କେନ୍ଦ୍ର ଓ ରାଜ୍ୟ ସରକାର ବିଫଳ, ବର୍ଷିଲେ ୧୨ ରାଜନୀତିକ ଦଳ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ମହାମାରୀର ମୁକାବିଲା କରିବାରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ବିଫଳ ହୋଇଛନ୍ତି ବୋଲି ରାଜ୍ୟର ୧୨ଟି ବିରୋଧୀ ରାଜନୀତିକ ଦଳ ଅଭିଯୋଗ କରିଛନ୍ତି। ଭୁବନେଶ୍ୱରରେ ୧୨ଟି ରାଜନୀତିକ ଦଳର ନେତାମାନେ ଏକଜୁଟ ହୋଇ କରୋନା ମହାମାରୀ ମୁକାବିଲା ଦିଗରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଫଳତା ଓ ରାଜ୍ୟରେ ମହାମାରୀରେ ମହାଦୁର୍ନୀତିକୁ କଡ଼ା ଭାଷାରେ ସମାଲୋଚନା କରିଛନ୍ତି। ଏହାସହିତ ଆସନ୍ତା ୨୬ତାରିଖରେ ଭୁବନେଶ୍ୱରରେ ଏକ ପ୍ରତିବାଦ କାର୍ଯ୍ୟକ୍ରମ ନିମନ୍ତେ ଏହି ସମସ୍ତ […]

congress

Manoranjan Sial
  • Published: Thursday, 18 June 2020
  • , Updated: 18 June 2020, 07:42 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ମହାମାରୀର ମୁକାବିଲା କରିବାରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ବିଫଳ ହୋଇଛନ୍ତି ବୋଲି ରାଜ୍ୟର ୧୨ଟି ବିରୋଧୀ ରାଜନୀତିକ ଦଳ ଅଭିଯୋଗ କରିଛନ୍ତି। ଭୁବନେଶ୍ୱରରେ ୧୨ଟି ରାଜନୀତିକ ଦଳର ନେତାମାନେ ଏକଜୁଟ ହୋଇ କରୋନା ମହାମାରୀ ମୁକାବିଲା ଦିଗରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଫଳତା ଓ ରାଜ୍ୟରେ ମହାମାରୀରେ ମହାଦୁର୍ନୀତିକୁ କଡ଼ା ଭାଷାରେ ସମାଲୋଚନା କରିଛନ୍ତି। ଏହାସହିତ ଆସନ୍ତା ୨୬ତାରିଖରେ ଭୁବନେଶ୍ୱରରେ ଏକ ପ୍ରତିବାଦ କାର୍ଯ୍ୟକ୍ରମ ନିମନ୍ତେ ଏହି ସମସ୍ତ ଦଳ ନିଷ୍ପତ୍ତି ନେଇଛନ୍ତି।

