ବୀଭତ୍ସ ହତ୍ୟାକାଣ୍ଡ; ଘରକୁ ଡାକି ମୁଣ୍ଡ, ଗଣ୍ଡି ଅଲଗା କରିଦେଲେ ଯୁବକ

ଚମ୍ପୁଆ(ଦୀପକ ଶର୍ମା): ପୂର୍ବ ଶତ୍ରୁତାରୁ ଘଟିଲା ବୀଭତ୍ସ ହତ୍ୟାକାଣ୍ଡ । ଜଣେ ବ୍ୟକ୍ତିଙ୍କୁ ନିଜ ଘରକୁ ଡାକି ତାଙ୍କ ମୁଣ୍ଡ ଗଣ୍ଡି ଅଲଗା କରିଦେଲେ ଯୁବକ । ଏପରି ଅଭାବନୀୟ କାଣ୍ଡ କେନ୍ଦୁଝର ଜିଲ୍ଲା ଚମ୍ପୁଆରେ ଗତକାଲି ଘଟିଛି। ମୃତକ ହେଲେ ବାମେବାରୀ ଥାନା ବସନ୍ତପୁରର ମାଣ୍ଡୁ ମୁଣ୍ଡା । ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ଠୁବୁ ମାଝିଙ୍କୁ ଅଟକ ରଖିଛି ପୁଲିସ୍‌।

ସୂଚନା ଅନୁଯାୟୀ, ଉଭୟ ମାଣ୍ଡୁ ମୁଣ୍ଡା ଓ ଠୁବୁ ମାଝୀଙ୍କ ଘର ବସନ୍ତପୁରରେ ହୋଇଥିବା ବେଳେ ସେମାନଙ୍କ ମଧ୍ୟରେ ଦୀର୍ଘ ଦିନ ହେବ ଶତ୍ରୁତା ଲାଗି ରହିଛି। ଗତକାଲି ଠୁବୁ କୌଣସି କାମରେ ନିଜ ଘରକୁ ମାଣ୍ଡୁଙ୍କୁ ଡାକିଥିଲେ। ମାଣ୍ଡୁ ପହଞ୍ଚିବା ପରେ ସେଠାରେ ଉଭୟଙ୍କ ମଧ୍ୟରେ ବଚସା ଲାଗିଥିଲା।  ଉତ୍ତ୍ୟକ୍ତ ଠୁବୁ ଏକ ଧାରୁଆ କଟୁରୀରେ ମାଣ୍ଡୁଙ୍କ ମୁଣ୍ଡ ଗଣ୍ଡି ଅଲଗା କରିଦେଇଥିଲେ। ଏହାପରେ ସେ ମାଣ୍ଡୁଙ୍କ ମୁଣ୍ଡକୁ ଏକ ଗାମୁଛାରେ ଗୁଡ଼ାଇ ଘରେ ରଖିଥିବା ବେଳେ କାହାକୁ କିଛି କହି ନ ଥିଲେ।

ଏପରି ଏକ ବୀଭତ୍ସ ହତ୍ୟା ଘଟାଇ ସାରିଥିବା ଠୁବୁ ବିଚଳିତ ଥିବା ବେଳେ ସନ୍ଧ୍ୟା ପରେ ଏ ସଂକ୍ରାନ୍ତରେ ନିଜ ଗାଁ ଲୋକଙ୍କୁ ଜଣାଇଥିଲେ। ଗାଁ ଲୋକଙ୍କଠାରୁ ଖବର ପାଇ ପୁଲିସ୍‌ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଏଥିସହ ପୁଲିସ୍‌ ଠୁବୁଙ୍କୁ ଅଟକ ରଖି ପଚରାଉଚୁରା କରୁଛି।

ଏହି ହତ୍ୟାକାଣ୍ଡ ପଛର କାରଣ କ’ଣ, ଏକା ଠୁବୁ ଏହି କାଣ୍ଡ ଭିଆଇଥିଲା ନା ଆଉ କିଏ ଏଥିରେ ତାଙ୍କୁ ସହଯୋଗ କରିଥିଲା ପୁଲିସ୍‌ ତାହାର ତଦନ୍ତ କରୁଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।