କଣ୍ଟାବାଞ୍ଜି(ଅନ୍ତିମ ପାଣିଗ୍ରାହୀ): ମୃତ୍ୟୁ ଏମିତି ବି ଆସେ l ଚାଷ ଜମିରେ ଟ୍ରାକ୍ଟରରେ ହଳ କରୁଥିବା ବେଳେ ଭାରସାମ୍ୟ ହରାଇ ଟ୍ରାକ୍ଟର ଓଲଟି ପଡିବାରୁ ଚାପି ହୋଇ ଚାଲିଗଲା ଡ୍ରାଇଭରର ଜୀବନ । ଏଭଳି ଏକ ହୃଦ ବିଦାରକ ଘଟଣା ଘଟିଛି ଟିକ୍ରାପଡା ଫାଣ୍ଡି ଗୁନ୍ଦ୍ରାମୁଣ୍ଡା ଗ୍ରାମରେ। ବଲାଙ୍ଗିର ଜିଲ୍ଲା ସଇଁତଲା ଥାନା ଟିକ୍ରାପଡା ଫାଣ୍ଡି ଗୁନ୍ଦ୍ରାମୁଣ୍ଡା ଗାଁର ସୁଧୀର ମିର୍ଧା l ସେ ଜଣେ ଟ୍ରାକ୍ଟର ଡ୍ରାଇଭର l
କାମ କରି ଦୁଇ ଟଙ୍କା ରୋଜଗାରରେ ଦୁଇ ଛୋଟ ଛୁଆଙ୍କୁ ନେଇ ସ୍ତ୍ରୀ ସହିତ ହସଖୁସିରେ ପରିବାର ଚଳୁଥିଲେ l କିନ୍ତୁ ବିଧିର ବିଧାନ ଥିଲା ଅଲଗା l ପ୍ରତିଦିନ ଭଳି ଆଜି ମଧ୍ୟ ସକାଳୁ ସକାଳୁ ଗାଁର ଉଦେ ମହାକୁଡ଼ଙ୍କ ଚାଷୀ ଜମିକୁ ଟ୍ରାକ୍ଟର ନେଇ ହଳ କରିବା ପାଇଁ ଯାଇଥିଲେ । ଠିକ ସେହି ସମୟରେ ଟ୍ରାକ୍ଟରଟି ଭାରସାମ୍ୟ ହରାଇ ଓଲଟିପଡିବାରୁ ଡ୍ରାଇଭର ଚାପି ହୋଇ ଟ୍ରାକ୍ଟର ଭିତରେ ପଡ଼ିଥିଲେ ।
ଚାପି ହୋଇ ମୁଣ୍ଡରେ ଆଘାତ ଲାଗିଥିବାରୁ ଘଟଣା ସ୍ଥଳରେ ହିଁ ସୁଧୀର ମିର୍ଧାଙ୍କ ମୃତ୍ୟୁ ହୋଇଥିଲା l ଟିକ୍ରାପଡା ଫାଣ୍ଡି ପୁଲିସ ଖବର ପାଇ ମୃତଦେହକୁ ଉଦ୍ଧାର କରିବା ସହ ତଦନ୍ତ ଆରମ୍ଭ କରିଥିବା ବେଳେ ବ୍ୟବଚ୍ଛେଦ ପାଇଁ କଣ୍ଟାବାଞ୍ଜି ହସ୍ପିଟାଲକୁ ଆଣି ଶବ ବ୍ୟବଚ୍ଛେଦ ପରେ ହିଁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିବା ଜଣାପଡିଛି l ମୃତ ଡ୍ରାଇଭରର ପରିବାର ଲୋକଙ୍କୁ ଅନୁକମ୍ପା ରାଶି ପ୍ରଦାନ ପାଇଁ ଦାବି କରିଛନ୍ତି ଗ୍ରାମବାସୀ । ସେପଟେ ଘଟଣା ସମ୍ପର୍କରେ ଟିକ୍ରାପଡା ଫାଣ୍ଡି ପୋଲିସର ପ୍ରତିକ୍ରିୟା ମିଳିପାରିନାହିଁ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।