର ୧୦ ତାରିଖରେ ଟଙ୍କା ଦେବାକୁ କୋର୍ଟ କହିଥିଲେ। ତେଣୁ ମାସେ ପୂରିବା ପରେ ତାଙ୍କ ଟଙ୍କା ଦିଆଯାଇଛି।
ଦୀର୍ଘ ଦିନ ଶୀତ କାକରରେ ରହିବା ପରେ ଶାଶୂ ଘରେ ସ୍ଥାନ ପାଇ ସାରିଥିବା ତପସ୍ୱିନୀ ଖୁବ୍ ଶୀଘ୍ର ସ୍ୱାମୀଙ୍କ ହୃଦୟରେ ଏଣ୍ଟ୍ରି କରିବେ ବୋଲି ବିଶ୍ୱାସ ରଖିଥିବା କହିଛନ୍ତି। ପରିସ୍ଥିତିରେ ସୁଧାର ଆସୁଥିବାରୁ ଆମେ ଖୁବ୍ ଶୀଘ୍ର ଏକାଠି ହେବୁ ବୋଲି କହିଛନ୍ତି ତପସ୍ୱିନୀ। ଏଥିନିମନ୍ତେ ୧୦୧% ବିଶ୍ୱାସ ଓ ଭରସା ରହିଛି ବୋଲି ସେ କହିଛନ୍ତି।