୧୨ କୋଟିରେ ନେଇଗଲେ ୪୦ କୋଟିର ଜମି?

ଭୁବନେଶ୍ୱର( ଲକ୍ଷ୍ମୀନାରାୟଣ କାନୁନ୍‌ଗୋ): ଷ୍ଟାର-ହୋଟେଲ ପାଇଁ ଜମି ନିଲାମ, ଅତିଶସ୍ତାରେ ମିଳୁଛି ଜମି ! ଇ- ନିଲାମ ପରେ ବି ବେଞ୍ଚ ମାର୍କ ମୂଲ୍ୟଠୁ କମ ରହୁଛି ରେଟ ! ପର୍ଯ୍ୟଟନ, ଶିଳ୍ପାୟନ ପାଇଁ ଏଭଳି ସୁଯୋଗ ନା ଆଉ କିଛି ? ଡେଲଟା ଛକରେ ୪୦କୋଟିର ଜମି ବି ଲିଜରେ ମିଳୁଛି ୧୨ କୋଟିରେ ! ଭୁବନେଶ୍ୱରରେ ଷ୍ଟାର ହୋଟେଲ ପାଇଁ ଏମିତି ୬ଟି ଜମି ଦେଇଛି ବିଡିଏ। ଭୁବନେଶ୍ୱର ଡେଲଟା ଛକରେ ତିଆରି ଚାଲିଛି […]

land

Ordigital Desk
  • Published: Tuesday, 15 November 2022
  • , Updated: 16 November 2022, 06:14 PM IST

ଭୁବନେଶ୍ୱର( ଲକ୍ଷ୍ମୀନାରାୟଣ କାନୁନ୍‌ଗୋ): ଷ୍ଟାର-ହୋଟେଲ ପାଇଁ ଜମି ନିଲାମ, ଅତିଶସ୍ତାରେ ମିଳୁଛି ଜମି ! ଇ- ନିଲାମ ପରେ ବି ବେଞ୍ଚ ମାର୍କ ମୂଲ୍ୟଠୁ କମ ରହୁଛି ରେଟ ! ପର୍ଯ୍ୟଟନ, ଶିଳ୍ପାୟନ ପାଇଁ ଏଭଳି ସୁଯୋଗ ନା ଆଉ କିଛି ? ଡେଲଟା ଛକରେ ୪୦କୋଟିର ଜମି ବି ଲିଜରେ ମିଳୁଛି ୧୨ କୋଟିରେ ! ଭୁବନେଶ୍ୱରରେ ଷ୍ଟାର ହୋଟେଲ ପାଇଁ ଏମିତି ୬ଟି ଜମି ଦେଇଛି ବିଡିଏ।

ଭୁବନେଶ୍ୱର ଡେଲଟା ଛକରେ ତିଆରି ଚାଲିଛି ୫-ତାରକା ହୋଟେଲ। ଏହି ଜମି ନିର୍ମାଣ ହେଉଛି ୧.୭୩ ଏକର ଜମିରେ। ଯାହାର ବର୍ତମାନ ବଜାର ମୂଲ୍ୟ ପ୍ରାୟ ୫୦ କୋଟି ଟଙ୍କା ହେବ। ତେବେ ବିଡିଏ ଏହି ଜମିକୁ ପ୍ରାୟ ୪ ବର୍ଷ ତଳେ ରିଏଲ ଇଷ୍ଟେଟ ସଂସ୍ଥା- ଡିଏନ ହୋମ୍ସକୁ ଦେଇଛି ମାତ୍ର ୧୨.୫୩ କୋଟି ଟଙ୍କାରେ। ଏଥିପାଇଁ ଇ-ନିଲାମ ବା ଇ-ଅକ୍ସନ ବି ହୋଇଛି। ୨୦୧୮ରେ ନିଲାମ ପରେ ୨୦୨୦ରେ ଲିଜ୍ ଚୁକ୍ତି ହୋଇଛି। ୯୦ ବର୍ଷ ପାଇଁ ଲିଜ୍ ଦିଆଯାଇଛି। ମଞ୍ଜ କଥା ହେଉଛି, ସେତେବେଳେ ଗୋପବନ୍ଧୁନଗରର ଡେଲଟା ଛକର ୧୬୪ ନମ୍ବର ପ୍ଲଟରେ ଥିବା ଏହି ସରକାରୀ ଆବାସିକ ଜମିର ଏକର ପ୍ରତି ମୂଲ୍ୟ ଥିଲା ୧୧.୯୬ କୋଟି ଟଙ୍କା। ସମୁଦାୟ ୧.୭୩ ଏକର ଜମିର ସରକାରୀ ମୂଲ୍ୟ ଥିଲା ୨୦.୬୯ କୋଟି ଟଙ୍କା। ଆଇଜିଆର ଓ୍ୱେବସାଇଟ ଓ ଭୁବନେଶ୍ୱର ରେଜିଷ୍ଟାରରେ ଅଫିସରେ ବି ଏହି ସାର୍ବଜନୀନ ତଥ୍ୟ ଉପଲବ୍ଧ ରହିଛି। ତେବେ ସେତେବେଳେ ସେହି ଜମିର ବଜାର ମୂଲ୍ୟ ଅତି କମରେ ୪୦ କୋଟି ଟଙ୍କା ହୋଇଥାନ୍ତା ବୋଲି କୁହାଯାଉଛି।

