୨ଦିନରେ ୧୫୬ମିମି ବର୍ଷା, ତଥାପି ୨୪ ଜିଲ୍ଲାରେ ନିଅଣ୍ଟିଆ ବର୍ଷା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଲଘୁଚାପଜନିତ ଲଗାଣ ବର୍ଷାରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଥିବାବେଳେ ରାଜ୍ୟରେ ଏବେବି ନିଅଣ୍ଟିଆ ବର୍ଷା ପରିସ୍ଥିତି ଲାଗି ରହିଛି। ସମଗ୍ର ରାଜ୍ୟରେ ୨ଦିନରେ ରେକର୍ଡ ପରିମାଣର ୧୫୬ମିମି ବର୍ଷା ରେକର୍ଡ କରାଯାଇଥିଲେ ମଧ୍ୟ ଚଳିତ ମୌସୁମୀରେ ଆଜିସୁଦ୍ଧା ୨୪ଟି ଜିଲ୍ଲାରେ ହାରାହାରି ବର୍ଷା ସ୍ଥିତି ନିଅଣ୍ଟିଆ ରହିଛି। କେବଳ କଟକ, ଜଗତସିଂହପୁର, ପୁରୀ, ନୟାଗଡ଼, ଖୋର୍ଦ୍ଧା ଓ ଗଞ୍ଜାମ ଜିଲ୍ଲାରେ ହାରାହାରି ବର୍ଷା ସ୍ଥିତି ସ୍ୱାଭାବିକ ବା ତା’ଠୁ ଅଧିକ ରହିଛି। ରାଜ୍ୟ ସ୍ୱତନ୍ତ୍ର […]

