ରାଉରକେଲା (ପବନ ତିୱାରୀ): “ବାହାର ଲୋକେ ଗାଁରେ ପଶି ପାରିବେ ନାହିଁ।” ଗାଁର ପ୍ରବେଶ ପଥକୁ ସିଲ୍ କରାଯାଇ ଲାଗିଛି ଏମିତି ବ୍ୟାନର। ‘କରୋନା’ ମୁକାବିଲା ପାଇଁ ଗାଁର ଗରିବ ଖଟିଆ ଆଦିବାସୀମାନେ ଏମିତି ଫଣ୍ଡା ଆପଣାଇଛନ୍ତି। ନିଜ ପେଟର ଜ୍ୱାଳାକୁ ଭୁଲି ‘କରୋନା’ ପାଇଁ ଆରମ୍ଭ ହୋଇଥିବା ଯୁଦ୍ଧରେ ନିଜକୁ ସାମିଲ କରିଛନ୍ତି ରାଉରକେଲା ଲୁଆକେରା ଗାଁ ଲୋକେ।
ଷ୍ଟିଲ୍ ସିଟି ରାଉରକେଲା। ଏହି ଟାଉନ୍ଠାରୁ ୨ରୁ ୩ କିମି ଦୂରରେ ରହିଛି ଲୁଆକେରା ଗାଁ। ଲୋକ ସଂଖ୍ୟା ୧୦୦୦ ପାଖାପାଖି ହେବ। ସମସ୍ତେ ପ୍ରାୟ ଆଦିବାସୀ ଶ୍ରେଣୀର। କାମଦାମ କଲେ ଚଳନ୍ତି। ଆଜି ଏହି ଗାଁର ପ୍ରବେଶ ପଥକୁ ସିଲ୍ କରାଯାଇଛି। ଗାଁ ଲୋକେ ପ୍ରବେଶ ପଥକୁ ସିଲ୍ କରି ‘ଗାଁରେ ପ୍ରବେଶ ନକରିବାକୁ’ ବ୍ୟାନର ମାରିଛନ୍ତି। ଯଦି ଗାଁର ଲୋକେ ବାହାରକୁ ଜରୁରୀ କାମରେ ଯାଉଛନ୍ତି, ତାହାହେଲେ ଫେରିବା ସମୟରେ ହାତ ଧୋଇ ଗାଁକୁ ଆସୁଛନ୍ତି। ଗାଁରେ ସମସ୍ତେ ସମଦୂରତା ଅବଲମ୍ୱନ କରୁଛନ୍ତି। ଏପରିକି ମାସ୍କ ପିନ୍ଧୁଛନ୍ତି। ଏମାନେ ଶ୍ରମିକ ଶ୍ରେଣୀର ହୋଇଥିଲେ ମଧ୍ୟ ‘କରୋନା’ର ଭୟାବହତାକୁ ମର୍ମେ ମର୍ମେ ଅନୁଭବ କରିଛନ୍ତି। ତଥାପି ପେଟର ଦୁଃଖ ବଖାଣିଛନ୍ତି।