ଚାର୍ଟଡ ଆକାଉଣ୍ଟାଣ୍ଟ ଚିତ୍ତରଂଜନ ବେହେରା କୁହନ୍ତି, ଜମି ଚାରିପାଖରେ ୨୦୦ ଫୁଟିଆ ରାସ୍ତା ଥାଉ କି ୧୦୦ ଫୁଟିଆ ରାସ୍ତା ରାଜସ୍ୱ ବିଭାଗ ପକ୍ଷରୁ ସ୍ଥିରୀକୃତ ବେଂଚ୍ ମାର୍କ ଭାଲ୍ୟୁ ସମାନ ରହିଥାଏ। ମାତ୍ର ମାର୍କେଟ ଭାଲ୍ୟୁକୁ ବଜାର ବା ମାର୍କେଟ ସ୍ଥିର କରିଥାଏ। ତେଣୁ ବେଂଚ୍ ମାର୍କ ଭାଲ୍ୟୁ ଓ ମାର୍କେଟ ଭାଲ୍ୟୁରେ ପାର୍ଥକ୍ୟ ଦେଖାଯାଏ।

ଏବେ ଦେଖନ୍ତୁ, ଏହି ଜମିକୁ ପାଇଛି କେଉଁ ରିଏଲ ଇଷ୍ଟେଟ ସଂସ୍ଥା? ନିଲାମରେ କୁଆଡ଼େ ସବୁଠାରୁ ଅଧିକ ଅର୍ଥ ଡିଏନ୍ ହୋମ୍ସ ଦେଇଥିଲା ବୋଲି ବିଡିଏ ସୂଚନା ଅଧିକାର ଆଇନରେ ଦର୍ଶାଇଛି। ୨୬.୦୨.୨୦୨୦ରେ ନିଲାମଧାରୀ ଡିଏନ୍ ହୋମସ ତା’ ଦ୍ୱାରା ଗଠିତ ଏକ ସ୍ପେଶାଲ ପର୍ପୋଜ ଭେଇକିଲ୍ ବା ଏସପିଭି- ‘ଲକଜୁରିଓ ଆସେଟ୍ସ ପ୍ରାଇଭେଟ ଲିମିଟେଡ୍’ ଜରିଆରେ ଏ ନେଇ ବିଡିଏ ସହ ଲିଜ ଚୁକ୍ତି କରିଛି। ଲକଜୁରିଓ ଆସେଟ୍ସ ପ୍ରାଇଭେଟ ଲିମିଟେଡରେ ଡିଏନ୍ ହୋମସର ୫୧ ପ୍ରତିଶତ ଅଂଶଧନ ଥିବା ବେଳେ ରାଉରକେଲାର ଦୀପ୍ତିରଂଜନ ପଟ୍ଟନାୟକଙ୍କର ରହିଛି ୪୯ ପ୍ରତିଶତ ଅଂଶଧନ। ତିନି ଜଣ ନିର୍ଦ୍ଦେଶକଙ୍କ ଭିତରେ ଅଛନ୍ତି ଭୁବନେଶ୍ୱର ଡିଏନ୍ ହୋମସ ପ୍ରାଇଭେଟ ଲିମିଟେଡର ଏମଡି ଜଗଦୀଶ ପ୍ରସାଦ ନାୟକ, ରାଉରକେଲାର ଶିଳ୍ପପତି ଦୀପ୍ତିରଂଜନ ପଟ୍ଟନାୟକ। ଆଉ ଜଣେ ନିର୍ଦ୍ଦେଶକ ଅଛନ୍ତି କନସଲଟାଂଟ୍ ଜିତେନ୍ଦ୍ର କୁମାର ମହାନ୍ତି। ଯାହାଙ୍କର ଏଥିରେ କୌଣସି ଅଂଶଧନ ନାହିଁ।

ଜଗଦୀଶ ପ୍ରସାଦ ନାୟକଙ୍କ ଡିଏନ ଗ୍ରୁପ୍ ଭୁବନେଶ୍ୱରରେ ଡିଏନ୍ ରେଗାଲିଆ, ତାଜ ଭିଭାନ୍ତ, ଭିପୁଲ୍ ଗାର୍ଡେନସ ଭଳି ଅନେକ ବଡ଼ ପ୍ରୋଜେକ୍ଟ କରିଛନ୍ତି। ନିକଟରେ ଦୁବାଇରେ ହେଉଥିବା ଇନଭେଷ୍ଟର୍ସ ମିଟରେ ଯୋଗ ଦେବା ପାଇଁ ରାଜ୍ୟ ସରକାର ଜଗଦୀଶ ପ୍ରସାଦ ନାୟକଙ୍କୁ ନିମନ୍ତ୍ରିତ ପ୍ରତିନିଧି ଭାବେ ଦୁବାଇ ନେଇଥିଲେ। ଏ ସବୁରେ କୌଣସି ସଂଯୋଗ ଥାଉ ବା ନଥାଉ, ଷ୍ଟାର ହୋଟେଲ ପାଇଁ ଜମି ନିଲାମ ବେଳେ ସରକାରୀ ଜମିର ଲିଜ୍ ମୂଲ୍ୟ କିଭଳି ବେଂଚ୍ ମାର୍କ ମୂଲ୍ୟଠାରୁ ବି କମିଯାଉଛି ତାହା ଚିନ୍ତାର ବିଷୟ ହୋଇଛି। ଏଥିରେ କୌଣସି ବଡ଼ ବାବୁଙ୍କର ହାତ ରହିନାହିଁ ତ ତାହା ପ୍ରଶ୍ନ ସୃଷ୍ଟି କରୁଛି।

ଏ ସମ୍ପର୍କରେ ଡିଏମ୍‌ ହୋମ୍ସର ନିର୍ଦ୍ଦେଶିକାଙ୍କୁ ଭେଟିଥିଲେ ବି ସେ କୌଣସି ପ୍ରତିକ୍ରିୟା ଦେବାକୁ ମନା କରିଥିଲେ।

Related story