ଆଦିବାସୀ ନାବାଳିକାଙ୍କୁ ଦୁଷ୍କର୍ମ ଘଟଣାର ଏସଆଇଟି ତଦନ୍ତ ଦାବି କଲା ବିଜେପି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମାଲକାନଗିରି ପୁଲିସ କ୍ୟାଣ୍ଟିନରେ ଆଦିବାସୀ ମହିଳାଙ୍କୁ ଦୁଷ୍କର୍ମ ଓ ହତ୍ୟା ଏବଂ ବୀରମିତ୍ରପୁର ଥାନା ଅଧିକାରୀ ଜଣେ ନାବାଳିକା ସହ ଦୁଷ୍କର୍ମ କରିବା ଘଟଣାର ତଦନ୍ତ ପାଇଁ ରାଜ୍ୟ ସରକାର ତୁରନ୍ତ ଏକ ଏସଆଇଟି ଗଠନ କରନ୍ତୁ ବୋଲି ବିଜେପି ଦାବି କରିଛି। ପୀଡ଼ିତାଙ୍କୁ ନ୍ୟାୟ ଓ କ୍ଷତିପୂରଣ ନମିଳିବା ପର୍ଯ୍ୟନ୍ତ ବିଜେପି ଲଢ଼େଇ ଜାରି ରଖିବ ବୋଲି କହିଛି। ରାଜ୍ୟ କାର୍ଯ୍ୟାଳୟରେ ଆଜି ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ବିଜେପି ସାଧାରଣ […]

bjp

Manoranjan Sial
  • Published: Tuesday, 30 June 2020
  • , Updated: 30 June 2020, 09:07 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମାଲକାନଗିରି ପୁଲିସ କ୍ୟାଣ୍ଟିନରେ ଆଦିବାସୀ ମହିଳାଙ୍କୁ ଦୁଷ୍କର୍ମ ଓ ହତ୍ୟା ଏବଂ ବୀରମିତ୍ରପୁର ଥାନା ଅଧିକାରୀ ଜଣେ ନାବାଳିକା ସହ ଦୁଷ୍କର୍ମ କରିବା ଘଟଣାର ତଦନ୍ତ ପାଇଁ ରାଜ୍ୟ ସରକାର ତୁରନ୍ତ ଏକ ଏସଆଇଟି ଗଠନ କରନ୍ତୁ ବୋଲି ବିଜେପି ଦାବି କରିଛି। ପୀଡ଼ିତାଙ୍କୁ ନ୍ୟାୟ ଓ କ୍ଷତିପୂରଣ ନମିଳିବା ପର୍ଯ୍ୟନ୍ତ ବିଜେପି ଲଢ଼େଇ ଜାରି ରଖିବ ବୋଲି କହିଛି।

ରାଜ୍ୟ କାର୍ଯ୍ୟାଳୟରେ ଆଜି ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି ଯେ, ମାଲକାନଗିରି ମହିଳା ଦୁଷ୍କର୍ମ ଏବଂ ବୀରମିତ୍ରପୁର ନାବାଳିକା ଦୁଷ୍କର୍ମ ଘଟଣାରେ ଏସସି ଏସଟି ଏଟ୍ରୋସିଟି ଆକ୍ଟ ଲଗାଇ ୬୦ ଦିନ ଭିତରେ ଚାର୍ଜସିଟି ଫାଇଲ ହେବା କଥା। ଏହା ସହ ତୁରନ୍ତ ପୀଡ଼ିତାଙ୍କ ପରିବାରକୁ କ୍ଷତିପୂରଣ ଯୋଗାଇ ଦେବାର ବ୍ୟବସ୍ଥା ଥିବାବେଳେ ରାଜ୍ୟସରକାର ଚୁପ୍ ରହିଛନ୍ତି କାହିଁକି? କୁନ୍ଦୁଲି ଘଟଣା ଭଳି ଏବେ ମାଲକାନଗିରି ଘଟଣାରେ ମୃତା ପୀଡିତା ମହିଳା ଏବେ ନ୍ୟାୟ ମାଗୁଛି। ଦେଢ ମାସରୁ ଊର୍ଦ୍ଧ୍ୱ ସମୟ ପରେ ବି ପୋଲିସ ମୃତା ମହିଳାଙ୍କ ପୋଷ୍ଟମର୍ଟମ ରିପୋର୍ଟକୁ ବି ସାର୍ବଜନୀନ କରୁନାହିଁ । ସେହିପରି ବୀରମିତ୍ରପୁର ଘଟଣାରେ ୧୩ ବର୍ଷିୟା ନାବାଳିକା ଝିଅର ଅସହାୟତାର ସୁଯୋଗ ନେଇ ଥାନା ଅଧିକୀରୀ ଥାନାର ଉପର ମହଲାରେ ମାସ ମାସ ଧରି ଦୁଷ୍କର୍ମ କରିବା ଅତ୍ୟନ୍ତ ନିନ୍ଦନୀୟ ଘଟଣା। ଥାନାବାବୁ ପୀଡ଼ିତା ନାବାଳିକାକୁ ଗର୍ଭବତୀ କରାଇବା ସହ ବେଆଇନ ଭାବେ ସରକାରୀ ଡାକ୍ତରଖାନାରେ ତାଙ୍କର ଗର୍ଭପାତ କରାଇଛନ୍ତି। ଏହି ଘଟଣାକୁ ବି ରାଜ୍ୟସରକାର ଘଂଟ ଘୋଡାଇବା ପାଇଁ ଉଦ୍ୟମ ଚଲାଇଛନ୍ତି।

ବୀରମିତ୍ରପୁର ଘଟଣାରେ ବିଜେପିର ପ୍ରତିନିଧି ଦଳ ପୀଡିତାକୁ ଭେଟିବା ପାଇଁ ଯିବା ସମୟରେ ମାତ୍ର ୫ ମିନିଟ ସମୟ ଦିଆଯାଇଥିଲ।। ପୀଡିତା ଜଣକ ଏତେ ଭୟଭୀତ ଥିଲେ ଯେ , ସେ ତାଙ୍କ ନାଁ ବି କହିବାକୁ ଭୟ କରିଥିଲେ। ପୀଡିତାଙ୍କ ଉପରେ ପୋଲିସର ଚାପ ଥିବାରୁ ସେ ପୂରା ଭୟଭୀତ ହୋଇପଡିଛନ୍ତି। ଏଭଳି ଏକ ଅଭାବନୀୟ ଘଟଣାରେ କେବଳ ଥାନା ଅଧିକାରୀଙ୍କୁ ନିଲମ୍ବନ କଲେ ହେବ ନାହିଁ। ଏହି ଘଟଣାକୁ ତଦନ୍ତ କରି ଦୋଷୀଙ୍କୁ ଜେଲ୍ ହାଜତକୁ ନପଠାଇବା ପର୍ଯ୍ୟନ୍ତ ବିଜେପି ଚୁପ୍ ବସିବ ନାହିଁ। ଏହି ଦୁଇଟି ଘଟଣାରେ ପୋଲିସର ସଂପୃକ୍ତି ଥିବା ଯୋଗୁଁ ଘଟଣାକୁ ଚପେଇ ଦିଆଯାଉଛି। ମାଲକାନଗିରି ଘଟଣାରେ ପୀଡିତାର ମୃତ୍ୟୁ ହେବା ପରେ ବି କୌଣସି ବରିଷ୍ଠ ପୋଲିସ ଅଧିକାରୀ ଦୋଷୀଙ୍କୁ ଧରିପାରିଲେ ନାହିଁ। ଏହି ଦୁଇଟି କେସରେ ପୀଡିତାଙ୍କୁ ନ୍ୟାୟ ନମିଳିବା ପର୍ଯ୍ୟନ୍ତ ଏ ଲଢେଇକୁ ବିଜେପି ଜାରି ରଖିବ। ରାଜ୍ୟସରକାର ଏ ଦୁଇଟି ଘଟଣାକୁ ଗୁରୁତର ସହ ନେଇ ଏସଆଇଟି ଗଠନ କରି ସ୍ଥାନୀୟ ପୋଲିସଙ୍କୁ ବାଦ ଦେଇ ତଦନ୍ତ କରିବାକୁ ଶ୍ରୀ ହରିଚନ୍ଦନ ଦାବି କରିଛନ୍ତି। ଆଗାମୀ ଦିନରେ ରାଜ୍ୟ ଉପସଭାନେତ୍ରୀ ପ୍ରଭାତି ପରିଡାଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ମାଲକାନଗିରି ଏବଂ ରାଜ୍ୟ ସଂପାଦିକା ଲେଖାଶ୍ରୀ ସାମନ୍ତସିଂହାର ଏବଂ ବିଧାୟକ ଶଙ୍କର ଓରାମଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ବୀରମିତ୍ରପୁର ଯାଇ ଘଟଣାର ସକଜମିନ ତଦନ୍ତ କରିବେ । ଆବଶ୍ୟକ ପଡ଼ିଲେ ଏହି ଘଟଣା ସଂପର୍କରେ ଆମେ କେନ୍ଦ୍ର ମହିଳା କମିଶନ ଏବଂ କେନ୍ଦ୍ର ସରକାରଙ୍କୁ ଜଣାଇବୁ ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି।

ଏହି ସାମ୍ବାଦିକ ସମ୍ମିଳନୀରେ ବିଧାୟକ ଶ୍ରୀ ଓରାମ, ପ୍ରଭାତୀ ପରିଡା, ଲେଖାଶ୍ରୀ ସାମନ୍ତସିଂହାର, ସୁଦୀପ୍ତ ରାୟ ଓ ସୋନାଲୀ ସାହୁ, ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ସ୍ମୃତି ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।

Related story