ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ଉତ୍ତରାଖଣ୍ଡର କୁମ୍ଭ ମେଳାକୁ ଯାଇଥିବା ବ୍ୟକ୍ତିମାନେ ନିଶ୍ଚିତ ଭାବେ ୧୪ଦିନିଆ କ୍ୱାରେଣ୍ଟାଇନରେ ରହିବେ। ସେମାନେ ନିଜ ଘର ହେଉ ଅବା କ୍ଲଷ୍ଟର କ୍ୱାରେଣ୍ଟାଇନ ସେଣ୍ଟରରେ ରହିବେ। ଏନେଇ ସମସ୍ତ ଜିଲ୍ଲାପାଳ ଓ ମ୍ୟୁନିସପାଲଟି କମିଶନରଙ୍କୁ ଆଜି ସ୍ୱତନ୍ତ୍ର ରିଲିଫ କମିଶନର ନିର୍ଦ୍ଦେଶ ଦେଇଛନ୍ତି।
କୁମ୍ଭମେଳାରେ ସାମିଲ ପାଇଁ ଉତ୍ତରାଖଣ୍ଡ ସରକାରରେ ପଞ୍ଜିକୃତ ହୋଇଥିବା ସମସ୍ତ ବ୍ୟକ୍ତିମାନଙ୍କ ତାଲିକାକୁ ଆଜି ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନର(ଏସଆରସି) ପ୍ରଦୀପ୍ତ କୁମାର ଜେନା ସବୁ ଜିଲ୍ଲାପାଳ ଓ ମ୍ୟୁନିସପାଲଟି କମିଶନରଙ୍କୁ ପ୍ରଦାନ କରିଛନ୍ତି। କୁମ୍ଭମେଳାରେ ସାମିଲ ହୋଇଥିବା ସମସ୍ତ ପଞ୍ଜିକୃତ ବ୍ୟକ୍ତିମାନଙ୍କୁ ଚିହ୍ନଟ କରି ସେମାନଙ୍କର ଗସ୍ତ ବିବରଣୀ ହାସଲ କରିବାକୁ ଏସଆରସି ନିର୍ଦ୍ଦେଶ ଦେଇଛନ୍ତି। ସେହି ବ୍ୟକ୍ତିମାନେ ଟ୍ରେନ ଓ ବିମାନରେ ଓଡ଼ିଶା ଆସିବା ପୂର୍ବରୁ ଆରଟିପିସିଆର ପରୀକ୍ଷା ରିପୋର୍ଟ ଧରି ଯେଭଳି ଆସିବେ ତାହା ସେମାନଙ୍କୁ ଅବଗତ କରାଇବାକୁ କୁହାଯାଇଛି ।
ସେହି ସମସ୍ତ ବ୍ୟକ୍ତିଙ୍କୁ ନିଶ୍ଚିତ ଭାବେ ଯୋଗାଯୋଗ କରି ସେମାନଙ୍କର ସ୍ୱାସ୍ଥ୍ୟବସ୍ଥା ତଦାରଖ କରିବାକୁ କୁହାଯାଇଛି। ସେମାନେ ଓଡ଼ିଶା ଆସିବା ପରେ ସେମାନଙ୍କୁ ୧୪ଦିନିଆ ହୋମ୍ କ୍ୱାରେଣ୍ଟାଇନ ହେଉ ଅବା କ୍ଲଷ୍ଟରରେ ଥିବା ଅସ୍ଥାୟୀ କ୍ୱାରେଣ୍ଟାଇନ ସେଣ୍ଟରରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ସେମାନେ ଆରଟିପିସିଆର ଟେଷ୍ଟ ହୋଇଥିବା ବାଧ୍ୟତାମୂଳକ। ଯଦି କୌଣସି ବ୍ୟକ୍ତିଙ୍କଠାରେ କୋଭିଡ୍ ଲକ୍ଷଣ ଦେଖାଯାଏ, ତାଙ୍କ ସହ ତୁରନ୍ତ ଯୋଗାଯୋଗ କରାଯିବ।
ଆଶା ଓ ଅଙ୍ଗନବାଡ଼ି କର୍ମୀମାନେ ନିୟମିତ ଭାବେ ସେହି ବ୍ୟକ୍ତିମାନଙ୍କର ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିବେ। କୁମ୍ଭ ମେଳାକୁ ଯାଇଥିବା ବ୍ୟକ୍ତିମାନେ ନିଜକୁ ସ୍ୱେଚ୍ଛାକୃତ ଭାବେ ଆଇସୋଲେସନରେ ରଖିବା ସହ ସ୍ଥାନୀୟ ବିଡିଓ ଅବା ମ୍ୟୁନିସପାଲଟି କି ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଅବା ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ଜଣାଇବେ। ସେମାନେ କଡ଼ାକଡ଼ି ଭାବେ କୋଭିଡ୍ ନିୟମ ପାଳନ କରିବେ। ପ୍ରତ୍ୟେକ ଦିନ ଏହି ରିପୋର୍ଟକୁ ସ୍ୱାସ୍ଥ୍ୟ ବିଭାଗ ଓ ଏଆରସିଙ୍କ ଅଫିସକୁ ପଠାଇବାକୁ ଜିଲ୍ଲାପାଳ ଓ ମ୍ୟୁନିସପାଲଟି କମିଶନରଙ୍କୁ ଏସଆରସି ନିର୍ଦ୍ଦେଶ ଦେଇଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।