ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଏବେ କରୋନା ସ୍ଥିତିରେ ସୁଧାର ଆସୁଛି। ମେ’ ୧୫ରୁ ୨୫ ପର୍ଯ୍ୟନ୍ତ କରୋନା ପଜିଟିଭ୍ ପିକ୍ରେ ଥିଲା । ତା’ ପରଠାରୁ କମିବା ଆରମ୍ଭ କରିଛି ବୋଲି ଆଇଏଲଏସ ନିର୍ଦ୍ଦେଶକ ଅଜୟ ପରିଡା ସୂଚନା ଦେଇଛନ୍ତି। ଭୁବନେଶ୍ୱର, କଟକ ଓ ଢେଙ୍କାନାଳରେ ସଂକ୍ରମଣ ଅଧିକ ରହିଛି। ଆଉ ୧୦ରୁ ୧୫ ଦିନ ଭିତରେ ସୁଧାର ଆସିବ।
ମୃତ୍ୟୁ ହାରରେ ଜାତୀୟ ସ୍ତରଠାରୁ ଆମ ରାଜ୍ୟରେ ସ୍ଥିତି ବହୁତ ଭଲ ରହିଛି। କୋଭିଡ୍ ଆକ୍ରାନ୍ତଙ୍କ ଅନ୍ୟ ରୋଗ ଥିବାରୁ ମୃତ୍ୟୁ ସଂଖ୍ୟା ବଢୁଛି । ବର୍ତ୍ତମାନ ଦେଶରେ B1.617.2 ଭୂତାଣୁ ଦେଖାଦେଇଛି । ୬୦ ପ୍ରତିଶତ ଲୋକଙ୍କୁ ଏହି ଭୂତାଣୁ ସଂକ୍ରମିତ କରୁଛି । ପ୍ରଥମ ଲହରରେ B1.617.1 ଭୂତାଣୁ ଦେଖାଦେଇଥିଲା। ତାହା ଏବେ ନିଷ୍କ୍ରିୟ ଅବସ୍ଥାକୁ ଯାଇଛି ।
ରାଜ୍ୟରେ ବ୍ଲାକ ଫଙ୍ଗସ୍ ର ସଂକ୍ରମଣ ନିୟନ୍ତ୍ରିତ ଷ୍ଟେଜରେ ରହିଛି। ରାଜ୍ୟରେ ଏବେ ବହୁତ କମ ରି-ଇନଫେକସନ ରହୁଛି। ଟିକା ନେବା ପରେ ଯେଉଁମାନେ ସଂକ୍ରମିତ ହେଉଛନ୍ତି ସେମାନଙ୍କ କେସକୁ ଅନୁଧ୍ୟାନ କରାଯାଉଛି । ଏଥିସହ ସମ୍ଭାବ୍ୟ ତୃତୀୟ ଲହର ପାଇଁ ପ୍ରସ୍ତୁତି ଚାଲିଛି । ତୃତୀୟ ଲହର ପ୍ରଭାବ କେମିତି ରହିବ ତିନିଟି ଦିଗ ଉପରେ ନିର୍ଭର କରିବ । ସେଗୁଡିକ ହେଲା କୋଭିଡ୍ ନିୟମକୁ ମାନିବା, ଟିକା କରଣ ଓ ଭାଇରସର ପରିବର୍ତ୍ତନ ରୂପ। ତୃତୀୟ ଲହରରେ କେବଳ ଶିଶୁମାନେ ନୁହେଁ ଅନ୍ୟମାନେ ମଧ୍ୟ ସଂକ୍ରମିତ ହୋଇପାରନ୍ତି ବୋଲି ଆଇଏଲଏସ ନିର୍ଦ୍ଦେଶକ ଅଜୟ ପରିଡା କହିଛନ୍ତି ।