‘କରୋନା’ ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ଆସିଛି ୫୮୦ କୋଟି, ବଣ୍ଟା ହେଉନି କ୍ୱାରେଣ୍ଟାଇନ ଭତ୍ତା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ମହାମାରୀ ବ୍ୟାପିବାପରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠି(ସିଏମଆରଏଫ)କୁ ୫୮୦.୧୩ କୋଟି ଟଙ୍କା ଦାନ ମିଳିଛି। ଏଥିରୁ ଜୁନ୍ ୮ତାରିଖ ସୁଦ୍ଧା ୧୭୮.୩୪ କୋଟି ଟଙ୍କା ଖର୍ଚ୍ଚ ପାଇଁ ବିିଭିନ୍ନ ବିଭାଗ ଓ ଜିଲ୍ଲାକୁ ଦିଆଯାଇଥିଲେ ମଧ୍ୟ ଗାଁ ଗହଳିରେ କ୍ୱାରେଣ୍ଟାଇନରେ ରହିଥିବା ପ୍ରବାସୀ ଶ୍ରମିକମାନଙ୍କୁ ଏପର୍ଯ୍ୟନ୍ତ ସରକାର ଘୋଷଣା ଅନୁସାରେ ୨ହଜାର ଟଙ୍କା ସହାୟତା ଦେଇନଥିବା ଜଣାପଡ଼ିଛି। ଯଦିଓ କ୍ୱାରେଣ୍ଟାଇନରେ ରହୁଥିବା ପ୍ରବାସୀଙ୍କୁ ୨ହଜାର ଟଙ୍କା ସହାୟତା ଦେବା ନିମନ୍ତେ ମୁଖ୍ୟମନ୍ତ୍ରୀ ରିଲିଫ […]

covid

Manoranjan Sial
  • Published: Saturday, 20 June 2020
  • , Updated: 20 June 2020, 06:40 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ମହାମାରୀ ବ୍ୟାପିବାପରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠି(ସିଏମଆରଏଫ)କୁ ୫୮୦.୧୩ କୋଟି ଟଙ୍କା ଦାନ ମିଳିଛି। ଏଥିରୁ ଜୁନ୍ ୮ତାରିଖ ସୁଦ୍ଧା ୧୭୮.୩୪ କୋଟି ଟଙ୍କା ଖର୍ଚ୍ଚ ପାଇଁ ବିିଭିନ୍ନ ବିଭାଗ ଓ ଜିଲ୍ଲାକୁ ଦିଆଯାଇଥିଲେ ମଧ୍ୟ ଗାଁ ଗହଳିରେ କ୍ୱାରେଣ୍ଟାଇନରେ ରହିଥିବା ପ୍ରବାସୀ ଶ୍ରମିକମାନଙ୍କୁ ଏପର୍ଯ୍ୟନ୍ତ ସରକାର ଘୋଷଣା ଅନୁସାରେ ୨ହଜାର ଟଙ୍କା ସହାୟତା ଦେଇନଥିବା ଜଣାପଡ଼ିଛି। ଯଦିଓ କ୍ୱାରେଣ୍ଟାଇନରେ ରହୁଥିବା ପ୍ରବାସୀଙ୍କୁ ୨ହଜାର ଟଙ୍କା ସହାୟତା ଦେବା ନିମନ୍ତେ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ଗତ ମାସ ୨୮ତାରିଖରୁ ୬୨କୋଟି ଟଙ୍କା ପଞ୍ଚାୟତିରାଜ ବିଭାଗକୁ ହସ୍ତାନ୍ତର ହୋଇଛି।

