ମଣିଷଖିଆ 'ସୁନ୍ଦରୀ' ଆତଙ୍କ: ଶବ ରଖି ରାସ୍ତାରୋକ, ପୁଲିସକୁ ଢେଲାମାଡ଼

ଅନୁଗୋଳ (ଓଡ଼ିଶା ରିପୋର୍ଟର): ଅନୁଗୋଳ ଜିଲ୍ଲାର ସାତକୋଶିଆରେ ଆଜି ବାଘୁଣୀ ‘ସୁନ୍ଦରୀ’ର ଆକ୍ରମଣରେ ଜଣଙ୍କର ମୃତ୍ୟୁ ଅଭିଯୋଗ ଆସିବା ପରେ ଉତ୍ତେଜନା ବୃଦ୍ଧି ପାଇବାରେ ଲାଗିଛି। ସ୍ଥାନୀୟ ଲୋକେ ମୃତକଙ୍କ ଶବ ରାସ୍ତାରେ ରଖି କାଞ୍ଜରା ମୁଣ୍ଡାସାହି ନିକଟରେ ରାସ୍ତାରୋକ କରିଛନ୍ତି। ଏହାସହ ଉତ୍ତ୍ୟକ୍ତ ଲୋକେ ପୁଲିସ ଗାଡ଼ି ଉପରକୁ ଢେଲାମାଡ଼ ମଧ୍ୟ କରିଛନ୍ତି। ଉତ୍ତ୍ୟକ୍ତ ଲୋକଙ୍କ ଢ଼େଲାମାଡ଼ରେ ୩ ବରିଷ୍ଠ ଅଧିକାରୀ ଆହତ ହୋଇଛନ୍ତି। ଉପଜିଲ୍ଲାପାଳ, ତହସିଲଦାର ଓ ଅନୁଗୋଳ ଆଇଆଇସି ଆହତ ହୋଇଛନ୍ତି। ଲୋକଙ୍କୁ […]

angul

Jyoshna Pradhan
  • Published: Sunday, 21 October 2018
  • , Updated: 21 October 2018, 10:26 PM IST

ଅନୁଗୋଳ (ଓଡ଼ିଶା ରିପୋର୍ଟର): ଅନୁଗୋଳ ଜିଲ୍ଲାର ସାତକୋଶିଆରେ ଆଜି ବାଘୁଣୀ 'ସୁନ୍ଦରୀ'ର ଆକ୍ରମଣରେ ଜଣଙ୍କର ମୃତ୍ୟୁ ଅଭିଯୋଗ ଆସିବା ପରେ ଉତ୍ତେଜନା ବୃଦ୍ଧି ପାଇବାରେ ଲାଗିଛି। ସ୍ଥାନୀୟ ଲୋକେ ମୃତକଙ୍କ ଶବ ରାସ୍ତାରେ ରଖି କାଞ୍ଜରା ମୁଣ୍ଡାସାହି ନିକଟରେ ରାସ୍ତାରୋକ କରିଛନ୍ତି। ଏହାସହ ଉତ୍ତ୍ୟକ୍ତ ଲୋକେ ପୁଲିସ ଗାଡ଼ି ଉପରକୁ ଢେଲାମାଡ଼ ମଧ୍ୟ କରିଛନ୍ତି।

ଉତ୍ତ୍ୟକ୍ତ ଲୋକଙ୍କ ଢ଼େଲାମାଡ଼ରେ ୩ ବରିଷ୍ଠ ଅଧିକାରୀ ଆହତ ହୋଇଛନ୍ତି। ଉପଜିଲ୍ଲାପାଳ, ତହସିଲଦାର ଓ ଅନୁଗୋଳ ଆଇଆଇସି ଆହତ ହୋଇଛନ୍ତି।

ଲୋକଙ୍କୁ ଘଉଡ଼ାଇବାକୁ ପୁଲିସ ମୃଦୁ ଲାଠିଚାଳନା କରିବା ସହ ଲୁହବୁହା ଗ୍ୟାସ୍ ପ୍ରୟୋଗ କରିଛି।

ଅନ୍ୟପକ୍ଷରେ ମୃତକଙ୍କ ଗାଁ ଟାଇଁସିର ଗ୍ରାମବାସୀ ଏସିଏଫଙ୍କ ସମେତ ୫ ବନ କର୍ମଚାରୀଙ୍କୁ ଅଟକ ରଖିଛନ୍ତି।

ସୂଚନାଯୋଗ୍ୟ, ଟାଇଁସି ଗାଁରେ ପଶି ସୁନ୍ଦରୀ ତ୍ରିନାଥ ସାହୁ ନାମକ ଜଣେ ବ୍ୟକ୍ତିଙ୍କୁ ମାରି ଖାଇଥିବା ଅଭିଯୋଗ ହୋଇଛି। ଆଜି ସକାଳେ ସେ ମାଛ ମାରିବାକୁ ଯାଇଥିବା ବେଳେ ସୁନ୍ଦରୀ ତାଙ୍କୁ ଆକ୍ରମଣ କରିଥିଲା ବୋଲି ଅଭିଯୋଗ ହୋଇଛି।

ମୃତକଙ୍କ ବେକରେ ଛିଦ୍ର ହୋଇଥିବା ବେଳେ ତାଙ୍କ ନିତମ୍ବରୁ ମାଂସ ଟଣା ହୋଇଥିବା ଦେଖିବାକୁ ମିଳିଛି। ତେଣୁ ଏହା ସୁନ୍ଦରୀର କାମ ବୋଲି ଗାଁ ଲୋକେ କହୁଛନ୍ତି। ଏହାକୁ ନେଇ ଗାଁ ଲୋକେ ଭୟଭୀତ ହୋଇଯାଇଛନ୍ତି। ଗାଁ ପାଖରେ ବାଘ ଲୁଚିଥିବାର ସୂଚନା ମିଳିଛି।

ଛଅ ସାତ ଦିନ ତଳେ ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପର ହାତିବାରୀ ନିକଟରେ ‘ସୁନ୍ଦରୀ’ ଗୋଟିଏ ବଳଦକୁ ମାରି ଖାଇଥିବା ଅଭିଯୋଗ ହୋଇଥିଲା।

ସୁନ୍ଦରୀ କିଛି ଦିନ ଧରି ଆଠମଲ୍ଲିକ ବନଖଣ୍ଡରେ ରହିବା ପରେ ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପର କୋର୍ ଏରିଆକୁ ଫେରିଥିଲା।

ଏହା ପୂର୍ବରୁ ସୁନ୍ଦରୀ ଦୁଇ ଥର ଜନବସତିକୁ ପଶିଥିବା ନେଇ ସୂଚନା ମିଳିଥିଲା। ସେପ୍ଟେମ୍ବର ୧୨ ତାରିଖରେ ସୁନ୍ଦରୀ ଜଣେ ମହିଳାଙ୍କୁ ମାରିଥିବା ନେଇ ହଇଚଇ ସୃଷ୍ଟି ହୋଇଥିଲା।

ମଧ୍ୟପ୍ରଦେଶରୁ ଆସିଥିବା ମହାବଳ କାହ୍ନା ସହ ତାର ମିଳନ ହେବ ଏବଂ ସେମାନେ ଏକାଠି ରହିବେ ବୋଲି ଆଶା କରାଯାଉଥିଲା। କିନ୍ତୁ ଏପର୍ଯ୍ୟନ୍ତ ସେମିତି କିଛି ହୋଇନି। ଅନ୍ୟପକ୍ଷରେ ସୁନ୍ଦରୀ ନାଁରେ ଅଭିଯୋଗ ଲମ୍ବିବାରେ ଲାଗିଛି।

Related story