Advertisment

Loot Conspiracy: ନିଜ ଦୋକାନରୁ ଲୁଟ୍ ପାଇଁ କରିଥିଲେ ବଡ଼ ଷଡ଼ଯନ୍ତ୍ର; ବ୍ୟବସାୟୀଙ୍କ ସମେତ ୧୩ ଜଣଙ୍କୁ ବାନ୍ଧିଲା କମିଶନରେଟ୍ ପୁଲିସ

ଏକ ବଡ଼ ଚୋରି ଓ ବଡ଼ ବୀମା ଠକେଇକୁ ରୋକିବାରେ ସମର୍ଥ ହୋଇଛି ଭୁବନେଶ୍ୱରର ତମାଣ୍ଡୋ ଥାନା ପୁଲିସ। ଏହା ସହିତ ୧୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେମାନଙ୍କ ମଧ୍ୟରେ ୨ ଜଣ ବ୍ୟବସାୟୀ ଅଛନ୍ତି।

author-image
Jitendra Garnayak
Accused

ଗିରଫ ଅଭିଯୁକ୍ତମାନେ

ବ୍ୟବସାୟରେ କ୍ଷତି ଯୋଗୁ ନିଜ ଦୋକାନରୁ ଲୁଟ୍ କରି ୧୮ ଲକ୍ଷ ଟଙ୍କାର ଇନସ୍ୟୁରାନ୍ସ ଅର୍ଥ ପାଇବାକୁ ଷଡ଼ଯନ୍ତ୍ର କରିଥିବା ଜଣେ ବ୍ୟବସାୟୀଙ୍କୁ ଗିରଫ କରିଛି ଭୁବନେଶ୍ୱରର ତମାଣ୍ଡୋ ଥାନା ପୁଲିସ। ତାଙ୍କ ସହିତ ଆଉ ୧୨ ଜଣଙ୍କୁ ଗିରଫ କରାଯାଇଛି। ସମସ୍ତ ୧୩ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି।  

Advertisment

ଗିରଫ ବ୍ୟବସାୟୀଙ୍କ ନାଁ ସନ୍ତୋଷ କୁମାର ମହାରଣା। ଭୁବନେଶ୍ୱରରେ ତମାଣ୍ଡୋ ଥାନା ଅଞ୍ଚଳରେ ଜାତୀୟ ରାଜପଥ କଡ଼ରେ ତାଙ୍କର ଏକ ପ୍ଲାଇଉଡ୍‌ ଦୋକାନ ଅଛି, ଯାହାର ନାଁ ଆଦ୍ୟାଶା ଟ୍ରେଡର। ସେହିପରି ଗିରଫ ହୋଇଥିବା ଅନ୍ୟ ୧୨ ଜଣଙ୍କ ଭିତରେ ମଧ୍ୟ ଜଣେ ବ୍ୟବସାୟୀ ଅଛନ୍ତି। ତାଙ୍କ ନାଁ ମନୋଜ ସେଠ୍‌। ବାରିପଦାରେ ତାଙ୍କର ପ୍ଲାଇଉଡ୍‌ ଦୋକାନ ଅଛି। ସନ୍ତୋଷଙ୍କ ଦୋକାନରୁ ମିଛ ଲୁଟ୍‌ ପରେ ସବୁ ଜିନିଷକୁ ସେ ବାରିପଦା ସ୍ଥିତ ନିଜ ଦୋକାନକୁ ନେଇଥା’ନ୍ତେ। ଅନ୍ୟ ୧୧ ଜଣ ବାଲେଶ୍ୱରର। ଏହି ୧୧ ଜଣ ପୂର୍ବରୁ ଅନ୍ୟ କୌଣସି ମାମଲାରେ ସଂପୃକ୍ତ ରହିଛନ୍ତି ନା ନାହିଁ, ସେ ନେଇ ତଦନ୍ତ ଚାଲିଛି। 

ଗିରଫ ଅଭିଯୁକ୍ତମାନଙ୍କଠାରୁ ଗ୍ୟାସ୍‌ କଟର, ଆଇରନ କଟର, ୱେଲ୍ଡିଂ ମେସିନ, ଲକ୍ ବ୍ରେକର, ବିଭିନ୍ନ ପ୍ରକାର ମାରଣାସ୍ତ୍ର ସହ ଗୋଟିଏ ବୁଲେଟ ଓ ୩ଟି ପିକ୍‌ ଅପ୍ ଭ୍ୟାନ୍ ଏବଂ ଗୋଟିଏ ବୋଲେରୋ ଜବତ କରିଛି ପୁଲିସ। ଗିରଫ ପରେ ୧୩ ଜଣକୁ କୋର୍ଟ ଚାଲାଣ କରିଛି କରିଛି ପୋଲିସ ।

