କରୋନା ପାଇଁ ୨ଟି ସ୍ୱତନ୍ତ୍ର ହସ୍ପିଟାଲ, ୧୫ଦିନ ମଧ୍ୟରେ ହେବ କାର୍ଯ୍ୟକ୍ଷମ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଶ୍ୱ ମହାମାରୀ ‘କରୋନା’ର ମୁକାବିଲା ପାଇଁ ଓଡ଼ିଶାରେ ୯୫୦ ବେଡ୍ ବିଶିଷ୍ଟ ଦୁଇଟି ସ୍ୱତନ୍ତ୍ର ‘କୋଭିଡ୍ ହସ୍ପିଟାଲ’ ସ୍ଥାପନ ହେବ। ଆସନ୍ତା ୧୫ଦିନ ମଧ୍ୟରେ ଏହି ଦୁଇ ହସ୍ପିଟାଲ କାର୍ଯ୍ୟକ୍ଷମ ହେବ। ଏଥିପାଇଁ ଆଜି ତ୍ରିପାକ୍ଷିକ ଏମଓୟୁ ସ୍ୱାକ୍ଷରିତ ହୋଇଛି। ଆଗାମୀ ଦିନରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାର ଆଶଙ୍କା ଥିବାରୁ ରାଜ୍ୟ ସରକାର ପୂର୍ବରୁ ଏଭଳି ପ୍ରସ୍ତୁତି ଆରମ୍ଭ କରିଛନ୍ତି ଓ ଏହା ସମଗ୍ର ଦେଶରେ ପ୍ରଥମ ବୋଲି ଓଡ଼ିଶା ସରକାରଙ୍କ […]

meet

Manoranjan Sial
  • Published: Thursday, 26 March 2020
  • , Updated: 26 March 2020, 10:24 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଶ୍ୱ ମହାମାରୀ ‘କରୋନା’ର ମୁକାବିଲା ପାଇଁ ଓଡ଼ିଶାରେ ୯୫୦ ବେଡ୍ ବିଶିଷ୍ଟ ଦୁଇଟି ସ୍ୱତନ୍ତ୍ର ‘କୋଭିଡ୍ ହସ୍ପିଟାଲ’ ସ୍ଥାପନ ହେବ। ଆସନ୍ତା ୧୫ଦିନ ମଧ୍ୟରେ ଏହି ଦୁଇ ହସ୍ପିଟାଲ କାର୍ଯ୍ୟକ୍ଷମ ହେବ। ଏଥିପାଇଁ ଆଜି ତ୍ରିପାକ୍ଷିକ ଏମଓୟୁ ସ୍ୱାକ୍ଷରିତ ହୋଇଛି। ଆଗାମୀ ଦିନରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାର ଆଶଙ୍କା ଥିବାରୁ ରାଜ୍ୟ ସରକାର ପୂର୍ବରୁ ଏଭଳି ପ୍ରସ୍ତୁତି ଆରମ୍ଭ କରିଛନ୍ତି ଓ ଏହା ସମଗ୍ର ଦେଶରେ ପ୍ରଥମ ବୋଲି ଓଡ଼ିଶା ସରକାରଙ୍କ ମୁଖପାତ୍ର ସୁବ୍ରତୋ ବାଗଚୀ ସୂଚନା ଦେଇଛନ୍ତି।

