ବବି-ଲେଖାଶ୍ରୀ ଟ୍ୱିଟ୍ ଫାଇଟ୍
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) ପିଏମ୍ ଆବାସ ଯୋଜନାରେ ବିଜୁ ବାବୁଙ୍କ ଫଟୋକୁ ନେଇ ମୟୁରଭଞ୍ଜ ରାଜନୀତି ସରଗରମ । ଗତକାଲିର ଘଟଣାକୁ ନେଇ ଆଜି ପୁଣି ମୁହାଁମୁହିଁ ହୋଇଛନ୍ତି ଉଭୟ ଦଳ। ବିଜେପି ବିରୋଧରେ ଆଜି ମନ୍ତ୍ରୀ ସୁଦାମ ମାର୍ଣ୍ଣିଂଙ୍କ ସମେତ ଦଳର କର୍ମୀ ଓ ନେତା ଜିଲ୍ଲାର ବିଭିନ୍ନ ସ୍ଥାନରେ ବିକ୍ଷୋଭ କରି ରାଜରାସ୍ତାକୁ ଓହ୍ଲାଇଥିଲେ। ସେପଟେ ବିଜେପି ବି ଏକ ସାମ୍ବାଦିକ ସମ୍ମିଳନୀ କରି ବିଜେଡି ବିରୋଧରେ ଗର୍ଜିଛି। ଗତକାଲି ବାରିପଦାରେ ଦିଶା ମିଟିଂ ବେଳେ ପିଏମ୍ ଆବାସ ଯୋଜନାରେ ବିଜୁବାବୁଙ୍କ ଫଟୋ କାହିଁକି ଲାଗିବ ଏବଂ ମୟୁରଭଞ୍ଜ ଜିଲ୍ଲାର ବରପୁତ୍ର ମାନଙ୍କର ଫଟୋ କାହିଁକି ଲାଗିବ ନାହିଁ ବୋଲି କହିଥିଲେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁଜାତା ମୂର୍ମୁ ।
ବିଜୁ ବାବୁଙ୍କୁ ସମ୍ମାନ ନା'ରେ @bjd_odisha ଭଡାଟିଆ ଗୁଣ୍ଡା ଲଗେଇ ପ୍ରତିଷ୍ଠିତ ଆଦିବାସୀ ମହିଳାଙ୍କୁ ଦୁର୍ବ୍ୟବହାର କରିବା ଓ ଓଡ଼ିଶାର ବରପୁତ୍ର ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓ,ଭଞ୍ଜବୀର ସୁନାରାମ ସୋରେନ,ପଣ୍ଡିତ ରଘୁନାଥ ମୁର୍ମୁଙ୍କୁ ଅଣଦେଖା କରିବା ଦୁର୍ଭାଗ୍ୟଜନକ ଓ ନିନ୍ଦନୀୟ। ଦୁର୍ନୀତି ମୁଖା ଖୋଲିଲେ ହିଂସ୍ର ହେଉଛି ବିଜେଡି। https://t.co/p9thMEDBbD
— Lekha Samantsinghar (@DrLekhaShree) January 13, 2021
ଏହାକୁ ନେଇ ବିଜେଡି ରାଜ୍ୟସଭା ସାଂସଦ ମମତା ମହାନ୍ତ ବିଜୁବାବୁଙ୍କୁ ଅସମ୍ମାନ ଦର୍ଶାଇ ବୈଠକକୁ ବୟକଟ କରି ଧାରଣା ଦେଇଥିଲେ। ଏହାପରେ ବିଜେଡି ନେତା ଓ କର୍ମୀ ଜିଲ୍ଲା ପରିଷଦ ଅଧ୍ୟକ୍ଷାଙ୍କ ଗାଡ଼ି ଆଗରେ ଶୋଇପଡ଼ି ନାରାବାଜି କରିବା ସହ ବିଜେପି ସାଂସଦ ଏବଂ ବିଧାୟକଙ୍କୁ ଦୀର୍ଘ ସମୟ ଧରି ଅଟକ ରଖିଥିଲେ ।
ସେପଟେ ଆଜି ଏହି ପ୍ରସଙ୍ଗରେ ବିଜେଡି ବିଧାୟକ ପ୍ରଣବ ପ୍ରକାଶ ଦାସ ଏବଂ ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାରଙ୍କ ମଧ୍ୟରେ ଦେଖାଦେଇଛି ଟ୍ୱିଟ୍ ୱାର। ଦୁର୍ନୀତି ମୁଖା ଖୋଲିବା ପରେ ବିଜେଡି ହିଂସ୍ର ହେଉଛି ବୋଲି ଲେଖାଶ୍ରୀ ଟ୍ୱିଟ୍ କରିଥିବାବେଳେ ବିଜେପି ପ୍ରବାଦ ପୁରୁଷଙ୍କୁ ଅସମ୍ମାନ କରିଛି ବୋଲି ପ୍ରଣବ ଟ୍ୱିଟ୍ କରିଛନ୍ତି ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।