ଜଳୁଛି ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶା, ଉପକୂଳ ଟିକେ ଆଶ୍ୱସ୍ତ

ଭୁବନେଶ୍ୱର: ଗତକାଲି ରାଜ୍ୟର ୧୮ଟି ସହରରେ ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ୍ ଉପରେ ରହିଥିବା ବେଳେ ଆଜି ୧୫ଟି ସହରରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିଲା। ଉପକୂଳ ଓଡ଼ିଶାରେ ଖରାର ପ୍ରକୋପ ଟିକେ କମ୍ ରହିଥିବା ବେଳେ ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ତାତି ଜାରି ରହିଛି। ଗତକାଲି ଟିଟିଲାଗଡ଼ର ତାପମାତ୍ରା ୪୫ ଡିଗ୍ରୀ ରହିଥିବା ବେଳେ ଆଜି ଏହା ୪୫.୫ ଡିଗ୍ରୀକୁ ବଢ଼ିଥିଲା। ପଶ୍ଚିମ ଓଡ଼ିଶାର ଆଉ ଏକ ସହର ସୋନପୁରର ତାପମାତ୍ରା […]

temp

Rakesh Mallick
  • Published: Thursday, 14 April 2016
  • , Updated: 14 April 2016, 02:14 PM IST

ଭୁବନେଶ୍ୱର: ଗତକାଲି ରାଜ୍ୟର ୧୮ଟି ସହରରେ ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ୍ ଉପରେ ରହିଥିବା ବେଳେ ଆଜି ୧୫ଟି ସହରରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିଲା। ଉପକୂଳ ଓଡ଼ିଶାରେ ଖରାର ପ୍ରକୋପ ଟିକେ କମ୍ ରହିଥିବା ବେଳେ ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ତାତି ଜାରି ରହିଛି। ଗତକାଲି ଟିଟିଲାଗଡ଼ର ତାପମାତ୍ରା ୪୫ ଡିଗ୍ରୀ ରହିଥିବା ବେଳେ ଆଜି ଏହା ୪୫.୫ ଡିଗ୍ରୀକୁ ବଢ଼ିଥିଲା। ପଶ୍ଚିମ ଓଡ଼ିଶାର ଆଉ ଏକ ସହର ସୋନପୁରର ତାପମାତ୍ରା ମଧ୍ୟ ଆଜି ୪୫ ଡିଗ୍ରୀ ଟପି ଯାଇଥିଲା। ଆଜି ଏଠାରେ ତାପମାତ୍ରା ୪୫.୧ ଡିଗ୍ରୀ ରେକର୍ଡ କରାଯାଇଥିଲା। ଏହି ଦୁଇ ସହର ପଛକୁ ରହିଥିଲା ଭବାନୀପାଟଣା। ଏଠାରେ ତାପମାତ୍ରା ୪୪ ଡିଗ୍ରୀ ରେକର୍ଡ କରାଯାଇଥିଲା।

ବଲାଙ୍ଗିରରେ ଆଜି ତାପମାତ୍ରା ୪୩.୫ ରେକର୍ଡ କରାଯାଇଥିବା ବେଳେ ସମ୍ବଲପୁର ଓ ଝାରସୁଗୁଡ଼ାରେ ୪୨. ୮ ଡିଗ୍ରୀ, ହୀରାକୁଦରେ ୪୨.୭ ଏବଂ ସୁନ୍ଦରଗଡ଼ରେ ୪୨ ଡିଗ୍ରୀ ରହିଥିଲା।

ଅନୁଗୋଳ ଓ ତାଳଚେରର ତାପମାତ୍ରା ଯଥାକ୍ରମେ ୪୩.୧ ଓ ୪୩.୫ ଡିଗ୍ରୀ ସେଲ୍‌ସିୟସ୍ ରହିଥିଲା। କେନ୍ଦୁଝରରେ ତାପମାତ୍ରା ୪୧.୩ ଡିଗ୍ରୀ ରହିଥିବା ବେଳେ ଫୁଲବାଣୀରେ ୪୦.୨ ଡିଗ୍ରୀ ରହିଥିଲା।

