ଗଛ ପ୍ରେମୀ ମୋହନ; ଅବସର ପରେ ବି ତର ନାହିଁ

ବାଲେଶ୍ୱର(ରଣଜିତ ପାକଳ): ବାଲେଶ୍ୱର ଜିଲ୍ଲା ରେମୁଣା ବ୍ଲକ ହାତିଆଗଣ୍ଡ ଗାଁର ମୋହନ ଦାସ । ଅବସର ପରେ ଅନ୍ୟମାନେ ଘରେ ବସିବାକୁ ପସନ୍ଦ କରୁଥିବା ବେଳେ ତାଙ୍କୁ କିନ୍ତୁ ଘାରିଛି ଗଛ ଲଗାଇବା ନିଶା। ନିଜ ପିଲା ପରି ଗଛଙ୍କ ସେବା କରିବା ସହ ତାଙ୍କ ବନ୍ଧନରେ ବାନ୍ଧି ହୋଇଛନ୍ତି ସେହି ଗଛ ପ୍ରେମୀ । ଚାରା ପୋତିବା ଦିନଠୁ ଗଛକୁ ବଡ଼ କରିବା ପର୍ଯ୍ୟନ୍ତ ନିଜ ପିଲା ପରି ତା ଯତ୍ନ ନେଇଥାନ୍ତି। ନିଜ ଉଦ୍ୟମରେ […]

ranjit-1-1

Niharika Rout
  • Published: Monday, 20 July 2020
  • , Updated: 20 July 2020, 11:58 AM IST

ବାଲେଶ୍ୱର(ରଣଜିତ ପାକଳ): ବାଲେଶ୍ୱର ଜିଲ୍ଲା ରେମୁଣା ବ୍ଲକ ହାତିଆଗଣ୍ଡ ଗାଁର ମୋହନ ଦାସ । ଅବସର ପରେ ଅନ୍ୟମାନେ ଘରେ ବସିବାକୁ ପସନ୍ଦ କରୁଥିବା ବେଳେ ତାଙ୍କୁ କିନ୍ତୁ ଘାରିଛି ଗଛ ଲଗାଇବା ନିଶା। ନିଜ ପିଲା ପରି ଗଛଙ୍କ ସେବା କରିବା ସହ ତାଙ୍କ ବନ୍ଧନରେ ବାନ୍ଧି ହୋଇଛନ୍ତି ସେହି ଗଛ ପ୍ରେମୀ ।

ଚାରା ପୋତିବା ଦିନଠୁ ଗଛକୁ ବଡ଼ କରିବା ପର୍ଯ୍ୟନ୍ତ ନିଜ ପିଲା ପରି ତା ଯତ୍ନ ନେଇଥାନ୍ତି। ନିଜ ଉଦ୍ୟମରେ ନିଜ ଆଖପାଖ ଅଞ୍ଚଳକୁ ସବୁଜିମା କରି ପାରିଛନ୍ତି। ତାଙ୍କର ଏପରି ଉଦ୍ୟମରେ ଅଞ୍ଚଳବାସୀ ବେଶ୍‌ ଖୁସି ଥିବା ବେଳେ ସେ ବି ପାଉଛନ୍ତି ଆତ୍ମସନ୍ତୋଷ । ତାଙ୍କ ଗଛ ଲଗାଇବା ନିଶା ଓ ତାହାକୁ ବଡ଼ କରିବା ନିଷ୍ଠା ଅନ୍ୟମାନଙ୍କ ପାଇଁ ପ୍ରେରଣା ପାଲଟିଛି।  ସରକାରଙ୍କ ବନୀକରଣ ଯୋଜନା ଫେଲ୍‌ ମାରୁଥବା ବେଳେ ମୋହନଙ୍କ ଏପରି ଉଦ୍ୟମ ବେଶ୍‌ ପ୍ରେରଣାଦାୟକ।

