ରାଉରକେଲା ମାତୃ ଓ ଶିଶୁ ଚିକିତ୍ସାଳୟ ହାଲ୍ ବେହେଲା: ମୋବାଇଲ୍ ଲାଇଟ୍ରେ ଚାଲିଛି ଚିକିତ୍ସା
ରାଉରକେଲା (ଓଡ଼ିଶା ରିପୋର୍ଟର): ମାତ୍ର ୮ ଦିନ ତଳେ ରାଉରକେଲା ସରକାରୀ ମେଡିକାଲରେ ଉଦ୍ଘାଟିତ ହୋଇଥିଲା ମାତୃ ଓ ଶିଶୁ ଚିକିତ୍ସାଳୟ। ଶହେ ବେଡର ଏହି ହସ୍ପିଟାଲ୍ର ହାଲ୍ ଏବେ ବେହାଲ। ଉଦ୍ଘାଟନ ପରେ ଏଠାରେ ରୋଗୀ ସେବା ଆରମ୍ଭ ହୋଇଯାଇଛି। ହେଲେ ଏଯାଏଁ ବିଜୁଳି, ପାଣିର ସ୍ଥାୟୀ ବ୍ୟବସ୍ଥା ହୋଇନାହିଁ। ସ୍ଥିତି ଏମିତି ଯେ, କରେଣ୍ଟ ପଳାଲେ ଏଠାରେ ମୋବାଇଲ୍ ଟର୍ଚ୍ଚରେ ରୋଗୀଙ୍କ ଚିକିତ୍ସା କରାଯାଉଛି। ଏହାସହ ରୋଗୀଙ୍କ ଲାଗି ବେଡ୍ ବି ପଡ଼ି ନାହିଁ। ୮ ଡାକ୍ତରଙ୍କ ସ୍ଥାନରେ ଅଛନ୍ତି ମାତ୍ର ୨ ଜରଙ୍କୁ ଦେଖିବାକୁ ମିଳୁଛି। ଏହି ମାତୃ ଓ ଶିଶୁ ଚିକିତ୍ସାଳୟ ସମସ୍ୟାକୁ ନେଇ ଓଡ଼ିଶା ରିପୋର୍ଟର ବିଶେଷ ଉପସ୍ଥାପନା।
ସ୍ଥାୟୀ ବିଦ୍ୟୁତ୍ ବ୍ୟବସ୍ଥା ନଥିବାରୁ ଆଉଟ୍ଡୋରରେ ରୋଗୀଙ୍କୁ ନାହିଁ ନଥିବା ସମସ୍ୟା ଭୋଗିବାକୁ ପଡୁଛି। ଅନ୍ଧାର ଭିତରେ ଚିକିତ୍ସା ସମ୍ଭବ ହେଉ ନଥିବାରୁ ଡାକ୍ତରଙ୍କୁ ମୋବାଇଲ ଟର୍ଚ୍ଚରେ ଲାଇଟ୍ ଦେଖାଉଛନ୍ତି ରୋଗୀଙ୍କ ସମ୍ପର୍କୀୟ। ତାରି ଭିତରେ ଚାଲିଛି ପରାମର୍ଶ ଓ ପ୍ରେସକ୍ରିପସନ୍ ଲେଖା।
ହସ୍ପିଟାଲ୍ ବିଲ୍ଡିଂ ବାହାରୁ ପୂରା ଚକାଚକ୍ ଦିଶୁଛି, ହେଲେ ଭିତରର ଦୃଶ୍ୟ କିନ୍ତୁ ସମ୍ପୂର୍ଣ୍ଣ ଅଲଗା। ଏହାସହ ପାନୀୟଜଳ ସମସ୍ୟା ଜଟିଳ ହୋଇଛି। ୮ ଜଣ ଡାକ୍ତରଙ୍କ ସ୍ଥାନରେ ମାତ୍ର ୨ ଜଣ କାର୍ଯ୍ୟ କରୁଛନ୍ତି। ଏଥିରୁ ଅନୁମାନ କରି ହେଉଥିବ ଏଠାରେ ଚିକିତ୍ସା କେମିତି ଚାଲିଥିବ।
ସହରବାସୀଙ୍କୁ ଉନ୍ନତ ମାନର ସ୍ୱାସ୍ଥ୍ୟସେବା ଯୋଗାଇ ଦେବାକୁ ନୂଆ କରି ଆରମ୍ଭ ହୋଇଛି ଏହି ସ୍ୱତନ୍ତ୍ର ୧୦୦ ଶଯ୍ୟା ବିଶିଷ୍ଟ ମାତୃ, ଶିଶୁ ଚିକିତ୍ସାଳୟ। ଦୈନିକ ରୋଗୀ ସଂଖ୍ୟା ବି ବଢ଼ିବାରେ ଲାଗିଛି। ହେଲେ ୧୦୦ ଛାଡ଼ନ୍ତୁ, ଏଯାଏଁ ଗୋଟିଏ ବି ବେଡ୍ ପଡ଼ିପାରିନି ଏଠାରେ।
ସୂଚନାଯୋଗ୍ୟ, ଗତ ୨୨ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ମେଡିକାଲ ଉଦଘାଟନ ପରେ ଏଠାରେ ରୋଗୀ ସେବା ଆରମ୍ଭ ହୋଇଥିଲା। ହେଲେ ସର୍ବନିମ୍ନ ମୌଳିକ ସୁବିଧା ଉପଲବ୍ଧ ହେବା ପୂର୍ବରୁ ହସ୍ପିଟାଲକୁ କାହିଁକି ତରବରିଆ ଭାବେ ଉଦଘାଟନ କରାଗଲା, ତାକୁ ନେଇ ବିଭିନ୍ନ ମହଲରେ ପ୍ରଶ୍ନ ଉଠିବାରେ ଲାଗିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।