ସୁନ୍ଦରଗଡ଼(ଓଡ଼ିଶା ରିପୋର୍ଟର): ରାସ୍ତାରେ ଠିଆ ହୋଇଛି ଶହ ଶହ କୋଇଲା ବୋଝେଇ ଟ୍ରକ। ନା ଆଗକୁ ଯାଉପାରୁଛି, ନା ପଛକୁ ଫେରିପାରୁଛି। ଓଡିଶା- ଛତିଶଗଡ଼ ଟ୍ରକ ମାଲିକ ସଂଘ ମଧ୍ୟରେ ସୃଷ୍ଟି ବିବାଦ ଘଟଣାରେ ଆଜି ଦ୍ୱିତୀୟ ଦିନରେ ପହଞ୍ଚିଛି ଆନ୍ଦୋଳନ। ଯାହା ଏଭଳି ପରିସ୍ଥିତି ସୃଷ୍ଟି କରିଛି। ଓଡିଶାର କୋଇଲା ବୋଝେଇ ଟ୍ରକକୁ ଛତିଶଗଡ଼ ପ୍ରବେଶ ମନା କରାଯାଇଛି। ଏନେଇ ସୀମାରେ ରାସ୍ତାରୋକ ଚାଲିଛି। କୋଇଲା ପରିବହନ ଭଡା ଓ ଲୋଡିଂରେ ଛତିଶଗଡ଼ ରାୟଗଡ଼ ଅଞ୍ଚଳର ଟ୍ରକଗୁଡିକୁ ପାତରଅନ୍ତର କରାଯାଉଥିବା ଅଭିଯୋଗ ହୋଇଛି। ଏହାର ପ୍ରତିବାଦରେ ରାୟଗଡ଼ ଜିଲ୍ଲା ଟ୍ରକ ମାଲିକ ସଂଘ ପକ୍ଷରୁ ଓଡିଶା ସୀମା ଟପରିଆ-ତମନାର ଓ ରେଙ୍ଗାଲପାଲି ଠାରେ ଆନ୍ଦୋଳନ ଆରମ୍ଭ କରିଛି।
ଫଳରେ ଗତକାଲି ସକାଳ ୧୦ଟାରୁ ସୁନ୍ଦରଗଡ଼, ଝାରସୁଗୁଡା, ସମ୍ବଲପୁରରୁ ଯାଉଥିବା ଓଡିଶା ନମ୍ବରର କୋଇଲା ବୋଝେଇ ଗାଡିଗୁଡିକୁ ଛତିଶଗଡ଼ରେ ପଶିବାକୁ ଦିଆଯାଉ ନାହିଁ। ଏଥିଯୋଗୁ ଶହ ଶହ କୋଇଲା ବୋଝେଇ ଟ୍ରକ ରାସ୍ତାରେ ଛିଡା ହୋଇଛି। ସେପଟେ ସମାନ ଭଡା ଓ ଲୋଡିଂ ଦାବି କରିଛି ରାୟଗଡ଼ ଟ୍ରକ ମାଲିକ ସଂଘ।
ରାୟଗଡ଼ ସଂଘର ଅଭିଯୋଗ ଅନୁସାରେ, ସମ୍ବଲପୁରର ଖିଣ୍ଡା କୋଇଲା ଖଣିରେ ସୁନ୍ଦରଗଡ଼, ଝାରସୁଗୁଡା, ସମ୍ବଲପୁର ଜିଲ୍ଲାର ଟ୍ରକ ମାଲିକ ସଂଘ ଦାଦାଗିରି କରି ଛତିଶଗଡ଼ର ଗାଡିଗୁଡିକୁ ଲୋଡିଂ ଦେଉ ନାହାନ୍ତି। ଏ ସମ୍ପର୍କରେ ଓଡିଶା ଟ୍ରକ ମାଲିକ ସଂଘ ସହ ଆଲୋଚନା ପରେ ମଧ୍ୟ କିଛି ସମାଧାନ ନହେବାରୁ ରାୟଗଡ଼ ଜିଲ୍ଲା ଟ୍ରକ ମାଲିକ ସଂଘ ଆନ୍ଦୋଳନର ରାସ୍ତା ବାଛିଛି।