ସୂଚନା ଅଧିକାର ଆଇନ ବଳରେ ମିଳିଥିବା ତଥ୍ୟ ଅନୁସାରେ କୋଭିଡ-୧୯ ମହାମାରୀ ସଙ୍କଟ ଦେଖାଦେବାପରେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ବିଭିନ୍ନ ସୂତ୍ରରୁ କେବଳ କରୋନା ମୁକାବିଲା ନିମନ୍ତେ ମୋଟ ୫୮୦ କୋଟି ୧୩ଲକ୍ଷ ୭୮ହଜାର ୭୬୭ଟଙ୍କା ଦାନ ମିଳିଥିଲା। ଜୁନ୍ ୮ତାରିଖ ପର୍ଯ୍ୟନ୍ତ ମିଳିଥିବା ଏହି ଅର୍ଥରୁ ରାଜ୍ୟ ସରକାର ସମସ୍ତ ଜିଲ୍ଲାପାଳଙ୍କୁ ମାର୍ଚ୍ଚ ୨୪ରେ ୪୪.୫୦କୋଟି ଟଙ୍କା ଦେଇଥିବାବେଳେ ଓଡ଼ିଶା ପୁଲିସକୁ ମାର୍ଚ୍ଚ ୩୦ତାରିଖରେ ୧୫କୋଟି ଟଙ୍କା ଦେଇଛନ୍ତି। ଏହାପରେ କରୋନା ସ୍ଥିତି ମୁକାବିଲା ପାଇଁ ୬ଟି ଜିଲ୍ଲାକୁ ୩୧କୋଟି ଟଙ୍କା ଅତିରିକ୍ତ ପ୍ରଦାନ କରାଯାଇଛି । ପ୍ରଥମ ପର୍ଯ୍ୟାୟରେ ସମସ୍ତ ଜିଲ୍ଲାକୁ ମାର୍ଚ୍ଚ ୨୪ତାରିଖରେ ସହାୟତା ଦିଆଯାଇଥିଲା। ପରେ ମେ’ ୧୩ତାରିଖରେ ଗଞ୍ଜାମ ଜିଲ୍ଲାକୁ ୨୦କୋଟି, ମାଲକାନଗିରିକୁ ମେ’ ୨୭ରେ ୨କୋଟି, କନ୍ଧମାଳ ଜିଲ୍ଲାକୁ ଜୁନ୍ ୩ତାରିଖରେ ୧କୋଟି, ବଲାଙ୍ଗିରକୁ ଜୁନ୍ ୫ରେ ୨କୋଟି ଟଙ୍କା, ଖୋର୍ଦ୍ଧା ଜିଲ୍ଲାକୁ ଜୁନ୍ ୮ରେ ୫କୋଟି ଟଙ୍କା ଓ ନୂଆପଡ଼ାକୁ ୧କୋଟି ଟଙ୍କା ଅଧିକ ସହାୟତା ଦିଆଯାଇଛି।

ତେବେ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ପଞ୍ଚାୟତିରାଜ ବିଭାଗକୁ ମେ’ ୨୮ରେ ଦିଆଯାଇଥିବା ୬୦କୋଟି ଓ ନଗର ଉନ୍ନୟନ ବିଭାଗକୁ ୨କୋଟି ଟଙ୍କା ଏପର୍ଯ୍ୟନ୍ତ ବିଭାଗ ପାଖରେ ପଡ଼ି ରହିଛି । ଏହି ୬୨କୋଟି ଟଙ୍କା ଅର୍ଥକୁ କ୍ୱାରେଣ୍ଟାଇନରେ ରହୁଥିବା ବ୍ୟକ୍ତିଙ୍କୁ ପ୍ରୋତ୍ସାହନ ରାଶି ଭାବେ ୨ହଜାର ଟଙ୍କା ଦେବାକୁ କୁହାଯାଇଥିଲା। କିନ୍ତୁ କ୍ୱାରେଣ୍ଟାଇନରେ ଏବେ ପ୍ରାୟ ୩ଲକ୍ଷ ଲୋକ ରହି ସାରିଥିବାବେଳେ ସରକାର ନିଜେ ଘୋଷଣା କରିଥିବା ସହାୟତା ରାଶି(୨ହଜାର ଟଙ୍କା) କାହିଁକି ଦେଉନାହାନ୍ତି ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଯଦିଓ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଏହି ଅର୍ଥ ପ୍ରଦାନ କରାଯାଇ ସାରିଛି।

ଏସବୁ ବ୍ୟତୀତ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ରାସ୍ତାକଡ଼ ବ୍ୟବସାୟୀଙ୍କୁ ସହାୟତା ବାବଦରେ ନଗର ଉନ୍ନୟନ ବିଭାଗକୁ ମାର୍ଚ୍ଚ ୩୧ରେ ୧୯କୋଟି ଟଙ୍କା ଦିଆଯାଇଛି। ବୁଲା ପଶୁଜନ୍ତୁଙ୍କୁ ଖାଇବାକୁ ଦେବା ନିମନ୍ତେ ୧.୩୪କୋଟି ଟଙ୍କା ରିଲିଫ ପାଣ୍ଠିରୁ ଦିଆଯାଇଥିବାବେଳେ ଶ୍ରମିକ ଏକ୍ସପ୍ରେସ୍ ଟ୍ରେନରେ ଟିକେଟ୍ ନିମନ୍ତେ ୫.୫୦କୋଟି ଟଙ୍କା ପୂର୍ବତଟ ରେଳବାଇକୁ ଦିଆଯାଇଛି ବୋଲି ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Related story