ସିଂହଦ୍ୱାର ନିକଟରେ ଲାଗିଲା ତିନି ରଥ

ପୁରୀ (ଓଡ଼ିଶା ରିପୋର୍ଟର): ଆସନ୍ତାକାଲି ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା। ରତ୍ନବେଦୀ ଛାଡ଼ି ଜନ୍ମବେଦୀକୁ ବିଜେ ହେବେ ମହାବାହୁ। ଏଥିପାଇଁ ସରିଛି ସବୁ ପ୍ରସ୍ତୁତି। ସିଂହଦ୍ୱାର ସାମ୍ନାରେ ବି ଲାଗି ସାରିଛନ୍ତି ତିନି ରଥ। ଆଜି ଶ୍ରୀମନ୍ଦିରରୁ ରଥଖଳାକୁ ଆଜ୍ଞାମାଳ ଆସିବା ପରେ ପ୍ରଥମେ ନନ୍ଦିଘୋଷକୁ ସିଂହଦ୍ୱାର ସାମ୍ନାକୁ ଅଣାଯାଇଥିଲ। ତା’ ପରେ ଦେବଦଳନ ଓ ଶେଷରେ ତାଳଧ୍ୱଜ ରଥକୁ ଅଣାଯାଇଥିଲା। କୋଭିଡ୍ ନିୟମ ପାଳନକ୍ରମେ ସେବାୟତମାନେ ତିନି ରଥକୁ ଟାଣି ଟାଣି ସିଂହଦ୍ୱାର ସାମ୍ନାକୁ ଆଣିଥିଲେ। ସେହିପରି ପରମ୍ପରା […]

Chariots

Chariots

Jitendra Garnayak
  • Published: Sunday, 11 July 2021
  • Updated: 11 July 2021, 02:14 PM IST

ପୁରୀ (ଓଡ଼ିଶା ରିପୋର୍ଟର): ଆସନ୍ତାକାଲି ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା। ରତ୍ନବେଦୀ ଛାଡ଼ି ଜନ୍ମବେଦୀକୁ ବିଜେ ହେବେ ମହାବାହୁ। ଏଥିପାଇଁ ସରିଛି ସବୁ ପ୍ରସ୍ତୁତି। ସିଂହଦ୍ୱାର ସାମ୍ନାରେ ବି ଲାଗି ସାରିଛନ୍ତି ତିନି ରଥ।

ଆଜି ଶ୍ରୀମନ୍ଦିରରୁ ରଥଖଳାକୁ ଆଜ୍ଞାମାଳ ଆସିବା ପରେ ପ୍ରଥମେ ନନ୍ଦିଘୋଷକୁ ସିଂହଦ୍ୱାର ସାମ୍ନାକୁ ଅଣାଯାଇଥିଲ। ତା’ ପରେ ଦେବଦଳନ ଓ ଶେଷରେ ତାଳଧ୍ୱଜ ରଥକୁ ଅଣାଯାଇଥିଲା। କୋଭିଡ୍ ନିୟମ ପାଳନକ୍ରମେ ସେବାୟତମାନେ ତିନି ରଥକୁ ଟାଣି ଟାଣି ସିଂହଦ୍ୱାର ସାମ୍ନାକୁ ଆଣିଥିଲେ।

ସେହିପରି ପରମ୍ପରା ଅନୁସାରେ ରଥଯାତ୍ରା ଲାଗି ଜଗଦଗୁରୁ ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀଙ୍କୁ ନିମନ୍ତ୍ରଣ କରିଛି ଶ୍ରୀମନ୍ଦିର ପ୍ରଶାସନ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର ଗୋବର୍ଦ୍ଧନ ପୀଠରେ ପହଞ୍ଚି ଶଙ୍କରାଚାର୍ଯ୍ୟଙ୍କୁ ନିମନ୍ତ୍ରଣ କରିଛନ୍ତି। ରଥରେ ମହାପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ସେ ଜଗଦଗୁରୁଙ୍କୁ ନିମନ୍ତ୍ରଣ କରିଛନ୍ତି। ଶ୍ରୀମନ୍ଦିର ପ୍ରଶାସନର ନିମନ୍ତ୍ରଣ ରକ୍ଷା କରି ନିଜର ୬ ଜଣ ଅୁଗାମୀଙ୍କ ସହ ଯିବାକୁ ସମ୍ମତି ପ୍ରଦାନ କରିଛନ୍ତି ଶଙ୍କରାଚାର୍ଯ୍ୟ। ଏହା ସହିତ ଶାନ୍ତିଶୃଙ୍ଖଳାର ସହ ରଥଯାତ୍ରା ସମାପନ କରିବାକୁ ସେ ପ୍ରଶାସନକୁ କହିଛନ୍ତି। ସେହିପରି କରୋନା କଟକଣା ଥିବାରୁ ଶ୍ରଦ୍ଧାଳୁମାନେ ଘରେ ରହି ରଥଯାତ୍ରା ଦର୍ଶନ କରିବାକୁ ସେ ପରାମର୍ଶ ଦେଇଛନ୍ତି।

