ସେସୁକୁ ଅଧିଗ୍ରହଣ କରିବ ଟାଟା ପାୱାର, ଏପ୍ରିଲରୁ ନୂଆ ମାଲିକାନା

ଭୁବନେଶ୍ୱର(ପ୍ରକାଶ ସେଠୀ): ବିଦ୍ୟୁତ ବିତରଣ କମ୍ପାନୀ ‘ସେସୁ’ର ୫୧% ଶେୟାରକୁ ଟାଟା ପାୱାର ଅଧିଗ୍ରହଣ କରିବ। ଡିସେମ୍ବର ୧୩ତାରିଖରେ ସେସୁର ଶେୟାର ବିକ୍ରି ପାଇଁ ରାଜ୍ୟ ସରକାର ସବୁଜ ସଙ୍କେତ ଦେବାପରେ ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ(ଓଇଆରସି)ଙ୍କ ପକ୍ଷରୁ ଲେଟର ଅଫ ଇଣ୍ଟେଟ୍ (ଏଲଓଆଇ) ଜାରି କରାଯାଇଛି ଓ ଜାନୁୟାରୀ ୩ତାରିଖ ସୁଦ୍ଧା ଏହି ଏଲଓଆଇକୁ ନିଶ୍ଚିତ ଭାବେ ଗ୍ରହଣ କରିବା ପାଇଁ ଟାଟା ପାୱାରକୁ ପରାମର୍ଶ ଦିଆଯାଇଥିବା ଜଣାପଡ଼ିଛି। ସେସୁର ଅଧିଗ୍ରହଣ ସମ୍ପର୍କରେ ଆନୁଷ୍ଠାନିକ ଭାବେ […]

tata-power

Manoranjan Sial
  • Published: Saturday, 21 December 2019
  • , Updated: 21 December 2019, 09:45 PM IST

ଭୁବନେଶ୍ୱର(ପ୍ରକାଶ ସେଠୀ): ବିଦ୍ୟୁତ ବିତରଣ କମ୍ପାନୀ ‘ସେସୁ’ର ୫୧% ଶେୟାରକୁ ଟାଟା ପାୱାର ଅଧିଗ୍ରହଣ କରିବ। ଡିସେମ୍ବର ୧୩ତାରିଖରେ ସେସୁର ଶେୟାର ବିକ୍ରି ପାଇଁ ରାଜ୍ୟ ସରକାର ସବୁଜ ସଙ୍କେତ ଦେବାପରେ ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ(ଓଇଆରସି)ଙ୍କ ପକ୍ଷରୁ ଲେଟର ଅଫ ଇଣ୍ଟେଟ୍ (ଏଲଓଆଇ) ଜାରି କରାଯାଇଛି ଓ ଜାନୁୟାରୀ ୩ତାରିଖ ସୁଦ୍ଧା ଏହି ଏଲଓଆଇକୁ ନିଶ୍ଚିତ ଭାବେ ଗ୍ରହଣ କରିବା ପାଇଁ ଟାଟା ପାୱାରକୁ ପରାମର୍ଶ ଦିଆଯାଇଥିବା ଜଣାପଡ଼ିଛି।

ସେସୁର ଅଧିଗ୍ରହଣ ସମ୍ପର୍କରେ ଆନୁଷ୍ଠାନିକ ଭାବେ ମଧ୍ୟ ନିର୍ଭରଯୋଗ୍ୟ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ପ୍ରାୟ ୧୯ବର୍ଷ ବ୍ୟବଧାନରେ ସେସୁର ଘରୋଇକରଣ ହେବାକୁ ଯାଉଛି। ୨୦୦୧ ମସିହାରୁ ସେସୁର ୫୧ ପ୍ରତିଶତ ଶେୟାର ଓଇଆରସିଙ୍କ ପାଖରେ ରହିଛି। ସେହି ୫୧ପ୍ରତିଶତ ଶେୟାରକୁ ଅଧିଗ୍ରହଣ କରିବା ପାଇଁ ଓଇଆରସିଙ୍କ ପକ୍ଷରୁ ନିଲାମ ଡକାଯାଇଥିଲା। ତେବେ ଫେଡକୋ ଓ ଇଣ୍ଡିଆ ପାୱାର କର୍ପୋରେସନର ମିଳିତ ଟେଣ୍ଡର ଆବେଦନକୁ ପଛରେ ପକାଇ ଟାଟା ପାୱାରକୁ ଏହି ଶେୟାର ଅଧିଗ୍ରହଣ ପାଇଁ ଓଇଆରସି ମନୋନୀତ କରିଥିଲେ। ଏହାପରେ ଓଇଆରସିଙ୍କ ପକ୍ଷରୁ ଫାଇନାନ୍ସିଆଲ ବିଡ୍ ଖୋଲାଯିବା ସହ ଶେୟାର ବିକ୍ରି ନିମନ୍ତେ ରାଜ୍ୟ ସରକାରଙ୍କ ଅନୁମୋଦନ ଲୋଡ଼ାଯାଇଥିଲା। ମାତ୍ର ଡିସେମ୍ବର ୧୩ତାରିଖରେ ରାଜ୍ୟ ସରକାର ସେସୁର ୧୦୦ପ୍ରତିଶତ ଶେୟାରକୁ ରଖିବାକୁ ଅନିଚ୍ଛା ପ୍ରକାଶ କରି ଓଇଆରସିଙ୍କୁ ଜଣାଇବା ପରେ ଟାଟା ପାୱାରକୁ ୫୧ ପ୍ରତିଶତ ଅଧିଗ୍ରହଣ ନିମନ୍ତେ ଏଲଓଆଇ ଜାରି ହୋଇଛି। ଏବେ ‘ସେସୁ’ରେ ରାଜ୍ୟ ସରକାରଙ୍କ ମାତ୍ର ୩୯ପ୍ରତିଶତ ଶେୟାର ଓ ବାକି ୧୦ପ୍ରତିଶତ ଶେୟାର ସେସୁ କର୍ମଚାରୀମାନଙ୍କର ରହିବ।

ଟାଟା ପାୱାର ଆଗାମୀ ୨୫ବର୍ଷ ପାଇଁ ସେସୁର ପରିଚାଳନା, ତଦାରଖ ଓ ପୁଞ୍ଜିନିବେଶ କରିବା ସହ ଓଇଆରସିଙ୍କ ପକ୍ଷରୁ କମ୍ପାନୀକୁ ବ୍ୟବସାୟିକ ବିତରଣ ଲାଇସେନ୍ସ ମଧ୍ୟ ଜାରି ହେବ। ଭୁବନେଶ୍ୱର, କଟକ, ପାରାଦୀପ, ଅନୁଗୁଳ, ତାଳଚେର ଓ ଢେଙ୍କାନାଳରେ ପ୍ରାୟ ୩୦ହଜାର ବର୍ଗକିମି ଅଞ୍ଚଳରେ ବିଦ୍ୟୁତ ବିତରଣ ବ୍ୟବସ୍ଥା ସେସୁ ଦାୟିତ୍ୱରେ ରହିଛି। ସେସୁ ଏବେ ବାର୍ଷିକ ୨୪ଲକ୍ଷ ଗ୍ରାହକଙ୍କୁ ବିଦ୍ୟୁତ ଯୋଗାଣ କରୁଥିବାବେଳେ ବାର୍ଷିକ ପ୍ରାୟ ୩୪୦୦କୋଟି ଟଙ୍କାର କାରବାର କରୁଛି। ସେସୁର ବୈଷୟିକ ଓ ବ୍ୟବସାୟିକ କ୍ଷତି ୩୪.୬୫% ଥିବାବେଳେ ୨୦୨୦-୨୧ରେ ଏହାକୁ ୨୪.୪୯%କୁ ହ୍ରାସ କରିବାକୁ ଲକ୍ଷ୍ୟ ରଖାଯାଇଛି। ଏଲଓଆଇ ଉପରେ ଟାଟା ପାୱାର ସମ୍ମତି ଜଣାଇବା ପରେ ଅଧିଗ୍ରହଣ ନିମନ୍ତେ ରାଜିନାମା ସ୍ୱାକ୍ଷର ପ୍ରକ୍ରିୟା ଆରମ୍ଭ ହେବ। ୧୯୯୬ରେ ସେସୁର ୫୧% ଶେୟାରକୁ ଆମେରିକୀୟ କମ୍ପାନୀ ଏଇଏସ୍ ଅଧିଗ୍ରହଣ କରିଥିଲା। ମାତ୍ର ଅଧିଗ୍ରହଣ ଅନୁସାରେ ଏଇଏସ୍ କୌଣସି ପୁଞ୍ଜିନିବେଶ ନକରିବା ଓ ସର୍ତ୍ତ ଖିଲାପ କରିବାରୁ ୨୦୦୧ ମସିହାରେ ଓଇଆରସି ଏହାକୁ ଅଧିଗ୍ରହଣ କରିଥିଲେ। କେବଳ ସେସୁ ନୁହେଁ ଅନ୍ୟ ୩ଟି ବିଦ୍ୟୁତ ବିତରଣ ସଂସ୍ଥା( ନେସ୍କୋ,ସାଉଥକୋ ଓ ୱେସ୍କୋ)କୁ ବିକ୍ରି ପାଇଁ ମଧ୍ୟ ଏବେ ପ୍ରକ୍ରିୟା ଚାଲିଛି।

ଅନ୍ୟପକ୍ଷରେ ରାଜ୍ୟ ବିଦ୍ୟୁତ ଉପଭୋକ୍ତା ସଂଘର ମୁଖ୍ୟ ରମେଶ ଚନ୍ଦ୍ର ଶତପଥୀ କହିଛନ୍ତି ଯେ, ଟାଟା ପାୱାରକୁ ଅତ୍ୟନ୍ତ ବେଆଇନ ଭାବେ ସେସୁକୁ ଟେକି ଦେବାକୁ ଷଡ଼ଯନ୍ତ୍ର ହୋଇଛି। ସେସୁର ପ୍ରାୟ ୧୯୦୦କୋଟି ଟଙ୍କାର ବିଦ୍ୟୁତ ବିଲ୍ ବକେୟା ଥିବାବେଳେ ଟାଟା ପାୱାରକୁ ଅଧିଗ୍ରହଣ ନିମନ୍ତେ ବେସ୍ ପ୍ରାଇସ୍ କିଭଳି ମାତ୍ର ୩୦୦କୋଟି ଟଙ୍କା ଧାର୍ଯ୍ୟ କରାଯାଇଛି। ରାଜ୍ୟ ସରକାର କାହିଁକି ଏହି ବକେୟା ଅର୍ଥ ଆଦାୟ ପର୍ଯ୍ୟନ୍ତ ଅଧିଗ୍ରହଣ ପ୍ରକ୍ରିୟାକୁ ସ୍ଥଗିତ କରିଲେ ନାହିଁ। ସେସୁରେ ୧୦ପ୍ରତିଶତ ଶେୟାର କର୍ମଚାରୀମାନଙ୍କର ଥିବାବେଳେ ସେମାନଙ୍କ ସହ କାହିଁକି କୌଣସି ଆଲୋଚନା କରାଗଲାନି। ସେସୁ ଅଧିଗ୍ରହଣ ପଛରେ ବଡ଼ଧରଣର ଷଡ଼ଯନ୍ତ୍ର ଓ କିକବ୍ୟାକ୍ ହୋଇଥିବା ସନ୍ଦେହ କରାଯାଉଛି।

Related story