ସାଧାରଣ ନିର୍ବାଚନ ପରେ ପ୍ରଥମଥର ପାଇଁ ରାଜ୍ୟରେ କଂଗ୍ରେସ ନେତୃତ୍ୱରେ ଛୋଟଛୋଟ ଦଳଗୁଡ଼ିକ ଏକଜୁଟ ହୋଇ ସରକାରଙ୍କ କରୋନା ମୁକାବିଲା ଓ ପରିଚାଳନାଗତ ତ୍ରୁଟି ଯୋଗୁ ଏବେ ସଂକ୍ରମଣ ବଢ଼ୁଛି ତଥା ସାଧାରଣ ଲୋକମାନେ ଚରମ ଦୁର୍ଦ୍ଦିନ ଭିତରକୁ ଠେଲି ହୋଇଯାଉଛନ୍ତି ବୋଲି କହିଛନ୍ତି। କଂଗ୍ରେସ, ସିପିଆଇ, ସିପିଏମ, ସମାଜବାଦୀ ପାର୍ଟି, ଆରଜେଡି, ଫରୱାର୍ଡ ବ୍ଲକ , ଆମ ଆଦମୀ ପାର୍ଟି, କଳିଙ୍ଗ ସେବା, ଏନସିପି, ସିପିଆଇଏମଏଲ୍ , ସିପିଆଇଏମଏଲ (ରେଡ୍ ଫ୍ଲାଗ୍ ) ଆଦି ଦଳ ଏକଜୁଟ ହୋଇ କହିଛନ୍ତି ଯେ, କେନ୍ଦ୍ରରେ କ୍ଷମତାସୀନ ନରେନ୍ଦ୍ର ମୋଦି ସରକାର ତରବରିଆ ଓ ବିବେକଶୂନ୍ୟ ଭାବେ ଦେଶରେ ଲକଡାଉନ ଘୋଷଣା କଲେ। ଯେଉଁଥିପାଇଁ ଦେଶର ଲକ୍ଷଲକ୍ଷ ଲୋକ ଚରମ ଦୁର୍ଦ୍ଦିନ ଭିତରକୁ ଠେଲି ହୋଇଗଲେ। ବିଶେଷକରି ପ୍ରବାସୀ ଶ୍ରମିକମାନେ ଅକଥନୀୟ ଦୁଃଖ ଓ ନିର୍ଯାତନାର ଶିକାର ହେଲେ। ଭୋକଉପସାରେ ରାସ୍ତାରେ ଚାଲି ଚାଲି ଗଲାବେଳେ ଅନେକ ଟଳିପଡ଼ିଲେ ଅବା ଟ୍ରେନ ଓ ବସ୍ ଚକ ତଳେ ଚାପି ହୋଇଗଲେ। ୪-୫ମାସ ଧରି ଲକଡାଉନ୍ ଯୋଗୁ କୋଟିକୋଟି ଲୋକଙ୍କ ଜୀବିକା ଆଜି ବିପନ୍ନ। କଳକାରଖାନା, ଛୋଟବଡ଼ ଉଦ୍ୟୋଗ, ବ୍ୟବସାୟିକ ପ୍ରତିଷ୍ଠାନ ଇତ୍ୟାଦି ବନ୍ଦ ହୋଇଯିବା ଯୋଗୁ କୋଟିକୋଟି ଲୋକ ଚାକିରି ହରାଇଛନ୍ତି। ସାଧାରଣ ଲୋକ ଓ ଦେଶର ଆର୍ôଥକ ଅବସ୍ଥା ଶୋଚନୀୟ ହୋଇପଡ଼ିଛି। ମୋଦି ସରକାରଙ୍କ ଅକ୍ଷମଣୀୟ ଦୂରଦୃଷ୍ଟିହୀନତା ଏଥିପାଇଁ ଦାୟୀ ବୋଲି ବିରୋଧୀ ଦଳଗୁଡ଼ିକ ଅଭିଯୋଗ କରିଛନ୍ତି।

