ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଅଶାନ୍ତ ହୋଇଛି ରାଜଧାନୀ ଭୁବନେଶ୍ୱରର ମାଷ୍ଟରକ୍ୟାଣ୍ଟିନ୍ ଛକ। ବୁଲିଲା ଖଣ୍ଡା ଓ ଲୁହା ରଡ୍। ଦିନ ଦି’ପହରରେ ଆତଙ୍କରାଜ ଚଳାଇଲେ ୧୨ ଅସାମାଜିକ ଯୁବକ। ଆଉ ମାଷ୍ଟରକ୍ୟାଣ୍ଟିନ୍ ରାସ୍ତା ଓ ଗଳିକନ୍ଦି ହେଲା ରକ୍ତ ରଞ୍ଜିତ। କମିଶନରେଟ୍ ପୁଲିସକୁ ଖୋଲା ଚ୍ୟାଲେଞ୍ଜ ଦେଇ ସମସ୍ତଙ୍କ ସମ୍ମୁଖରେ ଦୁର୍ବୃତ୍ତମାନେ ୩ ଜଣ ଯୁବକଙ୍କୁ ଆକ୍ରମଣ କରି ଚମ୍ପଟ ମାରିଲେ। ହେଲେ ପୁଲିସ ସେମାନଙ୍କୁ ଧରିବାରେ ସଫଳ ହୋଇନାହିଁ।
ଜନଗହଳୀପୂର୍ଣ୍ଣ ମାଷ୍ଟରକ୍ୟାଣ୍ଟିନ ଛକ। ହଠାତ୍ ୧୨ ଜଣ ଯୁବକ ଖଣ୍ଡା ଓ ଲୁହା ରଡ୍ ଧରି ଆସିଲେ। ସେମାନେ ୩ ଜଣଙ୍କୁ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କରିଥିଲେ। ଅଧଘଣ୍ଟାଏରୁ ଅଧିକ ସମୟ ଧରି ସେମାନେ ମାଷ୍ଟରକ୍ୟାଣ୍ଟିନ ଛକରେ ଆତଙ୍କରାଜ ଚଳାଇଲେ। ଆଉ ତା’ପରେ ସେଠାରୁ ଚମ୍ପଟ ମାରିଲେ। ଖବର ପାଇ କମିଶନରେଟ୍ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଆହତ ୩ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି କ୍ୟାପିଟାଲ୍ ମେଡିକାଲ୍ରେ ଭର୍ତ୍ତି କରିଥିଲେ। ସେମାନଙ୍କ ଶରୀରରେ ବିଭିନ୍ନ ସ୍ଥାନରେ ଗଭୀର କ୍ଷତ ଚିହ୍ନ ସୃଷ୍ଟି ହୋଇଛି। ଆହତଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଉଦ୍ବେଗ ଜନକ ରହିଛି।
ଆକ୍ରମଣରେ ବ୍ୟବହାର ହୋଇଥିବା ଲୁହା ରଡ୍ ଗୁଡ଼ିକୁ କମିଶନରେଟ୍ ପୁଲିସ ବିଭିନ୍ନ ସ୍ଥାନରେ ଜବତ କରିଛି। ଏହି ଆକ୍ରମଣ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ରାଜାକୁ ଅଟକ ରଖି ପଚରାଉଚରା କରୁଛି ପୁଲିସ। ଅନ୍ୟ ଅଭିଯୁକ୍ତଙ୍କୁ ଧରିବା ପାଇଁ ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛି। ପୂର୍ବ ଶତ୍ରୁତାରୁ ଏହି ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି।
ଅଭିଯୋଗରୁ ପ୍ରକାଶ, ରାଜା ମାଷ୍ଟରକ୍ୟାଣ୍ଟିନରେ କ୍ୟାବିନ୍ ପକାଇ ମଦ ଓ ବ୍ରାଉନ୍ସୁଗର ପରି ନିଶା ବେପାର କରୁଥିଲା। ଯାହାକୁ ଅନ୍ୟ ଦୋକାନୀମାନେ ବିରୋଧ କରିଥିଲେ। ଯେଉଁଥିପାଇଁ ରାଜା ଓ ଅନ୍ୟ ଦୋକାନୀଙ୍କ ଭିତରେ ଶତ୍ରୁତା ସୃଷ୍ଟି ହୋଇଥିଲା ବୋଲି ଶୁଣିବାକୁ ମିଳୁଛି। ସେହିପରି ମାଷ୍ଟରକ୍ୟାଣ୍ଟନ୍ ଅଞ୍ଚଳରେ ରାଜାଙ୍କ ସମର୍ଥକମାନେ କ୍ୟାବିନ୍ ପକାଇବାକୁ ଚାହୁଁଥିଲେ। ରାଜାର ଏପରି ନିଷ୍ପତ୍ତିକୁ ଅନ୍ୟ ଦୋକାନୀମାନେ ବିରୋଧ କରୁଥିଲେ। ଏମିତି ଅନେକ କାରଣକୁ ନେଇ ୧୦ ଦିନ ତଳେ ରାଜା ଓ ତାଙ୍କ ପ୍ରତିପକ୍ଷ ଗୋଷ୍ଠୀଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।