ପୁରୁଣା ସାଇକେଲରେ ବାଲଟି, ଟିଣ ଡ୍ରମ, ପ୍ୟାଣ୍ଟସାର୍ଟ , ଜାଲ ଆଦି ଟାଙ୍ଗି ପାଗଳ ପରି ପ୍ରତିଦିନ ସକାଳେ ଘରୁ ବାହାରି ଯାଆନ୍ତି ମୋହନ। ବିଭିନ୍ନ ଗାଁରେ ଥିବା ଅନାବାଦୀ, ଗୋଚର ଓ ଶ୍ମଶାନ ଦେଖିଲେ ଅଟକି ଯାଆନ୍ତି।  ଆଉ ସେଠାରେ ପହଞ୍ଚିବା ପରେ ଆରମ୍ଭ କରିଦିଅନ୍ତି ନିଜ କାମ। ଖାଲି ଥିବା ଜାଗାରେ ଚାରା ଲଗାଇ ଦିଅନ୍ତି। ନିଜ ପିଲା ପରି ଯତ୍ନ ନିଅନ୍ତି । ଏମିତିକି ଗୋରୁ, ଛେଳି ଯେପରି ଗଛକୁ ନ ଖାଇବେ ସେଥିଲାଗି ସେମାନଙ୍କୁ ପୁରୁଣା ପ୍ୟାଣ୍ଟ ସାର୍ଟ ପିନ୍ଧାଇ ଦେଇଥାନ୍ତି। ସେହିଭଳି  ଗଛ ଚାରିପଟେ ଟାୟାର, ବାଉଁଶ, ଜାଲ ଆଦି ବ୍ୟବହାର କରିଥାନ୍ତି। ଯେମିତି କେହି ଗୋଟିଏ ଗଛ ନଷ୍ଟ ନ କରିପାରିବେ ସେଥି ପାଇଁ ନେଇଥାନ୍ତି ବହୁ ଅଭିନବ ପଦକ୍ଷେପ ।

ଗଛ ନିଶାରେ ପାଗଳ ମୋହନ ଦୀର୍ଘ ଦିନ ପରିଶ୍ରମ ପରେ ନିଜ ଗାଁ ସହ ଆଖପାଖ ଗାଁ ଗୁଡିକରେ ହଜାର ହଜାର ଗଛ ଲଗାଇ ସବୁଜିମା  କରିପାରିଛନ୍ତି । ମୋହନ ଭଳି କି ଭଳି ବାହାଡ଼ା, ସାହାଡ଼ା ଅଁଳା , ବିଭିନ୍ନ ଔଷଧୀୟ ଗଛ ସମେତ ବହୁ ଗଛ ଲଗାଇଛନ୍ତି।  ଏମିତିକି ଡ଼ହଡ଼ହ ଖରାରେ ସମସ୍ତେ ଛାଇ ତଳେ ବିଶ୍ରାମ ନେଉଥିବାବେଳେ ସେ ବୁଲି ବୁଲି ଗଛରେ ପାଣି ଦେବାରେ ଲାଗିଥାନ୍ତି। କେବଳ ଗୋଟିଏ ଦିନ ନୁହେଁ ଏମିତି ବର୍ଷ ବର୍ଷ ଧରି ଏଭଳି ସେ ଗଛ ଲଗାଇ ଆସୁଛନ୍ତି ।

ମୋହନ ପୂର୍ବରୁ  ବିଦ୍ୟୁତ୍‌ ବିଭାଗରେ ଚାକିରି କରୁଥିଲେ , ସେହି  ସମୟରେ ଆରମ୍ଭ ହୋଇଥିବା ନିଶା ଅବସର ପରେ ଅଧିକ ବଢ଼ି ଯାଇଛି ।  ମାତ୍ର ଏପର୍ଯ୍ୟନ୍ତ ପ୍ରଶାସନର ଦୃଷ୍ଟି ଆଢୁଆଳରେ ମୋହନ। ନିଜ ଗାଁ ଓ ନିକଟସ୍ଥ ଗାଁର ଘରେଇ ଅନୁଷ୍ଠାନ ପକ୍ଷରୁ ପ୍ରକୃତି ବନ୍ଧୁ ସହ ବିଭିନ୍ନ ମାନପତ୍ର ସେ ପାଇଛନ୍ତି ।  କିଛି ମାସ ପୂର୍ବରୁ କେନ୍ଦ୍ର ମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ମଧ୍ୟ ତାଙ୍କୁ ମାନପତ୍ରଦେଇ ସମ୍ମାନୀତ କରିଛନ୍ତି ।

ଏ ସମ୍ପର୍କରେ ମୋହନ କହିଛନ୍ତି, ଶବ ପୋଡ଼ିବା ସମୟରେ ଗଛର ଆବଶ୍ୟକତା କ’ଣ ବୁଝି ପାରିଲି। ଆଉ ଅନାବାଦି, ଗୋଚର, ଶ୍ମଶାନ ଓ ରାସ୍ତା ପାର୍ଶ୍ଵ ସବୁଆଡେ ଗଛ ଛିଡା କରାଇବା ସ୍ୱପ୍ନ ଦେଖିଲି। ଏହାପରେ ଗଛ ଲଗାଇବା ନିଶା ଆରମ୍ଭ ହୋଇଥିବା ବେଳେ ଆଉ ପଛକୁ ଫେରିନି ।”  ବିନା ସ୍ୱାର୍ଥରେ ମୋହନଙ୍କ ଏଭଳି କାର୍ଯ୍ୟ ଅନ୍ୟମାନଙ୍କ ପାଇଁ ପ୍ରେରଣା ଦେବା ସହ ସେ ପାଲଟି ଯାଇଛନ୍ତି ଉଦାହରଣ ।

Related story