ସେହିପରି ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କ ଢାଂଚାରେ କରୋନା ମହାମାରୀ ପରିଚାଳନା କରି ଓଡ଼ିଶାବାସୀଙ୍କୁ ମଧ୍ୟ ଦୁର୍ଦ୍ଦିନ ଭିତରକୁ ଠେଲି ଦେଇଛନ୍ତି। କରୋନା କବଳରୁ ଜୀବନକୁ ରକ୍ଷା କରିବାର ଆହ୍ୱାନ ଦେଇଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାସ୍ତବରେ ଏହି ମହାମାରୀକୁ ମୁକାବିଲା କରିବା କ୍ଷେତ୍ରରେ ଆନ୍ତରିକତା ଦେଖାଇ ନାହାନ୍ତି। ଏପ୍ରିଲ ୨୮ତାରିଖରେ ଦିନକୁ ୧୫ହଜାର ଟେଷ୍ଟିଂ କରିବାର ଘୋଷଣା ମୁଖ୍ୟମନ୍ତ୍ରୀ କରିଥିଲେ। କିନ୍ତୁ ଏବେ ଦିନକୁ ୩ହଜାର କୋଭିଡ୍ ଟେଷ୍ଟିଂ ମଧ୍ୟ ହେଉନାହିଁ। ଅନ୍ୟ ରାଜ୍ୟରୁ ଫେରିଥିବା ପ୍ରବାସୀ ଓଡ଼ିଆ ବିଶେଷକରି ପ୍ରବାସୀ ଶ୍ରମିକମାନଙ୍କର କୋଭିଡ୍ ଟେଷ୍ଟିଂକୁ ଅଣଦେଖା କରାଯାଉଛି। ସେମାନେ ଟେଷ୍ଟିଂ କରିବାକୁ ଅନୁରୋଧ କଲେ ମଧ୍ୟ ତାହା ନକରି ସେମାନଙ୍କୁ ଘରକୁ ପଠାଇ ଦିଆଯାଉଛି। ଫଳରେ ଗୋଷ୍ଠୀ ସଂକ୍ରମଣ ରାଜ୍ୟରେ ଆରମ୍ଭ ହୋଇଗଲାଣି। ଏହା ରାଜ୍ୟ ସରକାରଙ୍କ ଚରମ ଅବହେଳା ଓ ଧର୍ତ୍ତବ୍ୟ ଅପରାଧ। ସେହିପରି ମହାମାରୀ ସମୟରେ କରେନା ମୁକାବିଲା ପାଇଁ ସାମଗ୍ରୀ କିଣାରେ ମହାଦୁର୍ନୀତିରେ ରାଜ୍ୟ ସରକାର ଲିପ୍ତ ରହିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଓ ନିନ୍ଦନୀୟ। ମାସ୍କ, ପିପିଇ, ଟେଷ୍ଟିଂ କିଟ୍ , ମେସିନ୍ ଓ ଯନ୍ତ୍ରପାତି କିଣାରେ ଓଡ଼ିଶା ଔଷଧ ନିଗମ ଦୁର୍ନୀତି ଓ କେଳେଙ୍କାରୀରେ ବୁଡ଼ି ରହିଛି। ଏହାର ପ୍ରତିବାଦରେ ରାଜଧାନୀରେ ଆସନ୍ତା ୨୬ତାରିଖରେ ଏକ ପ୍ରତିବାଦ ପ୍ରଦର୍ଶନ କାର୍ଯ୍ୟକ୍ରମର ଆୟୋଜନ କରିବାକୁ ବୈଠକରେ ନିଷ୍ପତ୍ତି ହୋଇଛି।
ଏହି ବୈଠକରେ ବିଭିନ୍ନ ଦଳର ନେତା ଯଥା ନିରଞ୍ଜନ ପଟ୍ଟନାୟକ, ରାମଚନ୍ଦ୍ର ଖୁଣ୍ଟିଆ, ପଂଚାନନ କାନୁନଗୋ, ଜନାର୍ଦ୍ଦନ ପତି, ଅଳି କିଶୋର ପଟ୍ଟନାୟକ, ଆଶିଷ କାନୁନଗୋ, ରାମକୃଷ୍ଣ ପଣ୍ଡା, ଯୁଧିଷ୍ଠିର ମହାପାତ୍ର, ହରିଶ ମହାପାତ୍ର, ତାରାପ୍ରସାଦ ବାହିନୀପତି, ସୁଦର୍ଶନ ଦାସ, ଜ୍ୟୋତିପ୍ରକାଶ ମହାପାତ୍ର, ନିଶିକାନ୍ତ ମହାପାତ୍ର, ଅଶୋକ ପ୍ରଧାନ, ରାଧାକାନ୍ତ ସେଠୀ, ମହେନ୍ଦ୍ର ପରିଡ଼ା, ସୁଦର୍ଶନ ପ୍ରଧାନ, ଜ୍ୟୋତିରଞ୍ଜନ ମହାପାତ୍ର, ସତୀଶ ରଞ୍ଜନ ସାହୁ ପ୍ରମୁଖ ନେତାମାନେ ବୈଠକରେ ସାମିଲ ହୋଇଥିଲେ।

Related story