ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
<p>ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜରାସ୍ତାକୁ ଆସିଲା ପାଣ୍ଡିଆନ୍‌ ବିରୋଧୀ ସ୍ୱର। ଆନ୍ଦୋଳନରତ ଶିକ୍ଷକ ଓ ଅଧ୍ୟାପକଙ୍କ ଟାର୍ଗେଟ୍‌ରେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି. କାର୍ତ୍ତିକେୟନ ପାଣ୍ଡିଆନ୍‌। ବିଜେଡିର ଦଳୀୟ ବ୍ୟାପାରରେ ହସ୍ତକ୍ଷେପ କରୁଥିବା ଅଭିଯୋଗରେ ପୂର୍ବରୁ ପାଣ୍ଡିଆନ୍‌ଙ୍କ ବିରୋଧରେ ଦଳ ଭିତରୁ ହିଁ ବିରୋଧର ସ୍ୱର ଉଠିଛି। ଧୀରେ ଧୀରେ ଜଣେ ପରେ ଜଣେ ନେତା ତାଙ୍କ ବିରୋଧରେ ବିଭିନ୍ନ ପ୍ଲାଟ୍‌ଫର୍ମରେ କହୁଥିବା ବେଳେ, ଆଜି କିଛି ଆନ୍ଦୋଳନରତ ଶିକ୍ଷକ ମଧ୍ୟ ତାଙ୍କ ନାଁ ଧରି ତାଙ୍କ ବିରୋଧରେ ବର୍ଷିଛନ୍ତି। ଭୁବନେଶ୍ୱର ଲୋୟର ପିଏମ୍‌ଜିରେ ଶିକ୍ଷକ, ଅଧ୍ୟାପକ ଓ କର୍ମଚାରୀମାନେ ପାଣ୍ଡିଆନ୍‌ ହାଏ ହାଏ ବୋଲି ନାରା ଦେଇଛନ୍ତି।</p> <p>ଓଡ଼ିଶା ସ୍କୁଲ ଓ କଲେଜ ଶିକ୍ଷକ କର୍ମଚାରୀ ମିଳିତ ମଞ୍ଚ ଆବାହକ ପ୍ରକାଶ ମହାନ୍ତି କହିଛନ୍ତି- “ମୁଖ୍ୟମନ୍ତ୍ରୀ, ତାଙ୍କ ବ୍ୟକ୍ତିଗତ ସଚିବ ପାଣ୍ଡିଆନ ଓ ଦୁଇ ବରିଷ୍ଠ ମନ୍ତ୍ରୀଙ୍କ ଉପସ୍ଥିତିରେ ଯେଉଁ ନିଷ୍ପତ୍ତି ନିଆଯାଇଥିଲା, ତାହାକୁ ଆଜି ପର୍ଯ୍ୟନ୍ତ କାର୍ଯ୍ୟକାରୀ କରାଗଲା ନାହିଁ। ତାହାହେଲେ ଏହି ରାଜ୍ୟର ଅଫିସରମାନେ କ’ଣ ଭାଗ୍ୟନିଅନ୍ତା ନା ଭୋଟ୍‌ରମାନେ।”</p> <p>ଗତକାଲି ବିଜେଡି ନେତ୍ରୀ ହେମା ଗମାଙ୍ଗଙ୍କ ପରେ ପୁଣି ପାଣ୍ଡିଆନଙ୍କ ନାଁ ନେଇ ସୋସିଆଲ୍‌ ମିଡିଆରେ ବର୍ଷିଛନ୍ତି ସାଂସଦ ବୈଜୟନ୍ତ ପଣ୍ଡା। ପାଣ୍ଡିଆନଙ୍କ ବିରୋଧରେ ଅନେକ ଦଳୀୟ କର୍ମୀ ଗମ୍ଭୀର ଅଭିଯୋଗ ଆଣିଥିବା ବେଳେ ଏହା ହିଁ ତଦନ୍ତ କରାଯିବାର ଉଚିତ୍ ସମୟ ବୋଲି ବୈଜୟନ୍ତ ଟ୍ୱିଟ୍‌ କରିଛନ୍ତି। ଖାଲି ସେତିକି ନୁହେଁ ଚାକିରି ନିୟମ ବିରୋଧୀ ବେଆଇନ କାମ କରିବା ଅପେକ୍ଷା ଆଇଏଏସ୍‌ରୁ ଇସ୍ତଫା ଦେଇ ରାଜନୀତି କରନ୍ତୁ ବୋଲି ମଧ୍ୟ ପାଣ୍ଡିୟାନଙ୍କୁ ଆହ୍ୱାନ ଦେଇଛନ୍ତି ସାଂସଦ ବୈଜୟନ୍ତ।</p> <p>ତେବେ ପାଣ୍ଡିଆନଙ୍କ ବିରୋଧରେ କାହିଁକି ଏ ଅସନ୍ତୋଷର ନିଆଁ? ପୂର୍ବତନ ମୁଖ୍ୟ ଶାସନ ସଚିବଙ୍କ ମତରେ, ପ୍ରବାଦ ପୁରୁଷ ବିଜୁବାବୁଙ୍କ ଭଳି ଶାସନକର୍ତ୍ତା ଦୁଇ ପକ୍ଷଙ୍କୁ ନଶୁଣି, କେବଳ ବ୍ୟକ୍ତିଗତ ସଚିବଙ୍କ ଉପରେ ନିର୍ଭର କରୁଥିବାରୁ ଏଭଳି ସ୍ଥିତି ଉପୁଜୁଛି। ରାଜନୈତିକ ବିଶ୍ଳେଷକ ମଧ୍ୟ ସରକାରୀ ଅଫିସର ସୀମା ଭିତରେ ରହି କାର୍ଯ୍ୟ କରିବା ଉଚିତ୍ ବୋଲି ମତ ଦେଇଛନ୍ତି।</p>
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।