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ପ୍ରେସ୍ ରିଲିଜ୍ ଅନୁସାରେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ କୋଭିଡ-୧୯ ରୋଗୀମାନଙ୍କ ଚିକିତ୍ସା ପାଇଁ ଅତ୍ୟାଧୁନିକ ସୁବିଧା ଥିବା ଦୁଇଟି ସ୍ୱତନ୍ତ୍ର ହସ୍ପିଟାଲ ସ୍ଥାପନ କରାଯିବ। ସମ୍ ମେଡିକାଲ କଲେଜ ଓ ହସ୍ପିଟାଲରେ ୫୦୦ ବେଡ୍ ବିଶିଷ୍ଟ ଏବଂ କିମସ ମେଡିକାଲ କଲେଜ ଓ ହସ୍ପିଟାଲରେ ୪୫୦ ବେଡ୍ ବିଶିଷ୍ଟ କୋଭିଡ୍ ହସ୍ପିଟାଲ ସ୍ଥାପନ କରିବା ନିମନ୍ତେ ଆଜି ଏମଓୟୁ ସ୍ୱାକ୍ଷରିତ ହୋଇଛି । ଓଡ଼ିଶା ଖଣି ନିଗମ ଓ ମହାନଦୀ କୋଲଡ୍ ଫିଲ୍ଡ୍ କମ୍ପାନୀ ନିଜ ନିଜର ସିଏସଆର ପାଣ୍ଠିରୁ ଏଥିପାଇଁ ଅର୍ଥ ଯୋଗାଇ ଦେବେ। ପ୍ରଥମ ଏମଓୟୁ ଓଡ଼ିଶା ସରକାରଙ୍କ ସ୍ୱାସ୍ଥ୍ୟ ସଚିବ ନିକୁଞ୍ଜ ବିହାରୀ ଧଳ, ଓଏମସି ପରିଚାଳନା ନିର୍ଦ୍ଦେଶକ ଭିନିଲ୍ କ୍ରିଷ୍ଣା ଓ କିମସ୍ ମ୍ୟାନେଜମେଣ୍ଟ ମଧ୍ୟରେ ୪୫୦ ବେଡ୍ ବିଶିଷ୍ଟ କୋଭିଡ୍ ହସ୍ପିଟାଲ ପାଇଁ ଏମଓୟୁ ସ୍ୱାକ୍ଷରିତ ହୋଇଥିଲା।

ସେହିପରି ଦ୍ୱିତୀୟ ଏମଓୟୁ ସ୍ୱାସ୍ଥ୍ୟ ସଚିବ ନିକୁଞ୍ଜ ବିହାରୀ ଧଳ, ଏମସିଏଲ୍‌ର ଏସଏସ୍ ପଣ୍ଡା ଓ ସମ୍ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ମଧ୍ୟରେ ଆଇସିୟୁ ସୁବିଧା ସହ ୫୦୦ବେଡ୍ ବିଶିଷ୍ଟ ହସ୍ପିଟାଲ ପାଇଁ ଏମଓୟୁ ସ୍ୱାକ୍ଷରିତ ହୋଇଛି। ଏ ସମ୍ପର୍କରେ ଆଜି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ ସମ୍ ହସ୍ପିଟାଲ ପକ୍ଷରୁ ଡାକ୍ତର ଅଶୋକ ମହାପାତ୍ର କହିଛନ୍ତି ଯେ, କୋଭିଡ୍ -୧୯ ରୋଗୀଙ୍କ ପାଇଁ ବିଶ୍ୱସ୍ତରୀୟ ସୁବିଧା ସମ୍ ହସ୍ପିଟାଲରେ ଯୋଗାଇ ଦିଆଯିବ। ଆଇସିୟୁ ସୁବିଧା ସହ ମୋଟ ୫୦୦ ବେଡ୍ ବିଶିଷ୍ଟ ସ୍ୱତନ୍ତ୍ର ହସ୍ପିଟାଲ ସ୍ଥାପନ କରାଯିବ ବୋଲି ସେ ସୂଚନା ଦେଇଛନ୍ତି।

ତେବେ ରାଜ୍ୟର ଏହି ଦୁଇ ଘରୋଇ ମେଡିକାଲ କଲେଜରେ ସାଧାରଣ ରୋଗୀଙ୍କ ପାଇଁ ବେଡ୍ ଅଭାବ ଥିବାବେଳେ ଏତେ କମ୍ ଅବଧି ମଧ୍ୟରେ କିଭଳି ସେମାନେ ପ୍ରାୟ ହଜାରେ ବେଡ୍ ଯୁକ୍ତ ଉନ୍ନତମାନର କୋଭିଡ୍ ଚିକିତ୍ସା ଯୋଗାଇବେ ତାକୁ ନେଇ ପ୍ରଶ୍ନ ଉଠିଛି। ଏହି ଏମଓୟୁ ସମୟରେ ବିଜେଡି ସାଂସଦ ତଥା କିମସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ, ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ମୁଖ୍ୟ ଉପଦେଷ୍ଟା ଆର ବାଲକ୍ରିଷ୍ଣନ, ମୁଖ୍ୟ ସଚିବ ଅସିତ୍ କୁମାର ତ୍ରିପାଠୀ, ମୁଖ୍ୟମନ୍ତ୍ରୀଙ୍କ ସଚିବ ଭିକେ ପାଣ୍ଡିଆନ ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

Related story