ବ୍ରହ୍ମପୁର(ଓଡ଼ି ରିପୋର୍ଟର): କୋଭିଡ୍ କଟକଣା ସମୟରେ ବ୍ରହ୍ମପୁର ଷ୍ଟେସନ୍ରେ ଟ୍ରେନ୍ ରହଣି ଉପରେ ଲାଗିଥିବା ପ୍ରତିବନ୍ଧକକୁ ହଟାଇଛନ୍ତି ରାଜ୍ୟ ସରକାର। ଫଳରେ ଏଣିକି ବ୍ରହ୍ମପୁର ଷ୍ଟେସନ୍ରେ ରହିବ ଟ୍ରେନ୍ । ଏନେଇ ଇଷ୍ଟକୋଷ୍ଟ ରେଲୱେକୁ ରାଜ୍ୟ ପରିବହନ ବିଭାଗ ପକ୍ଷରୁ ଚିଠି ଲେଖି ଅବଗତ କରାଯାଇଛି । ଅନ୍ଲକ୍ ପରିସ୍ଥିତିରେ ଟ୍ରେନ ରହଣି ବନ୍ଦ କରିବା ଉଚିତ୍ ହେବନି ବୋଲି ସରକାର କହିଛନ୍ତି ।
ତେଣୁ ଏଣିକି ଭୁବନେଶ୍ୱର ଏବଂ ଆନ୍ଧ୍ରରୁ ଆସୁଥିବା ଟ୍ରେନ୍ ବ୍ରହ୍ମପୁରରେ ରହିବ । ସେହିପରି ଜିଲ୍ଲାର ଅନ୍ୟ ଷ୍ଟେସନ୍ରେ ବି ଟ୍ରେନ୍ ଅଟକିବା ନେଇ ବ୍ୟବସ୍ଥା ହେବ । ତେବେ କେଉଁ କେଉଁ ଟ୍ରେନ୍ ବ୍ରହ୍ମପୁର ଷ୍ଟେସନରେ ଅଟକିବ ସେ ନେଇ ରେଲୱେ ପକ୍ଷରୁ ସୂଚନା ଏବେ ଜାରି କରାଯାଇନି।
ଗଞ୍ଜାମ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବା ପରେ ଟ୍ରେନ୍ ରହଣୀ ଉପରେ ପ୍ରତିବନ୍ଧକ ଲଗାଯାଇଥିଲା। । ହେଲେ ଏବେ ସ୍ଥିତି ନିୟନ୍ତ୍ରଣାଧୀନ ଥିବାରୁ ପୁଣି ଥରେ ରେଳ ଚଳାଚଳ ସ୍ୱାଭାବିକ କରିବାକୁ ପଦକ୍ଷେପ ନିଆଯାଉଛି।