ଏହି ଅବସରରେ ଶଙ୍କରାଚାର୍ଯ୍ୟ ଅଭିଯୋଗ କରିଛନ୍ତି ଯେ ଶ୍ରୀମନ୍ଦିର ମାମଲାରେ ପ୍ରଶାସନ ତାଙ୍କୁ ଗରୁତ୍ୱ ଦେଉ ନାହିଁ। ପରିଚାଳନା କମିଟି ବୈଠକର ପୂର୍ଣ୍ଣାଙ୍ଗ ତଥ୍ୟ ତାଙ୍କୁ ଦିଆଯାଉନି କି ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପାଳନ ହେଉ ନାହିଁ।

କରୋନା ଯୋଗୁ ଗତ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ କଟକଣା ମଧ୍ୟରେ ବିନା ଭକ୍ତରେ ପୁରୀରେ ରଥଯାତ୍ରା ଆୟୋଜନ କରାଯାଉଛି। ପୁରୀ ସହରରେ ଆଜିଠୁ ୪୮ ଘଣ୍ଟିଆ କର୍ଫ୍ୟୁ ଜାରି କରାଯିବ। ଆଜି ରାତି ୮ଟାରୁ ୧୩ ତାରିଖ ରାତି ୮ଟା ପର୍ଯ୍ୟନ୍ତ ଏଠାରେ କର୍ଫ୍ୟୁ ବଳବତ୍ତର ରହିବ। ବଡ଼ଦାଣ୍ଡରେ ଦୁଇ ପାର୍ଶ୍ୱରେ ଥିବା ସମସ୍ତ ହୋଟେଲ୍‌, ଲଜ୍‌ ଓ ଧର୍ମଶାଳାକୁ ଖାଲି କରାଯାଇଛି। ବଡ଼ଦାଣ୍ଡର ଦୁଇ ପାର୍ଶ୍ୱରେ ଥିବା ଲୋକେ ଛାତ ଉପରୁ ରଥଯାତ୍ରା ଦେଖିପାରିବେ ନାହିଁ।

କର୍ଫ୍ୟୁ ବଳବତ୍ତର ଥିବା ସମୟରେ ବଡ଼ଦାଣ୍ଡରେ ଯାନବାହନ ଚଳାଚଳ ଉପରେ କଟକଣା ଲଗାଯାଇଛି। ଏହାବ୍ୟତୀତ ବଡ଼ଦାଣ୍ଡରେ ଥିବା କୌଣସି ଦୋକାନ ଖୋଲାଯିବ ନାହିଁ। କର୍ଫ୍ୟୁ ସମୟରେ ସହରର ଅନ୍ୟ ସ୍ଥାନ ଗୁଡ଼ିକରେ କେବଳ ଔଷଧ ଦୋକାନ, ମେଡ଼ିକାଲ୍ ଉପକରଣ ଦୋକାନ ଏବଂ ଚଷମା ଦୋକାନ ଗୁଡ଼ିକୁ ଖୋଲିବାକୁ ଅନୁମତି ମିଳିଛି। ପୁରୀ ଜିଲ୍ଲା ବାହାରୁ ଆସୁଥିବା ଲୋକଙ୍କ ଚଳପ୍ରଚଳକୁ ରୋକିବା ପାଇଁ ସମସ୍ତ ପ୍ରବେଶ ପଥକୁ ସିଲ୍ କରାଯିବା ସହ ୮ଟି ଚେକିଂ ପଏଣ୍ଟ କରାଯାଇଛି।

କର୍ଫ୍ୟୁ ସମୟରେ ଲୋକଙ୍କ ସୁବିଧା ପାଇଁ ହେଲ୍‌ପ ଲାଇନ୍‌ ନମ୍ବର ଜାରି କରାଯାଇଛି। ଜରୁରୀ ସ୍ଥିତିରେ ଲୋକେ 18003457495 ନମ୍ବରରେ ଫୋନ୍ କରିପାରିବେ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos