ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) ତୈଳ ଦର ବୃଦ୍ଧି ନେଇ କଂଗ୍ରେସର ମୁଲତବି ପ୍ରସ୍ତାବ ଉପରେ ଆଲୋଚନା ବେଳେ ତଥ୍ୟ ରଖିଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ । ସେ କହିଛନ୍ତି ଯେ, ୨୦୧୬ରେ ୧୦୧ତମ ସମ୍ବିଧାନ ସଂଶୋଧନ ଅଧିନିୟମ ଅନୁସାରେ ଅଶୋଧିତ ତୈଳ, ପେଟ୍ରୋଲ, ଡିଜେଲ, ବିମାନ ଇନ୍ଧନ, ଗ୍ୟାସ ଓ ମଦକୁ ଜିଏସ୍ଟିରୁ ବାଦ୍ ଦିଆଯାଇଛି ।
ତୈଳ ବିକ୍ରୟ କଂପାନିର ମୂଳ ଦର, କେନ୍ଦ୍ରୀୟ ଉତ୍ପାଦ ଶୁଳ୍କ, ଅତିରିକ୍ତ ଉତ୍ପାଦ ଶୁଳ୍କ ଓ ମୂଲ୍ୟଯୁକ୍ତ କର ବା ଭାଟ୍କୁ ଭିତ୍ତି କରି ପେଟ୍ରୋଲ ଓ ଡିଜେଲ ଦର ନିର୍ଦ୍ଧାରଣ ହୋଇଥାଏ। ଏଣୁ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କଠାରୁ କମ୍ ଟିକସ ଆଦାୟ କରୁଛନ୍ତି । ଏହାସହ ଆଦାୟ ଟିକସ ଜନ ହିତକର କାର୍ଯ୍ୟରେ ବିନିଯୋଗ କରୁଥିବା ସେ କହିଛନ୍ତି ।
ଆଜି ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଛା ୯୧ ଟଙ୍କା ୬୬ ପଇସା ରହିଛି । ଏଥିରୁ ମୂଳ ଦର ୩୩ ଟଙ୍କା ୬୮ ପଇସା ଏହା ଉପରେ କେନ୍ଦ୍ରୀୟ ଶୁଳ୍କ ୧.୪୦ ଟଙ୍କା, ଅତିରିକ୍ତ ଉତ୍ପାଦ ଶୁଳ୍କ ୧୧ ଟଙ୍କା, ଭିତ୍ତିଭୂମି ସେସ୍ ୧୮ ଟଙ୍କା ଓ କୃଷି ସେସ୍ ୨ ଟଙ୍କା ୫୦ ପଇସା ମିଶାଇ କେନ୍ଦ୍ର ସରକାର ୩୨ ଟଙ୍କା ୯୦ ପଇସା ନେଉଛନ୍ତି। ଅନ୍ୟପକ୍ଷରେ ରାଜ୍ୟ ସରକାର ୩୨% ଭାଟ୍ ବାବଦରେ ୨୧ ଟଙ୍କା ୪୦ ପଇସା ନେଉଛନ୍ତି ବୋଲି ନିରଞ୍ଜନ କହିଛନ୍ତି ।
ସେହିପରି ଭୁବନେଶ୍ୱରରେ ଆଜିର ଡିଜେଲ୍ ଦରରେ ମୂଳ ଦର ୩୫ ଟଙ୍କା ୪୩ ପଇସା ଥିବାବେଳେ ବିଭିନ୍ନ ଶୁଳ୍କ ଓ ଭାଟ୍ ବାବଦରେ କେନ୍ଦ୍ର ସରକାର ୩୧ ଟଙ୍କା ୮୦ ପଇସା ଓ ରାଜ୍ୟ ସରକାର ୨୮% ଭାଟ୍ ବାବଦରେ ୧୮ ଟଙ୍କା ୯୦ ପଇସା ନେଉଛନ୍ତି ବୋଲି ନିରଞ୍ଜନ ତାଙ୍କ ଉତ୍ତରରେ କହିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।