ପୁରୀ(ଓଡ଼ିଶା ରିପୋର୍ଟର) ବର୍ଷକେ ଥରେ ମହାପ୍ରଭୁଙ୍କ ଘୋଷଯାତ୍ରା ସମୟ ଆସିଲେ ମନ ମହା ଆନନ୍ଦରେ ପୁରିଯାଏ । କ୍ଷୀଣକାୟ ଶରୀରରେ ଭରିଯାଏ ଅଫୁରନ୍ତ ଶକ୍ତି ଓ ସାମର୍ଥ୍ୟ। ବୟସ ଯେତେ ବି ହେଉ, ରଥ ନିର୍ମାଣ ବେଳେ ନିଜ ଭିତରେ ଆସିଯାଏ ଯୁବସୁଲଭ ଲକ୍ଷଣ ଓ ଉଦ୍ଦାମତା । ଦଶନ୍ଧି ଦଶନ୍ଧିର ଅନୁଭୂତି ଓ ଅଭିଜ୍ଞତାକୁ ସାଉଁଟି ବିଶ୍ୱ ନିୟନ୍ତାଙ୍କ ରଥ ର୍ନିମାଣରେ ନିଜକୁ ସମର୍ପଣ କରିଦେଉଥିବା ଅନେକ ବୟୋବୃଦ୍ଧ କାରିଗରଙ୍କ ବିନା ଯେମିତି ରଥ ନିର୍ମାଣ ଆଜି ବି ଅସମ୍ଭବ ।
ନରସିଂହ ମହାପାତ୍ର, ପୂର୍ଣଚନ୍ଦ୍ର ମହାପାତ୍ର ଭାଗୀରଥି ମହାରଣା, ଭୋବନୀ ମହାରଣା । ମହାପ୍ରଭୁଙ୍କ ରଥ ନିର୍ମାଣରେ ମଗ୍ନ ଏ କାରିଗରଙ୍କ ଭିତରୁ କାହାରି ବୟସ ୭୦ରୁ କମ୍ ନୁହେଁ । ହେଲେ ରଥ ନିର୍ମାଣ ସମୟ ଆସିଲେ, ଏମାନେ ହୋଇଉଠନ୍ତି ସକ୍ରିୟ ଓ ଚଳଚଞ୍ଚଳ । ବୟସର ଅପରାହ୍ଣରେ ବି ଶରୀରରେ ସଞ୍ଚରୀ ଯାଏଁ ଶତ ସିଂହର ବଳ । ଭାଗୀରଥି ମହାରଣା ବୟସ ଛୁଇଁଲାଣି ୭୭। ହେଲେ ଏବେବି ଥକିନି ହାତ କି ବିଶ୍ରାମ ନେଇନି ଶରୀର। ତିନି ରଥର ଅଗ୍ରଭାଗର ଅଧିକାଂଶ କାମ ତାଙ୍କରି ହାତରେ ଶେଷ ହୁଏ। ପୋଟଳ, ପାରାଭାଡ଼ି, କଇଁଚି, ଶୁଆଲଗା ଭଳି ସବୁ ଦାୟିତ୍ୱ ସେ ନିଅନ୍ତି । ଆଉ ଜଣେ ହେଉଛନ୍ତି ଭୋବନୀ ମହାରଣା । ତାଙ୍କ ବୟସ ବି ୭୭ ଛୁଇଁଲାଣି । ହେଲେ ରଥ ସମୟ ଆସିଲେ ମନରେ ଭରିଯାଏ ଯୁବ ସୁଲଭତା ଲକ୍ଷଣ ।୨୨ ବର୍ଷ ବୟସରୁ ସେ ରଥ ନିର୍ମାଣରେ ସଂପୃକ୍ତ । ମହାପ୍ରଭୁଙ୍କ ୫୦ରୁ ଅଧିକ ରଥ ତିଆରିରେ ତାଙ୍କ ଅନୁଭୂତି ରଥର ନିମ୍ନରୁ ଅଗ୍ରଭାଗ ଯାଏଁ ସବୁ କାମକୁ ଅକ୍ଲେଶରେ କରି ଦିଅନ୍ତି ସେ। ତାଳଧ୍ୱଜ ରଥର ମୁଖ୍ୟ ମହାରଣା ନରସିଂହ ମହାପାତ୍ର । ୭୩ ବର୍ଷ ବୟସରେ ପହଞ୍ଚଥିଲେ ବି ତାଙ୍କ ବିନା ଯେମିତି ତା ରଥ କାମ ଅଧୁରା। ଅବଶ୍ୟ ଏବେ ନିର୍ମାଣ ଅପେକ୍ଷା ନୂଆପିଢ଼ିଙ୍କୁ ମାର୍ଗଦର୍ଶନ ହିଁ ତାଙ୍କର ମୁଖ୍ୟ କାମ ପାଲଟିଛି।
ରଥନିର୍ମାଣ କାମକୁ ପିଢି ପରେ ପିଢି ବଂଶାନୁମକ୍ରମିକ ଭାବେ କରି ଆସୁଛନ୍ତି ପୁରୀ ସହରରେ କିଛି ନିର୍ଦ୍ଦିଷ୍ଟ ସେବାୟତ ପରିବାର। ତେଣୁ ବରିଷ୍ଠଙ୍କ ପରେ ପରେ ସେମାନଙ୍କ ପରିବାରର କନିଷ୍ଠମାନେ ଏ କାର୍ଯ୍ୟରେ ନିଷ୍ଠାର ସହ ସହଯୋଗ କରି ଆସୁଥିବାରୁ ମହାରଣା, ଭୋଇ, କମାର ଓ ରୂପକାର ସେବାୟତଙ୍କ ଉତ୍ତର ଦାୟଦ ଏ ବୃତ୍ତିକୁ ଆଗ୍ରହର ସହ ଆଦରି ନେଉଛନ୍ତି । କାରଣ ସେମାନେ ବୁଝନ୍ତି, ପାରିଶ୍ରମିକ ଯାହା ବି ମିଳୁ ବାପଅଜା ଅମଳରୁ ମହାପ୍ରଭୁଙ୍କ ସେବା କାର୍ଯ୍ୟ ହିଁ ସେମାନଙ୍କ ପାଇଁ ଶିରୋଧାର୍ଯ୍ୟ । ଏପେଟ ରଥ ନିର୍ମାଣ କାମରେ ଏ ବୟଜ୍ୟୋଷ୍ଠଙ୍କ ପରେ ଉତ୍ତର ପିଢ଼ିଙ୍କୁ ଆଗକୁ ନେବା ଲାଗି ଶ୍ରୀମନ୍ଦିର ପ୍ରଶାସନ ବି କିଛି ସ୍ୱତନ୍ତ୍ର କାର୍ଯ୍ୟକ୍ରମ ହାତକୁ ନେବାକୁ ଯୋଜନା କରୁଥିବା କହିଛନ୍ତି ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।