ମାତ୍ର ୧୫ଶହ ଟଙ୍କା ପାଇଁ ତାଲିବାନୀ ନିର୍ଯାତନା, ଟ୍ରାଫିକ୍ ହାବିଲଦାରଙ୍କୁ ନୋଟିସ୍‌

କଟକ(ଓଡ଼ିଶା ରିପୋର୍ଟର): ଉଧାର ଦେଇଥିବା ୧୫ଶହ ଟଙ୍କା ଫେରି ପାଇବା ପାଇଁ ଗତ ରବିବାର ସନ୍ଧ୍ୟାରେ ଭାଇଚାରାର ସହର କଟକରେ ଦେଖିବାକୁ ମିଳିଥିଲା ତାଲିବାନୀ ଶାସନର ନଗ୍ନ ଚିତ୍ର । ଜନଗହଳିପୂର୍ଣ୍ଣ ରାସ୍ତାରେ ସନ୍ଧ୍ୟା ସମୟରେ ଉଧାର ନେଇଥିବା  ଯୁବକଙ୍କ ହାତ ସ୍କୁଟି ପଛରେ ବାନ୍ଧି ପ୍ରାୟ ୨ କିମିରୁ ଅଧିକ ବାଟ ଦୌଡ଼ାଇଥିଲେ ୨ ଅଭିଯୁକ୍ତ । ଏହି ଖବର ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ସମଗ୍ର ରାଜ୍ୟରେ ହଇଚଇ ସୃଷ୍ଟି ହୋଇଥିଲା। ପୁଲିସ୍‌ ଘଟଣାର […]

pic

pic

Niharika Rout
  • Published: Tuesday, 18 October 2022
  • Updated: 18 October 2022, 12:51 PM IST

Sports

Latest News

କଟକ(ଓଡ଼ିଶା ରିପୋର୍ଟର): ଉଧାର ଦେଇଥିବା ୧୫ଶହ ଟଙ୍କା ଫେରି ପାଇବା ପାଇଁ ଗତ ରବିବାର ସନ୍ଧ୍ୟାରେ ଭାଇଚାରାର ସହର କଟକରେ ଦେଖିବାକୁ ମିଳିଥିଲା ତାଲିବାନୀ ଶାସନର ନଗ୍ନ ଚିତ୍ର । ଜନଗହଳିପୂର୍ଣ୍ଣ ରାସ୍ତାରେ ସନ୍ଧ୍ୟା ସମୟରେ ଉଧାର ନେଇଥିବା  ଯୁବକଙ୍କ ହାତ ସ୍କୁଟି ପଛରେ ବାନ୍ଧି ପ୍ରାୟ ୨ କିମିରୁ ଅଧିକ ବାଟ ଦୌଡ଼ାଇଥିଲେ ୨ ଅଭିଯୁକ୍ତ । ଏହି ଖବର ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ସମଗ୍ର ରାଜ୍ୟରେ ହଇଚଇ ସୃଷ୍ଟି ହୋଇଥିଲା। ପୁଲିସ୍‌ ଘଟଣାର ତଦନ୍ତ କରି ୨ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ସେମାନଙ୍କ ଗାଡ଼ି ଜବତ କରିଛି। ଗିରଫ ୨ ଅଭିଯୁକ୍ତ ହେଲେ ସେକ ଛୋଟୁ ଏବଂ ସେକ ହୁସେନ । ଏନେଇ ପୀଡ଼ିତ ଜଗନ୍ନାଥ ବେହେରା ଥାନାରେ ଅଭିଯୋଗ କରିଥିବା ବେଳେ ପୁଲିସ୍‌ ଘଟଣାର ଖୋଳତାଡ଼ ଆରମ୍ଭ କରିଛି।

ଏଥିସହ ବିଚ୍‌ ରାସ୍ତାରେ ଏପରି ବର୍ବର କାଣ୍ଡ ଘଟୁଥିବା ବେଳେ ଚଣ୍ଡୀ ଛକରେ ଡ୍ୟୁଟିରେ ଥିବା ଟ୍ରାଫିକ୍ ହାବିଲଦାର କାହିଁକି ତୁରନ୍ତ ଏ ଘଟଣା ସମ୍ପର୍କରେ ଉପରିସ୍ତ ଅଧିକାରୀଙ୍କୁ ଅବଗତ କରାଇଲେ ନାହିଁ, ଏନେଇ ତାଙ୍କୁ ନୋଟିସ୍ କରାଯାଇଛି । ଆସନ୍ତା ୭ ଦିନ ମଧ୍ୟରେ ଜବାବ ଦାଖଲ ଲାଗି ସଂପୃକ୍ତ ଟ୍ରାଫିକ ହାବିଲଦାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କଟକ ଡିସିପି ପିନାକ ମିଶ୍ର ।

ସୂଚନାଯୋଗ୍ୟ, ବିଡାନାସୀ ଶ୍ରୀବିହାର କଲୋନୀରେ ଭଡା ରହୁଥିବା ଜଗନ୍ନାଥ ବେହେରା ସୁତାହାଟ ଅଞ୍ଚଳରେ ଥିବା ଏକ କମ୍ପାନୀରେ କାମ କରୁଥିଲେ । କାମ କରିବା ସମୟରେ ସୁତାହାଟର ସେକ ଛୋଟୁ ଏବଂ ସେକ ହୁସେନଙ୍କ ସହ ତାଙ୍କର ବନ୍ଧୁତା ହୋଇଥିଲା।  ଅଜାଙ୍କ ଶୁଦ୍ଧିକ୍ରିୟା ପାଇଁ  ଜଗନ୍ନାଥଙ୍କ ନିକଟରେ ଟଙ୍କା ନ ଥିବାରୁ  ସେକ ହୁସେନଠାରୁ ୧୫୦୦ ଟଙ୍କା ଧାର ନେଇଥିଲେ। ମାତ୍ର ବହୁ ଦିନ ଧରି ସେହି ଟଙ୍କା ନ ଫେରେଇବାରୁ ହୁସେନ ଏଭଳି କାଣ୍ଡ କରିଥିଲା ବୋଲି ପୁଲିସ ଆଗରେ ପ୍ରକାଶ କହିଛନ୍ତି ଜଗନ୍ନାଥ।

ଉଦ୍ଧାର ଟଙ୍କା ଫେରସ୍ତ ପାଇବାକୁ କେନ୍ଦ୍ର କରି ସେକ ଛୋଟୁ ଏବଂ ସେକ ହୁସେନ  ଜଗନ୍ନାଥଙ୍କ ଉପରେ ଅକଥନୀୟ ନିର୍ଯାତନା କରିଥିଲେ।  ସେମାନେ ଜଗନ୍ନାଥଙ୍କ ହାତକୁ ରଶିରେ ବାନ୍ଧି ତାହାକୁ ନିଜ ସ୍କୁଟର ପଛ ପଟେ ବାନ୍ଧି ଦେଇଥିଲେ। ଏହାପରେ ତାଙ୍କୁ ସେଲଟର ଛକରୁ ମିଶନ ରୋଡ଼ ପର୍ଯ୍ୟନ୍ତ ଦୁଇ କିଲୋମିଟର ଟାଣି ଟାଣି ନେଇଥିଲେ। ଏପରିକି ଜଗନ୍ନାଥ ଛାଡ଼ି ଦେବାକୁ ଆକୁଳ ନିବେଦନ କରୁଥିଲେ ବି ସେମାନଙ୍କ ପଥର ହୃଦୟ ତରଳୁ ନ ଥିଲା।  ଗାଡ଼ିର ସ୍ପିଡ୍‌ ବଢ଼ିବାରୁ ବହୁ ଥର ଜଗନ୍ନାଥ ତଳେ ପଡ଼ି ଘୋଷାଡ଼ି ହୋଇ ଯାଇଥିବା ସ୍ଥାନୀୟ ଲୋକଙ୍କ ସୂତ୍ରରୁ ପ୍ରକାଶ।

କଟକର ଜନଗହିଲିପୂର୍ଣ୍ଣ ଚଣ୍ଡୀ ଛକରେ ଏପରି ଅମାନବୀୟ ଓ ବର୍ବରକାଣ୍ଡ ଖୁଲମଖୁଲା ଘଟିଥିବା ବେଳେ କିପରି କାହାରି ନଜର ପଡ଼ିଲାନି ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। କିଛି ଲୋକେ ଆକଟ କରିବାରୁ ୨ ଅଭିଯୁକ୍ତ ସେମାନଙ୍କୁ ଆକ୍ରମଣର ଧକ ଦେଇଥିଲେ। ହେଲେ ଏନେଇ ନା ପୁଲିସ ପାଖରେ ଖବର ଥିଲା ନା ପୁଲିସର ସିସିଟିଭି କଣ୍ଟ୍ରୋଲ ରୁମରେ ଫୁଟେଜ ଥିଲା।

ତେବେ ଏହି ଘଟଣା ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ଗାଡି ଚିହ୍ନଟ କରି ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି କମିଶନରେଟ ପୁଲିସ । ପୀଡ଼ିତ ଜଗନ୍ନାଥ ବେହେରାଙ୍କ ଲିଖିତ ଅଭିଯୋଗ ଆଧାରରେ ତଦନ୍ତ କରୁଛି ପୁଲିସ୍‌ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos