ପୁଲିସ୍‌ ଉପରେ ନାରାଜ ତହସିଲଦାର, କହିଲେ, ‘ଆଉ ସାହାଯ୍ୟ କରିବିନି’

ବାଲେଶ୍ୱର(ଓଡ଼ିଶା ରିପୋର୍ଟର): ଗତକାଲି ସନ୍ଧ୍ୟାରେ ଏକ ବିବାହ ଭୋଜିରେ ଚଢ଼ାଉ କରି ସ୍ଥାନୀୟ ଲୋକଙ୍କ ଆକ୍ରୋଶର ଶିକାର ହୋଇଥିବା ବାଲେଶ୍ୱର ସଦର ତହସିଲଦାର ଆଜି ପୁଲିସ୍‌ ଉପରେ କ୍ଷୁବ୍ଧ ହୋଇଛନ୍ତି। ତହସିଲଦାରଙ୍କୁ ଆକ୍ରମଣ ଘଟଣାରେ ଗତକାଲି ୩ ଜଣଙ୍କୁ ଅଟକ ରଖିବା ପରେ ଛାଡ଼ି ଦେଇଥିବାରୁ ପୁଲିସ୍‌ ଉପରେ ନାରାଜ ହୋଇଯାଇଛନ୍ତି ତହସିଲଦାର। ଭବିଷ୍ୟତରେ ଆଉ  ପୁଲିସ୍‌କୁ ସହାୟତା କରିବେ ନାହିଁ ବୋଲି ରୋକଠୋକ ଶୁଣାଇ ବି ଦେଇଛନ୍ତି। ବାଲେଶ୍ୱର ସଦର ଥାନା ଓଡ଼ଙ୍ଗୀ ପଞ୍ଚାୟତର ହିଞ୍ଜିଳି […]

tahasildar

tahasildar

Niharika Rout
  • Published: Thursday, 06 May 2021
  • Updated: 06 May 2021, 02:32 PM IST

ବାଲେଶ୍ୱର(ଓଡ଼ିଶା ରିପୋର୍ଟର): ଗତକାଲି ସନ୍ଧ୍ୟାରେ ଏକ ବିବାହ ଭୋଜିରେ ଚଢ଼ାଉ କରି ସ୍ଥାନୀୟ ଲୋକଙ୍କ ଆକ୍ରୋଶର ଶିକାର ହୋଇଥିବା ବାଲେଶ୍ୱର ସଦର ତହସିଲଦାର ଆଜି ପୁଲିସ୍‌ ଉପରେ କ୍ଷୁବ୍ଧ ହୋଇଛନ୍ତି। ତହସିଲଦାରଙ୍କୁ ଆକ୍ରମଣ ଘଟଣାରେ ଗତକାଲି ୩ ଜଣଙ୍କୁ ଅଟକ ରଖିବା ପରେ ଛାଡ଼ି ଦେଇଥିବାରୁ ପୁଲିସ୍‌ ଉପରେ ନାରାଜ ହୋଇଯାଇଛନ୍ତି ତହସିଲଦାର। ଭବିଷ୍ୟତରେ ଆଉ  ପୁଲିସ୍‌କୁ ସହାୟତା କରିବେ ନାହିଁ ବୋଲି ରୋକଠୋକ ଶୁଣାଇ ବି ଦେଇଛନ୍ତି।

ବାଲେଶ୍ୱର ସଦର ଥାନା ଓଡ଼ଙ୍ଗୀ ପଞ୍ଚାୟତର ହିଞ୍ଜିଳି ଗାଁରେ ଏକାଦଶ ଭୋଜିରେ ଗତକାଲି ସନ୍ଧ୍ୟା ସମୟରେ ତହସିଲଦାର ଅନାମିକା ସିଂ ଘଟଣାସ୍ଥଳରେ ପହଞ୍ଚି ଚଢ଼ଉ କରିଥିଲେ । କୋଭିଡ ଗାଇଡଲାଇନ୍‌ଠୁ ବହୁ ଅଧିକ ଲୋକଙ୍କ ସମାଗମକୁ ନେଇ ତହସିଲଦାର ଆୟୋଜନକାରୀଙ୍କୁ ପଚରାପଚରି କରିଥିଲେ।  ଶହ ଶହ ଲୋକଙ୍କ ପାଇଁ ଭୋଜି ଆୟୋଜନ ଦେଖି ତୁରନ୍ତ କର୍ମଚାରୀଙ୍କୁ ଖାଦ୍ୟ ଜବତ ପାଇଁ କହିଥିଲେ । ତହସିଲଦାରଙ୍କ ଚଢ଼ଉ ଦେଖି ସଂପୃକ୍ତ ବ୍ୟକ୍ତିଙ୍କ ସମର୍ଥକମାନେ ଘେରି ଯାଇଥିଲେ । ଗାଳିଗୁଲଜ କରିବା ସହ କର୍ମଚାରୀଙ୍କୁ ଠେଙ୍ଗା ବାଡ଼ିରେ ଆକ୍ରମଣ କରିଥିଲେ । ପାଖାପାଖି ୨ଘଣ୍ଟାକାଳ ଧରି ଖଣ୍ଡଯୁଦ୍ଧ ପରିସ୍ଥିତି ଉପୁଜିଥିଲା ।

ଖବରପାଇ ଘଟଣାସ୍ଥଳରେ ଜିଲ୍ଲାପାଳ କେ ସୁଦର୍ଶନ ଚକ୍ରବର୍ତ୍ତୀ, ଉପଜିଲ୍ଲାପାଳ ଈଶ୍ବର ଆଶିଷ ପାଟିଲ୍ ଏବଂ ଆଇଆଇସି କ୍ଷମାସାଗର ପଣ୍ଡା   ପହଞ୍ଚିବା ପରେ ଉତ୍ତ୍ୟକ୍ତଲୋକ ଛତ୍ରଭଙ୍ଗ ଦେଇଥିଲେ।  ଏନେଇ ତହସିଲଦାର ସଦର ଥାନାରେ ଅଭିଯୋଗ କରିବାରୁ ମାମଲା ରୁଜୁ କରି ପୁଲିସ୍‌ ଅଭିଯୁକ୍ତଙ୍କୁ ଥାନାକୁ ନେଇ ଅଟକ ରଖିଥିଲା । ହେଲେ ୨୪ ଘଣ୍ଟା ନ ପୁରୁଣୁ ସେମାନଙ୍କୁ ଛାଡ଼ିଦେବାରୁ ତହସିଲଦାର ଅସନ୍ତୋଷ ପ୍ରକାଶ କରିଛନ୍ତି । ଆଗାମୀ ଦିନରେ ପୁଲିସକୁ ସହଯୋଗ କରିବେ ନାହିଁ ବୋଲି କହିଛନ୍ତି।

ଏନେଇ ସଫେଇ ଦେବାକୁ ଯାଇ ଆଇଆଇସି କହିଛନ୍ତି, ୩ ଅଟକଙ୍କ ମଧ୍ୟରୁ ଜଣେ କରୋନା ଆକ୍ରାନ୍ତ ହୋଇଥିବା ବେଳେ ଅନ୍ୟ ଜଣେ ନାବାଳକ ଥିଲେ। ତେଣୁ ସେମାନଙ୍କୁ ଛାଡ଼ି ଦିଆଯାଇଥିବା କହିଛନ୍ତି। ହେଲେ ପୁଲିସ୍‌ର ଏପରି ବ୍ୟବହାରରେ କ୍ଷୁବ୍ଧ ତହସିଲଦାର ଭବିଷ୍ୟତରେ ଆଉ  ପୁଲିସ୍‌କୁ ସହାୟତା କରିବେ ନାହିଁ ବୋଲି ରୋକଠୋକ ଶୁଣାଇ ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos