ସରିଲା ବିଧାନସଭା ବଜେଟ୍ ଅଧିବେଶନ, ଆସିଲେନି ଗୃହର ନେତା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଶ୍ୱ ମହାମାରୀ ‘କରୋନା’ ସଂକ୍ରମଣ ଆଶଙ୍କା ମଧ୍ୟରେ ବିଧାନସଭାର ବଜେଟ୍ ଅଧିବେଶନ ଆଜି ସମାପ୍ତ ହୋଇଛି। ଆଜି ସ୍ୱଳ୍ପ ସମୟ ପାଇଁ ବସିଥିବା ବିଧାନସଭାର ବଜେଟ୍ ଅଧିବେଶନରେ ୪୨ଟି ବିଭାଗର ଖର୍ଚ୍ଚଦାବିକୁ ଗିଲୋଟିନ୍ ମାଧ୍ୟମରେ ଗୃହୀତ କରାଯିବା ସହ ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ବ୍ୟୟମଞ୍ଜୁରୀ ବିଲକୁ ମଧ୍ୟ ସର୍ବସମ୍ମତିରେ ଗୃହୀତ କରାଯାଇଛି। କରୋନା ସଂକ୍ରମଣ ରୋକିବା ପାଇଁ ଦେଶବ୍ୟାପୀ ଲକଡାଉନ୍ କଡ଼ାକଡ଼ି ପାଳନ ହେଉଥିଲେ ମଧ୍ୟ ପ୍ରାୟ ଏକ ତୃତୀୟାଂଶ ବିଧାୟକ ଉପସ୍ଥିତ […]

The-budget-session-of-the-Legislative-Assembly-is-over

The-budget-session-of-the-Legislative-Assembly-is-over

Manoranjan Sial
  • Published: Monday, 30 March 2020
  • Updated: 30 March 2020, 06:51 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଶ୍ୱ ମହାମାରୀ ‘କରୋନା’ ସଂକ୍ରମଣ ଆଶଙ୍କା ମଧ୍ୟରେ ବିଧାନସଭାର ବଜେଟ୍ ଅଧିବେଶନ ଆଜି ସମାପ୍ତ ହୋଇଛି। ଆଜି ସ୍ୱଳ୍ପ ସମୟ ପାଇଁ ବସିଥିବା ବିଧାନସଭାର ବଜେଟ୍ ଅଧିବେଶନରେ ୪୨ଟି ବିଭାଗର ଖର୍ଚ୍ଚଦାବିକୁ ଗିଲୋଟିନ୍ ମାଧ୍ୟମରେ ଗୃହୀତ କରାଯିବା ସହ ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ବ୍ୟୟମଞ୍ଜୁରୀ ବିଲକୁ ମଧ୍ୟ ସର୍ବସମ୍ମତିରେ ଗୃହୀତ କରାଯାଇଛି। କରୋନା ସଂକ୍ରମଣ ରୋକିବା ପାଇଁ ଦେଶବ୍ୟାପୀ ଲକଡାଉନ୍ କଡ଼ାକଡ଼ି ପାଳନ ହେଉଥିଲେ ମଧ୍ୟ ପ୍ରାୟ ଏକ ତୃତୀୟାଂଶ ବିଧାୟକ ଉପସ୍ଥିତ ଥିଲେ । କିନ୍ତୁ ଆଜି ବ୍ୟୟମଞ୍ଜୁରୀ ବିଲ୍ ଗୃହୀତ ହେବା ଓ ବିଧାନସଭା ଅଧିବେଶନ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ହୋଇଥିଲେ ମଧ୍ୟ ଗୃହର ନେତା ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁପସ୍ଥିତ ରହିଥିଲେ। ଫେବୃୟାରୀ ୧୪ରୁ ଏପ୍ରିଲ ୯ତାରିଖ ପର୍ଯ୍ୟନ୍ତ ଦୁଇଟି ପର୍ଯ୍ୟାୟରେ ୩୧ଦିନ ବସିବାକୁ ଥିବା ବଜେଟ୍ ଅଧିବେଶନ ମାତ୍ର ୧୩ଦିନରେ ସମାପ୍ତ ହୋଇଛି।

ବିଧାନସଭା ସଚିବାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଓଡ଼ିଶା ବିଧାନସଭା ଇତିହାସରେ ପ୍ରଥମଥର ପାଇଁ ବ୍ୟୟମଞ୍ଜୁରୀ ବିଲ୍ ଗୃହୀତ କରିବା ଓ ବିଧାନସଭାକୁ ମୁଲତବୀ କରିବା ନିମନ୍ତେ ଗୃହର ଅଧିବେଶନ ବିଧାନସଭା ପରିସର ବାହାରେ ଆୟୋଜିତ ହୋଇଥିଲା। ଲୋକସେବା ଭବନର କନଭେନ୍ସନ ହଲରେ ଆୟୋଜିତ ବିଧାନସଭାର ଏକ ସ୍ୱତନ୍ତ୍ର ସ୍ୱଳ୍ପ ଅଧିବେଶନରେ ବିିଭିନ୍ନ ଦଳର ବିଧାୟକମାନେ ଉପସ୍ଥିତ ରହି ବ୍ୟୟମଞ୍ଜୁରୀ ବିଲକୁ ଗୃହୀତ କରାଇଥିଲେ। ରାଜ୍ୟରେ କରୋନା ସଂକ୍ରମଣକୁ ନେଇ ସରକାର ବ୍ୟାପକ ପଦକ୍ଷେପ ନେଇଥିବାରୁ ଏପ୍ରିଲ ମାସ ପୂର୍ବରୁ ଏଭଳି ସ୍ଥିତିରେ ଅର୍ଥ ବିଲକୁ ମଞ୍ଜୁରୀ ଦେବା ଜରୁରୀ ବୋଲି ଦଳମତ ନିର୍ବିଶେଷରେ କୁହାଯାଇଥିଲା।

ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଆଜି ୨୦୨୦-୨୧ ଆର୍ଥିକ ବର୍ଷ ନିମନ୍ତେ ୧ଲକ୍ଷ ୫୫ହଜାର ୯୬୩ କୋଟି ୨୬ଲକ୍ଷ ୮୧ହଜାର ଟଙ୍କାର ବ୍ୟୟମଞ୍ଜୁରୀ ବିଲ୍ ଗୃହର ଅନୁମୋଦନ ପାଇଁ ଉପସ୍ଥାପନ କରିଥିଲେ। ଏହା ଉପରେ ସ୍ୱଳ୍ପ ସମୟର ଆଲୋଚନାରେ ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାଏକ, କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ପ୍ରମୁଖ ଅଂଶଗ୍ରହଣ କରିଥିଲେ। ଆଲୋଚନା ପରେ ଏହା ଗୃହର ଅନୁମୋଦନ ଲାଭ କରିଥିଲା। ଆଜି ଆରମ୍ଭରୁ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ପ୍ରଶ୍ନକାଳକୁ ବାତିଲ କରିବା ସହ ୧୫ଦିନ ପାଇଁ ଗୃହକୁ ମୁଲତବୀ କରିଥିଲେ। ପରେ ଗୃହ କାର୍ଯ୍ୟ ଆରମ୍ଭ ହୋଇ ଗିଲୋଟିନ୍ ପ୍ରସ୍ତାବ ଗୃହୀତ ହେବା ସହ ବ୍ୟୟମଞ୍ଜୁରୀ ବିଲ୍ ଉପସ୍ଥାପନ, ଆଲୋଚନା ଓ ପାରିତ ହୋଇଥିଲା। ଏହାପରେ ବିଧାନସଭା ବଜେଟ୍ ଅଧିବେଶନର କାର୍ଯ୍ୟକାଳ ଆସନ୍ତା ଏପ୍ରିଲ ୯ତାରିଖ ପର୍ଯ୍ୟନ୍ତ ଥିବାବେଳେ ସରକାରୀ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ଗୃହକୁ ମୁଲତବୀ ରଖିବା ପାଇଁ ପ୍ରସ୍ତାବ ଆଗତ କରିଥିଲେ। ଗୃହର ସହମତି ପରେ ବାଚସ୍ପତି ଶ୍ରୀ ପାତ୍ର ନିଜର ବିଦାୟୀ ଅଭିଭାଷଣ ପରେ ଗୃହକୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ମୁଲତବୀ ଘୋଷଣା କରିଥିଲେ।

ସୂଚନାଯୋଗ୍ୟ, ଫେବୃୟାରୀ ୧୪ରୁ ବିଧାନସଭାର ବଜେଟ୍ ଅଧିବେଶନ ଆରମ୍ଭ ହୋଇ ପ୍ରଥମ ପର୍ଯ୍ୟାୟରେ ମାତ୍ର ୯ଦିନ ଚାଲିଥିଲା। ଦ୍ୱିତୀୟ ପର୍ଯ୍ୟାୟରେ ମାର୍ଚ୍ଚ ୧୧ରୁ ବିଧାନସଭା ଅଧିବେଶନ ଆରମ୍ଭ ହୋଇଥିଲେ ମଧ୍ୟ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ମାର୍ଚ୍ଚ ୧୩ତାରିଖରେ ସରକାରୀ ଦଳର ପ୍ରସ୍ତାବ ଆଧାରରେ ଗୃହକୁ ପୁଣିଥରେ ବାଚସ୍ପତି ଶ୍ରୀ ପାତ୍ର ମୁଲତବୀ ଘୋଷଣା କରିଥିଲେ। ତେବେ ଫେବୃୟାରୀ ୧୮ତାରିଖରେ ଆଗତ ହୋଇଥିବା ୨୦୨୦-୨୧ ଆର୍ଥିକ ବର୍ଷର ବଜେଟକୁ ଏପ୍ରିଲ ୧ତାରିଖ ପୂର୍ବରୁ ବିଧାନସଭାର ମଞ୍ଜୁରୀ ମିଳିବା ଜରୁରୀ ଥିବାରୁ ଆଜି ବିଧାନସଭାର ଅଧିôବେଶନ ବସିଥିଲା। ଗୃହର ନେତା ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ୱରରେ ଥାଇ ମଧ୍ୟ ବଜେଟ୍ ଅଧିବେଶନରେ ସାମିଲ ହୋଇନଥିଲେ। କେଉଁ କାରଣରୁ ମୁଖ୍ୟମନ୍ତ୍ରୀ ଅନୁପସ୍ଥିତ ରହିଲେ ସେ ନେଇ ତାଙ୍କ କାର୍ଯ୍ୟାଳୟ କିମ୍ବା ଦଳ ପକ୍ଷରୁ କୌଣସି ସୂଚନା ଦିଆଯାଇ ନାହିିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos