କେନ୍ଦୁଝର(ପ୍ରଣୟ କୁମାର ପାଣି): ଅପରାହ୍ନରେ ମାଡ଼ି ଆସିଲା କାଳବୈଶାଖୀ। ଆଉ କ୍ଷଣକ ଭିତରେ ଉଡିଗଲା ଛପର। ବଡ଼ ବଡ଼ ଗଛ ଉପୁଡି ଘର ଉପରେ ପଡ଼ିଲା। ଅଳ୍ପକେ ବର୍ତ୍ତିଗଲା ଲୋକଙ୍କ ଜୀବନ। ଆଜି ସନ୍ଧ୍ୟା ବେଳେ ଏପରି ଚିତ୍ର ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲାରେ।
କାଳବୈଶାଖୀ ପ୍ରଭାବରେ ଆଜି ଅପରାହ୍ନରେ କେନ୍ଦୁଝର ଜିଲ୍ଲା ସାହାରପଡ଼ା ବ୍ଲକ ଅଞ୍ଚଳର ଆକାଶରେ ଘୋଟି ଆସିଥିଲା କଳାହାଣ୍ଡିଆ ମେଘ। ପରେ ପ୍ରବଳ ବେଗରେ ପବନ ବୋହିବା ସହିତ ବର୍ଷା ହୋଇଥିଲା। କାଳବୈଶାଖୀ ପ୍ରଭାବରେ ଗୋଟିଏ ବିରାଟକାୟ ଆମ୍ୱଗଛ ଉପୁଡି ରାଇପୁର ଗାଁର ଭରତ ମହାନ୍ତଙ୍କ ଘର ଉପରେ ପଡ଼ିଥିଲା। ଅଳ୍ପକେ ବର୍ତ୍ତିଗଲା ଘର ଭିତରେ ଥିବା ଭରତଙ୍କ ପରିବାର ଲୋକଙ୍କ ଜୀବନ।
ସେହିପରି ଉଦୟପୁର ଗ୍ରାମର ଗୋପାଳ ସାହିରେ ରଙ୍ଗଲତା ମହାନ୍ତଙ୍କ ୩ ବଖରା ଘରର ଆଜବେଷ୍ଟସ୍ ଉଡ଼ିଯାଇଥିଲା। ଠିକ୍ ସେମିତି ଅନନ୍ତ ମାଟିଆଙ୍କ ଘର ଉପରେ ଏକ ବିରାଟ ଆମ୍ବ ଗଛ ଉପୁଡ଼ି ପଡିବାରୁ ୨ ବଖରା ଘର ଭାଙ୍ଗି ଚୂରମାର ହୋଇଯାଇଛି। ଏହାଛଡ଼ା ଅନେକ ଘର ଭାଙ୍ଗି ଥିବା ଦେଖିବାକୁ ମିଳିଥିଲା। ବିଜୁଳି ଖୁଣ୍ଡ ଗୁଡ଼ିକ ଭାଙ୍ଗି ରାସ୍ତାରେ ପଡ଼ିଥିଲା। ଖବର ପାଇ ଉଦୟପୁର ରାଜସ୍ୱ ନିରୀକ୍ଷକ ସୁଶାନ୍ତ କୁମାର ଦ୍ୱିବେଦୀ ଉକ୍ତ ଗାଁରେ ପହଞ୍ଚି କ୍ଷତିଗ୍ରସ୍ଥ ଲୋକଙ୍କୁ ପଲିଥିନ ଯୋଗାଇ ଦେଇଛନ୍ତି। କାଳବୈଶାଖୀରେ କ୍ଷତିଗ୍ରସ୍ତଙ୍କୁ କ୍ଷତିପୂରଣ ଦିଆଯିବ ବୋଲି ସେ କହିଛନ୍ତି।