କିଛି ଦିନ ତଳେ ରାଜଧାନୀ ଭୁବନେଶ୍ୱରର ତାପମାତ୍ର ୪୫.୮ ଡିଗ୍ରୀ ଛୁଇଁ ଥିବା ବେଳେ ଆଜି ଏହା ୪୦.୨ ଡିଗ୍ରୀ ସେଲ୍‌ସିୟସ୍ ରହିଥିଲା। କଟକରେ ତାପମାତ୍ରା ୪୦.୨ ଡିଗ୍ରୀ ରହିଥିଲା। ଚାନ୍ଦବାଲିରେ ତାପମାତ୍ରା ୪୧.୯ ଡିଗ୍ରୀ ରେକର୍ଡ କରାଯାଇଥିଲା।

ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ ଆସନ୍ତା ୨୧ ତାରିଖ ଯାଏଁ ଉପକୂଳ ଓଡ଼ିଶାର ତାତି ୪୦ ଡିଗ୍ରୀ ପାଖାପାଖି ରହିବ। ତେବେ ଗୁଳୁଗୁଳି ହେବ।

ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଶରତ ଚନ୍ଦ୍ର ସାହୁ କହିଛନ୍ତି,“ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବ ନାହିଁ। କାରଣ ଏଠାରେ ସାମୁଦ୍ରିକ ପବନର କୌଣସି ପ୍ରଭାବ ନାହିଁ। ଗତ ତିନି ଚାରି ଦିନ ଧରି ଯେଉଁ ତାପମାତ୍ରା ରହିଥିଲା ତାହା ଆଗକୁ ବି ଜାରି ରହିବ। ଆସନ୍ତା ୨୧ ତାରିଖ ପର୍ଯ୍ୟନ୍ତ ଏଭଳି ସ୍ଥିତି ଜାରି ରହିବ।”

ସେ କହିଛନ୍ତି,“ଉପକୂଳ ଓଡ଼ିଶାର ତାପମାତ୍ରା ସାମୁଦ୍ରିକ ପବନର ପ୍ରବାହ ଅନୁଯାୟୀ ବଢ଼େ ଓ କମେ। ଦକ୍ଷିଣ ଓ ଦକ୍ଷିଣ-ପୂର୍ବରୁ ପବନ ପ୍ରବାହ ଧାରା ଜାରି ରହିଲେ ଏଠାରେ ତାପମାତ୍ରା କମ୍ ରହିବ। କାରଣ ଏହି ପବନ ବହିବା ସହିତ ବାୟୁମଣ୍ଡଳର ଆର୍ଦ୍ରତା ବଢ଼ିବ। ଆର୍ଦ୍ରତା ବଢ଼ିଲେ ତାପମାତ୍ରା କମିବ। ତେବେ ଗୁଳିଗୁଳି ହେବ। ଏବେ ଆର୍ଦ୍ରତା ରହିଛି କିନ୍ତୁ ସେହି ଅନୁସାରେ ତାପମାତ୍ରା ବି ଅଧିକ ରହିଛି। ତେଣୁ ଲୋକେ ଏବେ ଅସ୍ତବ୍ୟସ୍ତ ଅନୁଭବ କରୁ ନାହାନ୍ତି।”

ସେ କହିଛନ୍ତି,“ସାମୁଦ୍ରିକ ବାୟୁର ବେଗ ଯଦି ବଢ଼ିବ ତଥା ଏହା ଜଳୀୟ ବାଷ୍ପ ନେଇ ସ୍ଥଳ ଭାଗକୁ ଆସିବ ଏବଂ ଏହି ଜଳୀୟ ବାଷ୍ପକୁ ପାଣିପାଗ ସହିତ ଜଡ଼ିତ ଅନ୍ୟ ସହଯୋଗୀ ଉପାଦାନଗୁଡ଼ିକ ଯଦି ବାୟୁମଣ୍ଡଳ ଉପରକୁ ନେଇ ମେଘ ସୃଷ୍ଟି କରିବାରେ ସହଯୋଗ କରିବେ ତା’ହେଲେ କାଳବୈଶାଖୀ ହେବାର ସମ୍ଭାବନା ରହିବ।”

Related story