Advertisment

କେମିତି ଧରାପଡ଼ିଲେ
ଭୁବନେଶ୍ୱର ଡିସିପି ଜଗମୋହନ ମୀନା କହିଛନ୍ତି, ଗତକାଲି ରାତି ୧୨ଟା ପରେ ତମାଣ୍ଡୋ ଥାନାକୁ ଜଣେ ବ୍ୟକ୍ତି ଫୋନ୍ କରିଥିଲେ। ତମାଣ୍ଡୋ ଥାନା ଅଞ୍ଚଳରେ ଏକ ଢାବାରେ କିଛି ଲୋକ ଲୁଟ୍‌ପାଟ୍ କରିବା ପାଇଁ ସେମାନେ ଯୋଜନା କରୁଥିବା ସେ କହିଥିଲେ। ଏହି ସୂଚନା ପାଇବା ପରେ ତତ୍ପର ହୋଇଯାଇଥିଲା ତମାଣ୍ଡୋ ଥାନା ପୁଲିସ ଓ ଉକ୍ତ ଢାବାରେ ଚଢ଼ାଉ କରିଥିଲା। ଢାବାରେ ଯେତେ ଲୋକ ଥିଲେ, ସମସ୍ତଙ୍କୁ ଧରିବାକୁ ପ୍ରୟାସ କରାଯାଇଥିଲା। ବହୁ ଲୋକ ପଳାଇବାକୁ ଚେଷ୍ଟା କରିଥିଲେ। କିନ୍ତୁ ପୁଲିସ ସମସ୍ତଙ୍କୁ ଧରିବାରେ ସଫଳ ହୋଇଥିଲା।

ଡିସିପି କହିଛନ୍ତି, ତଦନ୍ତ ବେଳେ ଜଣାପଡ଼ିଲା ଯେ ସନ୍ତୋଷ କୁମାର ମହାରଣାଙ୍କ ପ୍ଲାଇଉଡ୍ ଦୋକାନରୁ ଚୋରି କରିବା ପାଇଁ ଏମାନେ ଏକାଠି ହୋଇଥିଲେ। ପଚରାଉଚରା ବେଳେ ସନ୍ତୋଷ କହିଥିଲେ ଯେ ତାଙ୍କ ବ୍ୟବସାୟ କ୍ଷତିରେ ଚାଲିଛି। ବହୁ ଟଙ୍କା ବାକି ପଡ଼ିଛି। ଦେଢ଼ ବର୍ଷ ହେଲା ସେ ଦୋକାନ ଭଡ଼ା ଦେଇପାରୁ ନଥିଲେ। ତେଣୁ ସେ ୟୁଟ୍ୟୁବରେ ଏକ ଫିଲ୍ମ ଦେଖି ନିଜ ଦୋକାନରୁ ଚୋରି ପ୍ଲାନ୍ କରିଥିଲେ। ଦୋକାନରୁ ଚୋରି ହୋଇଥିବା ଦର୍ଶାଇ ସେ ଇନ୍‌ସ୍ୟୁରାନ୍ସ ଦାବି କରିଥା’ନ୍ତେ।

ଡିସିପି ଶ୍ରୀ ମୀନା କହିଛନ୍ତି ଯେ ଏହା ତମାଣ୍ଡୋ ପୁଲିସ ପାଇଁ ଏକ ବଡ଼ ସଫଳତା। ଅଭିଯୁକ୍ତଙ୍କ ଯୋଜନା ସଫଳ ହୋଇଥିଲେ ଏହା ଏକ ବଡ଼ ଚୋରି ଘଟଣା ହୋଇଥା’ନ୍ତା। ତଦନ୍ତରେ ପୁଲିସର ଅଯଥାରେ ବହୁ ସମୟ ନଷ୍ଟ ହୋଇଥା’ନ୍ତା। ସେହିପରି ଏହି ମିଛ ଚୋରି ଯୋଗୁ ଏକ ବଡ଼ ଇନ୍‌ସ୍ୟୁରାନ୍ସ ଠକେଇ ବି ହୋଇଥା’ନ୍ତା। ତେଣୁ ଠିକ୍ ସମୟରେ କାର୍ଯ୍ୟାନୁଷ୍ଠାନ ନେଇ ପୁଲିସ ଦୁଇଟି ଅପରାଧକୁ ରୋକିବାରେ ସଫଳ ହୋଇଛି।