ତିନି ଜଣଙ୍କୁ ମାରି ମୃତଦେହ ପାଖରେ ଜଗି ରହିଥିଲା ରକ୍ତମୁଖା ଭାଲୁ!

ନୂଆପଡ଼ା (ମାୟାଧର ସରାଫ): ରାଗି ଯାଇଥିଲା ରକ୍ତ ମୁଖା ଭାଲୁ। ରତନ ମାଝିକୁ ମାରିବା ପରେ ମୃତଦେହକୁ ଜଗି ରହିଥିଲା। ମୃତଦେହ ନେବାକୁ ଆସିଥିବା ଅନ୍ୟ ଦୁଇ ଜଣଙ୍କୁ ମାରି ପୁଣି ଥରେ ରତନ ମାଝିଙ୍କ ମୃତଦେହ ପାଖରେ ବସିଥିଲା ଭାଲୁ! ଶୁକ୍ରବାର ସନ୍ଧ୍ୟା ବେଳେ ଏପରି ଲୋମହର୍ଷଣ ଘଟଣା ନୂଆପଡ଼ା ବନାଞ୍ଚଳରେ ଦେଖିବାକୁ ମିଳିଥିଲା। ତେବେ ରାତିରେ ଗାଁ ଲୋକେ ଉକ୍ତ ରକ୍ତମୁଖା ଭାଲୁକୁ ମାରିଦେଇଥିବା ଅଭିଯୋଗ ହୋଇଛି।  ଶୁକ୍ରବାର ସକାଳେ କୋମନା ବ୍ଲକର ସମରସିଂ […]

Nuapada

Manoranjan Sial
  • Published: Saturday, 16 July 2022
  • , Updated: 16 July 2022, 05:30 PM IST

ନୂଆପଡ଼ା (ମାୟାଧର ସରାଫ): ରାଗି ଯାଇଥିଲା ରକ୍ତ ମୁଖା ଭାଲୁ। ରତନ ମାଝିକୁ ମାରିବା ପରେ ମୃତଦେହକୁ ଜଗି ରହିଥିଲା। ମୃତଦେହ ନେବାକୁ ଆସିଥିବା ଅନ୍ୟ ଦୁଇ ଜଣଙ୍କୁ ମାରି ପୁଣି ଥରେ ରତନ ମାଝିଙ୍କ ମୃତଦେହ ପାଖରେ ବସିଥିଲା ଭାଲୁ! ଶୁକ୍ରବାର ସନ୍ଧ୍ୟା ବେଳେ ଏପରି ଲୋମହର୍ଷଣ ଘଟଣା ନୂଆପଡ଼ା ବନାଞ୍ଚଳରେ ଦେଖିବାକୁ ମିଳିଥିଲା। ତେବେ ରାତିରେ ଗାଁ ଲୋକେ ଉକ୍ତ ରକ୍ତମୁଖା ଭାଲୁକୁ ମାରିଦେଇଥିବା ଅଭିଯୋଗ ହୋଇଛି। 

ଶୁକ୍ରବାର ସକାଳେ କୋମନା ବ୍ଲକର ସମରସିଂ ଗାଁର ରତନ ମାଝି ନିକଟସ୍ଥ ଗ୍ରାମ୍ୟ ଜଙ୍ଗଲକୁ କାଠ ପାଇଁ ଯାଇଥିଲେ। ହେଲେ ସେ ଘରକୁ ଫେରିନଥିଲେ। ପରିବାର ଲୋକଙ୍କଠାରୁ ଖବର ପାଇ ଗାଁର ପ୍ରାୟ ୭ରୁ ୮ ଜଣ ଯୁବକ ସନ୍ଧ୍ୟା ବେଳେ ଜଙ୍ଗଲ ଭିତରକୁ ଯାଇଥିଲେ। ସେହି ସମୟରେ ରତନ ମାଝିଙ୍କ କ୍ଷତବିକ୍ଷତ ମୃତଦେହକୁ ଜଗି ରହିଥିଲା ଭାଲୁ! ଏହା ଦେଖି ଗାଁ ଲୋକେ ହତବାକ ହୋଇଯାଇଥିଲେ। 

ଭାଲୁଟି ଗାଁ ଲୋକଙ୍କୁ ଦେଖି ଗୋଡ଼ାଇ ଆସିଥିଲା। ସମସ୍ତେ ଜୀବନ ବିକଳରେ ଧାଇଁ ପଳାଇବାକୁ ଚେଷ୍ଟା କରିଥିଲେ। ହେଲେ ଭାଲୁ ହାବୁଡ଼ରେ ନକୂଳ ମାଝି, ରବି ରଣା, କୁନା ମାଝି ଓ ପରମେଶ୍ୱର ମାଝି ପଡ଼ି ଯାଇଥିଲେ। ଭାଲୁ ନକୂଳ ମାଝି ଓ ରବି ରଣାଙ୍କୁ ଖିନ୍‌ଭିନ୍‌ କରିଦେଇଥିଲା। ଘଟଣା ସ୍ଥଳରେ ସେମାନଙ୍କ ମୃତ୍ୟୁ ଘଟିଥିଲା। ତେବେ କୁନା ମାଝି ଓ ପରମେଶ୍ୱର ମାଝି ଗୁରୁତର ଆହତ ହୋଇଥିଲେ।

ଭାଲୁଟି ନକୂଳ ଓ ରବିଙ୍କୁ ମାରିଦେବା ପରେ ପୁଣି ଥରେ ଯାଇ ରତନଙ୍କ ମୃତଦେହ ପାଖରେ ବସିଥିଲା। ଏହି ଖବର ପ୍ରଚାରିତ ହେବା ପରେ ୫୦ରୁ ଅଧିକ ଗାଁ ଲୋକ ବିଭିନ୍ନ ମାରଣାସ୍ତ୍ର ଧରି ଜଙ୍ଗଲ ଭିତରକୁ ଯାଇଥିଲେ। ରକ୍ତ ମୁଖା ଥିବା ଭାଲୁ ଆକ୍ରମଣ କରିବା ପୂର୍ବରୁ ଗାଁ ଲୋକେ ଟାଙ୍ଗିଆ ଓ ଅନ୍ୟାନ୍ୟ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ। ଫଳରେ ଭାଲୁର ମୃତ୍ୟୁ ଘଟିଥିଲା। ଭାଲୁକୁ ମାରିବା ପରେ ଗାଁ ଲୋକେ ଗୁରୁତର ଆହତ ହୋଇଥିବା କୁନା ମାଝି ଓ ପରମେଶ୍ୱର ମାଝିଙ୍କୁ ଉଦ୍ଧାର କରି ନୂଆପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ।

ସେପଟେ ବନ ବିଭାଗ ରତନ୍‌ ମାଝି, ନକୂଳ ମାଝି ଓ ରବି ମାଝିଙ୍କ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି। ମୃତକଙ୍କ ପରିବାର ପିଛା ୪ ଲକ୍ଷ ଟଙ୍କା ଲେଖାଏଁ ଦେବାକୁ ଘୋଷଣା କରିଛି ବନ ବିଭାଗ। ଏହାଛଡ଼ା ଆହତଙ୍କୁ ମାଗଣା ଚିକିତ୍ସା ଓ ୫୦୦୦ ଲେଖାଏଁ ଟଙ୍କା  ପ୍ରଦାନ କରିଛି। ଚିକିତ୍ସା ସତ୍ତ୍ୱେ ଯଦି କୌଣସି ଆହତଙ୍କର ଅଙ୍ଗ ପ୍ରତ୍ୟଙ୍ଗ ଅକାମୀ ହୋଇଯାଏ, ତାହାହେଲେ ସେମାନଙ୍କୁ ଲକ୍ଷେ ଟଙ୍କା ଲେଖାଏଁ କ୍ଷତିପୂରଣ ପ୍ରଦାନ କରାଯିବ ବୋଲି ବନ ବିଭାଗ ଘୋଷଣା କରିଛି। ସୁରକ୍ଷା ଦୃଷ୍ଟିରୁ ଗାଁରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିବା ବେଳେ ଜଙ୍ଗଲକୁ ନଯିବା ପାଇଁ ଲୋକଙ୍କୁ ପରାମର୍ଶ ଦିଆଯାଇଛି।

ଅନ୍ୟପକ୍ଷରେ ଗାଁ ଲୋକଙ୍କ ରୋଷରେ ଶିକାର ହୋଇ ପ୍ରାଣ ହରାଇଥିବା ଭାଲକୁ ଜବତ କରିଛି। ଭାଲୁର ମୃତଦେହକୁ ବ୍ୟବଚ୍ଛେଦ କରି ଜଙ୍ଗଲ ଭିତରେ ପୋତିଦେଇଛି ବନ ବିଭାଗ।

Related story