ମା’ ନହୋଇ ମା’ ପରି: ଲକ୍ଷ୍ମୀଙ୍କ ଉପରେ ବୋଝ ଲଦିଦେଲା ବିଧାତା

ଜୟପୁର (ଟି.ଗୌରୀଶଙ୍କର) : ଯେଉଁ ବୟସରେ ମାଆର ପଣତ ତଳେ ଖୁସି ସାଉଁଟିବା କଥା, ସେଠି ଯେତେବେଳେ ନିଜକୁ ମାଆର ଭୂମିକା ତୁଲାଇବାକୁ ପଡୁଛି, ସେଠି ଖୁସି କଥା ଭାବିବାକୁ ବେଳ କାହିଁ। ହସିଖେଳି ପଢ଼ିବା ବୟସରେ ପରିବାର ପ୍ରତିପୋଷଣ ଓ ଲାଳନପାଳନର ଗୁରୁ ଦାୟିତ୍ୱ । ଦୁର୍ଗମ କୋରାପୁଟ ଜିଲ୍ଲା ଖୁଡ଼ିଗୁଡ଼ା ଗାଁର ୧୭ ବର୍ଷର ଝିଅ ଲକ୍ଷ୍ମୀ ଉପରେ ଏବେ ଚାରି ଚାରିଟି କୁନି ଭାଇ ଭଉଣୀଙ୍କ ଲାଳନ ପାଳନର ଦାୟିତ୍ୱ। ଏହା ସାଙ୍ଗକୁ […]

laxmi3-1

Tapas Behera
  • Published: Friday, 11 October 2019
  • , Updated: 12 October 2019, 08:38 AM IST

ଜୟପୁର (ଟି.ଗୌରୀଶଙ୍କର) : ଯେଉଁ ବୟସରେ ମାଆର ପଣତ ତଳେ ଖୁସି ସାଉଁଟିବା କଥା, ସେଠି ଯେତେବେଳେ ନିଜକୁ ମାଆର ଭୂମିକା ତୁଲାଇବାକୁ ପଡୁଛି, ସେଠି ଖୁସି କଥା ଭାବିବାକୁ ବେଳ କାହିଁ। ହସିଖେଳି ପଢ଼ିବା ବୟସରେ ପରିବାର ପ୍ରତିପୋଷଣ ଓ ଲାଳନପାଳନର ଗୁରୁ ଦାୟିତ୍ୱ ।

ଦୁର୍ଗମ କୋରାପୁଟ ଜିଲ୍ଲା ଖୁଡ଼ିଗୁଡ଼ା ଗାଁର ୧୭ ବର୍ଷର ଝିଅ ଲକ୍ଷ୍ମୀ ଉପରେ ଏବେ ଚାରି ଚାରିଟି କୁନି ଭାଇ ଭଉଣୀଙ୍କ ଲାଳନ ପାଳନର ଦାୟିତ୍ୱ। ଏହା ସାଙ୍ଗକୁ ବୃଦ୍ଧ ଜେଜେ ବାପାଙ୍କର ବି ସେବା ଶୁଶ୍ରୁଷାର ଭାର।

୫ବର୍ଷ ତଳେ ସଡ଼କ ଦୁର୍ଘଟଣାରେ ବାପାଙ୍କ ମୃତ୍ୟୁ ପରେ ହଠାତ୍ ପରିବାର ଉପରେ ପଡିଥିଲା ଚଡ଼କ, ହେଲେ ଜନ୍ମଦାତ୍ରୀ ମାଆ ବି ଏତିକି ବେଳେ ପର ପୁରୁଷକୁ ସାଥୀ କରି ଘର ଛାଡ଼ିଦେବା ପରେ ଯେମିତି ଅନ୍ଧକାର ହୋଇଯାଇଥିଲା ଚଉଦିଗ।

ମାତ୍ର ୭ମ ଶ୍ରେଣୀରୁ ପାଠରେ ଡୋରି ବାନ୍ଧି, ଭାଇ ଉଉଣୀଙ୍କ ମୁହଁରେ ଦାନା ମୁଠେ ଦେବାକୁ ଆରମ୍ଭ ହୋଇଥିଲା ଲକ୍ଷ୍ମୀର ସଂଘର୍ଷ। କୁଲି ମଜୁରୀ ଗଲେ ହିଁ ଘରେ ଚୂଲି ଜଳେ, ଭାତ ଗଣ୍ଡେ ଫୁଟେ। ଭାଈ ଭଉଣୀଙ୍କ ଏ ଅବସ୍ଥା ଦେଖି ଲକ୍ଷ୍ମୀଙ୍କ ଆଖି ସିନା ଛଳଛଳ ହୋଇଯାଉଛି, ହେଲେ ସ୍ୱପ୍ନ କିନ୍ତୁ ସରିନି। ସେମାନେ ବି ପାଠ ପଢିବେ ଓ ବଡ଼ ମଣିଷ ହେବେ। ଅସୁମାରୀ ଆଶା ରଖିଛନ୍ତି ଯଶୋଦା ସମ ଏ ବଡ଼ ଭଉଣୀ।

ଲକ୍ଷ୍ମୀଙ୍କ ସହ ୬ ପ୍ରାଣୀ କୁଟୁମ୍ବ ରହୁଥିବା ସେହି ବଖୁରିଆ ନୂଆଣିଆଁ ଘର ଯେଉଁଠି ଦିନରେ ଖରା ଆଉ ରାତିରେ ତାରା ଦିଶେ। ବର୍ଷା ହେଲେ ଜାକିଜୁକି ହୋଇ ଗୋଟିଏ କୋଣରେ ବିତେ ରାତି ।  ବୃଦ୍ଧ ଜେଜେବାପାଙ୍କୁ ମିଳୁଥିବା ୫ଶହ ଟଙ୍କା ଭତ୍ତା ଓ ଚାଉଳ ୧୦ କିଲୋ କେତେ ବା ଅଭାବ ପୂରଣ କରିବ। ମାଆଙ୍କ ନାଁରେ ଥିବା ରାସନ କାର୍ଡରେ ଚାଉଳ ମିଳୁଥିଲା, ଏବେ ତା ବି ବନ୍ଦ। ବେଳେବେଳେ କିଛି ସାହାଯ୍ୟ କରୁଛନ୍ତି ପଡ଼ୋଶୀ, ହେଲେ ତାହା କଣ ସବୁଦିନେ ମିଳିବ।

ଏବେ ଲକ୍ଷ୍ମୀଙ୍କ କରୁଣ କାହାଣୀ ସମ୍ପର୍କରେ ଉପଜିଲ୍ଲାପାଳଙ୍କୁ ଅବଗତ କରିବାରେ ସେମାନଙ୍କୁ ଥଇଥାନ ଓ ଘର ଖଣ୍ଡେର ପ୍ରତିଶ୍ରୁତି ମିଳିଛି। ପ୍ରଶାସନ ଦେଇଥିବା ପ୍ରତିଶ୍ରୁତିରେ କେବେ ଦୂର ହେଉଛି ଲକ୍ଷ୍ମୀଙ୍କ ଦୁର୍ଦ୍ଦିନ ତାକୁ ତ ଅପେକ୍ଷା, ହେଲେ ଏ ବୟସରେ ସେ ଯେଉଁ ବିରାଟ ଦାୟିତ୍ୱ ସମ୍ଭାଳିଛନ୍ତି ତାକୁ ପ୍ରଶଂସା ନକରି ରହି ହେବନାହିଁ।

Related story