ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଚାଷୀଙ୍କୁ ନିରାଶ କଲେ ରାଜ୍ୟ ସରକାର। ବର୍ତ୍ତମାନ ରାଜ୍ୟରେ କୃଷି ଋଣ ଛାଡ଼ ନେଇ କୌଣସି ପ୍ରସ୍ତାବ ନାହିଁ। ଆଜି ବିଧାନସଭାରେ ଏହି ସୂଚନା ଦେଇଛନ୍ତି ସମବାୟ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର।
ଉତ୍ତରପ୍ରଦେଶ, ମହାରାଷ୍ଟ୍ର ଓ ମଧ୍ୟପ୍ରଦେଶ ଭଳି କିଛି ରାଜ୍ୟ ଚାଷୀ ଋଣ ଛାଡ କରିଛନ୍ତି। ଏହା ପରେ କୃଷି ଋଣ ନେଇ ବିଚାର କରାଯାଉଛି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଥିଲେ। ମୁଖ୍ୟମନ୍ତ୍ରୀଙ୍କ ଏହି ପଦକ କଥାରେ ଖୁସି ହୋଇ ଯାଇଥିଲେ ଚାଷୀ କୁଳ। ଭାବିଥିଲେ ସରକାର କୃଷି ଋଣ ଛାଡ କରିବେ। ମାତ୍ର ସମବାୟ ମନ୍ତ୍ରୀଙ୍କ ଉତ୍ତର ଶୁଣି ଚାଷୀ ହତାସ ହୋଇଛନ୍ତି।
ବିଜେପି ବିଧାୟକ ପ୍ରଦୀପ ପୁରୋହିତ କହିଛନ୍ତି-“ଓଡ଼ିଶା ସରକାର ଚାଷୀଙ୍କ କଟା ଘାଆରେ ଚୂନ ଲଗାଇଲା ଭଳି କାମ କରୁଛନ୍ତି। ପ୍ରତିଶ୍ରୁତି ଦେଇ ଭୁଆଁ ବୁଲାଉଛନ୍ତି।”
କଂଗ୍ରେସ ବିଧାୟକ ଦେବେନ୍ଦ୍ର ଶର୍ମା କହିଛନ୍ତି-“ଚାଷୀମାନଙ୍କ ପ୍ରତି ରାଜ୍ୟ ସରକାର କୌଣସି ଦରଦ ନାହିଁ। ଏହା ପ୍ରମାଣିତ ହୋଇଛି। ଏହା ଓଡ଼ିଶାର ଚାଷୀ କୁଳ ପ୍ରତି ଉପହାସ।”
କୃଷି ମନ୍ତ୍ରୀ ପ୍ରଦୀପ ମହାରଥୀ କହିଛନ୍ତି-“କୃଷି ଓ କୃଷକଙ୍କ ଉନ୍ନତି ପାଇଁ ରାଜ୍ୟ ସରକାର ଯତ୍ନବାନ। ଚାଷୀଙ୍କ ଋଣ ଛାଡ଼ ନେଇ ଆଲୋଚନା ଚାଲିଛି। ସେନେଇ କ’ଣ ନିଷ୍ପତ୍ତି ନିଆଯିବ ଖୁବ୍ ଶୀଘ୍ର ଜଣାଇ ଦିଆଯିବ”
କୃଷି ପାଇଁ ରାଜ୍ୟ ସରକାର ସ୍ୱତନ୍ତ୍ର ବଜେଟ୍ କରୁଛନ୍ତି। କୃଷକ କଲ୍ୟାଣ ପାଣ୍ଠିରେ ୨୫୦ କୋଟି ଟଙ୍କା ରଖିଛନ୍ତି। ହେଲେ କୃଷି ଋଣ ଛାଡ ନେଇ ଘୋଷଣା କରୁନାହନ୍ତି। ତେବେ ଆଗକୁ ନିର୍ବାଚନୀ ଥୋପ ଭାବେ ଏହାକୁ ବ୍ୟବହାର କରିବେକି ସରକାର, ତାକୁ ନେଇ ଚର୍ଚ୍ଚା ହେଉଛି।