rain1

rain1

Ordigital Desk
  • Published: Tuesday, 14 September 2021
  • Updated: 14 September 2021, 05:14 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଲଘୁଚାପଜନିତ ଲଗାଣ ବର୍ଷାରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଥିବାବେଳେ ରାଜ୍ୟରେ ଏବେବି ନିଅଣ୍ଟିଆ ବର୍ଷା ପରିସ୍ଥିତି ଲାଗି ରହିଛି। ସମଗ୍ର ରାଜ୍ୟରେ ୨ଦିନରେ ରେକର୍ଡ ପରିମାଣର ୧୫୬ମିମି ବର୍ଷା ରେକର୍ଡ କରାଯାଇଥିଲେ ମଧ୍ୟ ଚଳିତ ମୌସୁମୀରେ ଆଜିସୁଦ୍ଧା ୨୪ଟି ଜିଲ୍ଲାରେ ହାରାହାରି ବର୍ଷା ସ୍ଥିତି ନିଅଣ୍ଟିଆ ରହିଛି। କେବଳ କଟକ, ଜଗତସିଂହପୁର, ପୁରୀ, ନୟାଗଡ଼, ଖୋର୍ଦ୍ଧା ଓ ଗଞ୍ଜାମ ଜିଲ୍ଲାରେ ହାରାହାରି ବର୍ଷା ସ୍ଥିତି ସ୍ୱାଭାବିକ ବା ତା’ଠୁ ଅଧିକ ରହିଛି।
ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ କୁମାର ଜେନା ଆଜି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ଚଳିତ ମୌସୁମୀରେ ଜୁନ,ଜୁଲାଇ ଓ ଅଗଷ୍ଟ ମାସରେ ଯେତିକି ପରିମାଣର ବର୍ଷା ହେବା କଥା ତାହା ହୋଇନଥିଲା । ରାଜ୍ୟର ଅନେକ ଭାଗରେ ମରୁଡ଼ି ପରିସ୍ଥିତିର ଆଶଙ୍କା ଦେଖାଦେଇଥିଲା। ତେବେ ସେପ୍ଟେମ୍ବର ମାସରେ ଭଲ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଥିଲା। ଗତ ୨ଦିନ ମଧ୍ୟରେ ସମଗ୍ର ରାଜ୍ୟରେ ହାରାହାରି ୧୫୬ମିମି ବର୍ଷା ରେକର୍ଡ଼ କରାଯାଇଛି। ରାଜ୍ୟର କେତେକ ଭାଗରେ ଆଜି ବି ବର୍ଷା ହେବାର ଆଶଙ୍କା ରହିଛି। ତେଣୁ ଜିଲ୍ଲାପାଳମାନଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି ବୋଲି ସେ କହିଛନ୍ତି।
ଲଗାଣ ବର୍ଷା ଯୋଗୁ କ୍ଷୟକ୍ଷତିର ଆକଳନ କରାଯାଉଛି। ସେ ନିଜେ ଆଜି ୨୮ଟି ଜିଲ୍ଲାର ଜିଲ୍ଲାପାଳଙ୍କ ସହ ବ୍ୟକ୍ତିଗତ ଭାବେ କଥା ହୋଇଛନ୍ତି । ଭାଙ୍ଗିଥିବା ଘର, କୃଷି ଜମି ନଷ୍ଟ ଆଦିର ଆକଳନ କରି ତୁରନ୍ତ ରିପୋର୍ଟ ଦେବାକୁ କୁହାଯାଇଛି । ଗତକାଲି ସୁଦ୍ଧା ୩ଜଣ ଓ ଆଜି ଆଉ ଜଣେ ପ୍ରାଣ ହରାଇଥିବା ପ୍ରାଥମିକ ରିପୋର୍ଟରୁ ସୂଚନା ମିଳିଛି । ଦୁଇଟି ଜିଲ୍ଲାରେ ମୋଟ ୨୧ଟି ଛେଳିଙ୍କ ମୃତ୍ୟୁ ହୋଇଛି ବୋଲି ଶ୍ରୀ ଜେନା କହିଛନ୍ତି ।
ଏସଆରସିଙ୍କ କାର୍ଯ୍ୟାଳୟରୁ ମିଳିଥିବା ତଥ୍ୟ ଅନୁସାରେ, ସେପ୍ଟେମ୍ବର ମାସରେ ହାରାହାରି ୧୦୮.୨ମିମି ବର୍ଷା ହେବାର ଥିବାବେଳେ ୧୪ତାରିଖ ସୁଦ୍ଧା ୨୭୫.୫ ମିମି ବର୍ଷା ହୋଇସାରିଲାଣି । ଯାହାକି ୧୫୪.୬ ପ୍ରତିଶତ ଅଧିକ । ଚଳିତ ମୌସୁମୀରେ ଆଜିସୁଦ୍ଧା ରାଜ୍ୟରେ ମୋଟ ହାରାହାରି ୧୦୨୦.୬ମିମି ବର୍ଷା ହେବା ପରିବର୍ତ୍ତେ ୯୨୦.୩ ମିମି ବର୍ଷା ହୋଇଛି । ଯାହାକି ସ୍ୱାଭାବିକ ବର୍ଷା ତୁଳନାରେ ୯.୮ ପ୍ରତିଶତ କମ୍ । ମୟୂରଭଞ୍ଜ, ଭଦ୍ରକ, ଦେବଗଡ଼, କେନ୍ଦୁଝର, ସୁନ୍ଦରଗଡ଼, ସମ୍ବଲପୁର ଓ ଝାରସୁଗୁଡ଼ା ଜିଲ୍ଲାରେ ଆଜିସୁଦ୍ଧା ହାରାହାରି ବର୍ଷା ତୁଳନାରେ ୧୯%ରୁ ୩୯% କମ୍ ବର୍ଷା ରେକର୍ଡ କରାଯାଇଛି । ଅନ୍ୟ ୧୯ଟି ଜିଲ୍ଲାରେ ହାରାହାରି ବର୍ଷା ତୁଳନାରେ ୦ରୁ ୧୯ ପ୍ରତିଶତ କମ୍ ବର୍ଷା ହୋଇଛି । ଅନ୍ୟପକ୍ଷରେ ଚଳିତ ମୌସୁମୀରେ କଟକ ଜିଲ୍ଲାରେ ୨୯.୧%, ଜଗତସିଂହପୁରରେ ୨୮.୫%, ନୟାଗଡ଼ରେ ୨୩.୫%, ପୁରୀ ଜିଲ୍ଲାରେ ୨୨%, ଖୋର୍ଦ୍ଧା ଜିଲ୍ଲାରେ ୧୬.୨% ଓ ଗଞ୍ଜାମରେ ୮.୯% ଅଧିକ ବର୍ଷା ରେକର୍ଡ କରାଯାଇଛି ।
ଚଳିତ ମୌସୁମୀରେ ଜୁନ୍ , ଜୁଲାଇ ଓ ଅଗଷ୍ଟ ମାସରେ ଯଥାକ୍ରମେ ସାଧାରଣତଃ ୨୧୬.୫ମିମି ୩୩୯.୯ ମିମି ଓ ୩୫୬ମିମି ବର୍ଷା ହେବା ପରିବର୍ତ୍ତେ ଏହି ମାସଗୁଡ଼ିକରେ ଯଥାକ୍ରମେ ୧୮୦.୫ମିମି, ୨୬୭.୫ମିମି ଓ ୧୯୬.୯ ମିମି ବର୍ଷା ରେକର୍ଡ କରାଯାଇଛି ।
ଗତ ୨୪ଘଣ୍ଟା ମଧ୍ୟରେ ରାଜ୍ୟର ୨ଟି ବ୍ଲକରେ ୩୦୦ମିମିରୁ ଅଧିକ, ୧୮ଟି ବ୍ଲକରେ ୨୦୦ମିମିରୁ ୩୦୦ମିମି, ୪୭ଟି ବ୍ଲକରେ ୧୦୦ରୁ ୨୦୦ମିମି, ୧୦୭ଟି ବ୍ଲକରେ ୫୦ରୁ ୧୦୦ମିମି ବର୍ଷା ରେକର୍ଡ କରାଯାଇଥିଲା ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos