ଶେଷ ଆଶା ସୁପ୍ରିମକୋର୍ଟ: ରଥଯାତ୍ରା ପାଇଁ ୮ ପିଟିସନ୍‌ ଉପରେ ସଭିଁଙ୍କ ନଜର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସବୁ ନିରାଶା ଭିତରେ ମହାପ୍ରଭୁଙ୍କ ଘୋଷଯାତ୍ରାକୁ ନେଇ ଆଶା ବଢିଛି।  ରଥଯାତ୍ରା ବନ୍ଦ ରାୟ ପରେ ଏହାର ପୁନର୍ବିଚାର ପାଇଁ ସୁପ୍ରିମକୋର୍ଟରେ ଏହା ଭିତରେ ୮ଟି ପିଟିସନ ଦାଖଲ ହେଲାଣି। ଯେଉଁ ସୁପ୍ରିମକୋର୍ଟ ରଥଯାତ୍ରାକୁ ସ୍ଥଗିତ କରିବାର ରାୟ ଦେଇଥିଲେ ଏବେ ସେହି ସୁପ୍ରିମକୋର୍ଟଙ୍କ ଉପରେ କୋଟି କୋଟି ଜଗନ୍ନାଥପ୍ରେମୀଙ୍କ ନଜର। ଜଗତ ଜନଙ୍କୁ ଦର୍ଶନ ଦେବାକୁ ବଡ଼ଦାଣ୍ଡକୁ ଓହ୍ଲେଇବେ କି ଜଗତ ଠାକୁର? ଗଡ଼ିବ କି ରଥ ଚକ? କାରଣ ସର୍ବୋଚ୍ଚକୋର୍ଟଙ୍କ ରାୟ […]

mahabahu

Manoranjan Sial
  • Published: Saturday, 20 June 2020
  • , Updated: 20 June 2020, 08:08 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସବୁ ନିରାଶା ଭିତରେ ମହାପ୍ରଭୁଙ୍କ ଘୋଷଯାତ୍ରାକୁ ନେଇ ଆଶା ବଢିଛି।  ରଥଯାତ୍ରା ବନ୍ଦ ରାୟ ପରେ ଏହାର ପୁନର୍ବିଚାର ପାଇଁ ସୁପ୍ରିମକୋର୍ଟରେ ଏହା ଭିତରେ ୮ଟି ପିଟିସନ ଦାଖଲ ହେଲାଣି। ଯେଉଁ ସୁପ୍ରିମକୋର୍ଟ ରଥଯାତ୍ରାକୁ ସ୍ଥଗିତ କରିବାର ରାୟ ଦେଇଥିଲେ ଏବେ ସେହି ସୁପ୍ରିମକୋର୍ଟଙ୍କ ଉପରେ କୋଟି କୋଟି ଜଗନ୍ନାଥପ୍ରେମୀଙ୍କ ନଜର। ଜଗତ ଜନଙ୍କୁ ଦର୍ଶନ ଦେବାକୁ ବଡ଼ଦାଣ୍ଡକୁ ଓହ୍ଲେଇବେ କି ଜଗତ ଠାକୁର? ଗଡ଼ିବ କି ରଥ ଚକ? କାରଣ ସର୍ବୋଚ୍ଚକୋର୍ଟଙ୍କ ରାୟ ପରଠୁ ଅନ୍ୟ କେଉଁଠି ନହେଲେ ନାହିଁ ଶ୍ରୀକ୍ଷେତ୍ରରେ ରଥଯାତ୍ରା କରାଇବାକୁ ପ୍ରାର୍ଥନା କରି ଦାଖଲ ହେବାରେ ଲାଗିଛି ପିଟିସନ୍ ପରେ ପିଟିସନ୍। ଅଫ୍‌ତାବ୍‌ ହୁସେନ, ଜଗନ୍ନାଥ ସଂସ୍କୃତି ଜନ ଜାଗରଣ ମଞ୍ଜ, ଇଣ୍ଟରନ୍ୟାସନାଲ୍‌ ହିନ୍ଦୁ ମହାସଭା, ଦଇତାପତି ନିଯୋଗ, ଛତିଶା ନିଯୋଗ, ପ୍ରତିହାରୀ ନିଯୋଗ, ବିଜନ ପାଇକରାୟ, ସଂଜୀବ କୁମାର ଚିନ୍ନାରା ପ୍ରମୁଖଙ୍କ ପକ୍ଷରୁ ପିଟିସନ୍ ଦାୟର ହେଲାଣି।

ଦାଖଲ ହୋଇଥିବା ପିଟିସରେ ଦର୍ଶାଯାଇଛି-

୧: ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରା କେବଳ ଗୋଟିଏ ରୀତିନୀତି ନୁହେଁ ବରଂ ଲୋକଙ୍କ ଭାବାବେଗ ସହ ଜଡ଼ିତ ହଜାର ହଜାର ବର୍ଷର ପରମ୍ପରା।

୨: ଶ୍ରୀକ୍ଷେତ୍ର ହେଉଛି ଶ୍ରୀଜଗନ୍ନାଥ ସଂସ୍କୃତିର ମୂଳ ପୀଠ। ଏଠାରେ ହେଉଥିବା ରଥଯାତ୍ରା ଶ୍ରୀମନ୍ଦିରର ରୀତିନୀତି ସହ ଜଡିତ। ତେଣୁ ଯାହା କିଛି ପଦକ୍ଷେପ ନିଆଯାଇ ଏଠି ରଥଯାତ୍ରାକୁ ଅନୁମତି ଦିଆଯାଉ।

୩: ଏବର୍ଷ ରଥଯାତ୍ରାକୁ ବନ୍ଦ କରାଗଲେ ପରବର୍ତ୍ତୀ ୧୨ ବର୍ଷ ପର୍ଯ୍ୟନ୍ତ ଯାତ୍ରା ହୋଇପାରିବନି। ଯାହାର ପ୍ରଭାବ ଜଗନ୍ନାଥ ସଂସ୍କୃତି ଓ ରୀତିନୀତିରେ ପଡ଼ିବ।

୪: ରଥଯାତ୍ରା ପାଇଁ ରଥ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଅନେକ ସେବାୟତଙ୍କୁ ସଙ୍ଗରୋଧରେ ରଖାଯାଇଛି। କରୋନା ପରୀକ୍ଷା କରାଯାଇଛି। ତେଣୁ କମ୍ ଲୋକଙ୍କୁ ନେଇ ରଥ ଟଣା ଯାଉ।

୫: ଭକ୍ତଶୂନ୍ୟ ଦେବସ୍ନାନ ପୂର୍ଣ୍ଣିମା ଭଳି କେବଳ ସେବାୟତଙ୍କୁ ନେଇ ଭକ୍ତଶୂନ୍ୟ ରଥଯାତ୍ରା ସମ୍ଭବ।

୬: ପୁରୀ ସହରକୁ ସଂପୂର୍ଣ୍ଣ ଶଟ୍‌ଡାଉନ୍‌ କରାଯାଉ। ବାହାରୁ କାହାକୁ ପୁରୀକୁ ଆସିବାକୁ ଦିଆନଯାଉ।

ତେଣୁ ସର୍ବୋଚ୍ଚ କୋର୍ଟ ତାଙ୍କ ନିର୍ଦ୍ଦେଶକୁ ପ୍ରତ୍ୟାହାର କିମ୍ବା ଆଂଶିକ ପରିବର୍ତ୍ତନ କରି ଶ୍ରୀକ୍ଷେତ୍ରରେ ରଥଯାତ୍ରା ଆୟୋଜନ ଲାଗି ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେବାକୁ ପ୍ରାର୍ଥନା କରିଛନ୍ତି ପିଟିସନର।

ସବୁ ନିରାଶା ଭିତରେ ଛୋଟ ଆଶାକୁ ଧରି ଆଗକୁ ବଢୁଛି ରଥ ପରମ୍ପରା। ରଥ ଖଳାରେ ପ୍ରସ୍ତୁତ ତିନି ରଥରେ କନାମୁଣ୍ଡଣୀ କାମ ଆରମ୍ଭ ହୋଇଛି। ଏପଟେ ମହାପ୍ରଭୁଙ୍କ ଶ୍ରୀପୟର ପୂଜା ପରେ ଘଣ୍ଟଘଣ୍ଟା କାହାଳୀ, ଛତି ସହ ପଟୁଆରରେ ଶ୍ରୀନଅରୁ ଖଡ଼ିପ୍ରସାଦ ବିଜେ ହୋଇଛନ୍ତି। ସୂର୍ଯୋପରାଗ ଥିବାରୁ ତା’ ଆଗରୁ ବନକଲାଗି ସେବା ସହ ମହାପ୍ରଭୁଙ୍କ ନବଯୌବନ ନୀତି ମଧ୍ୟ ଚାଲିଛି।

Related story