ଆମକୁ ଦେଉନ, ବାହାରେ ବିକୁଛ : ବିଜ୍ଞାପନ ଦେଇ ଅପିଲ କଲେ ଦୁଇ ଶିଳ୍ପ ସଂସ୍ଥା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) ଖବରକାଗଜରେ ବିଜ୍ଞାପନ ଦେଇ ସରକାରଙ୍କ ସହାୟତା ଲୋଡ଼ିଲେ ରାଜ୍ୟର ଦୁଇ ପ୍ରମୁଖ ଶିଳ୍ପ ସଂଘ । କହିଛନ୍ତି, ସେମାନେ ଏବେ ଘୋର୍ ଲୁହାପଥର ସଂକଟ ଦେଇ ଗତି କରୁଛନ୍ତି। ବିରୋଧ ସତ୍ତ୍ୱେ ରାଜ୍ୟ ବାହାରକୁ ୬୦ ପ୍ରତିଶତ ଖଣିଜ ଚାଲିଯାଉଛି।  ରାଜ୍ୟ ଇସ୍ପାତ ଶିଳ୍ପ ଲାଗି ଅତିକମ୍‌ରେ ୫୦ ପ୍ରତିଶତ ଲୁହାପଥର ସଂରକ୍ଷିତ ରଖି ସରକାର ସେମାନଙ୍କୁ ଉଦ୍ଧାର କରନ୍ତୁ ବୋଲି ନିବେଦନ କରିଛନ୍ତି ଦୁଇ ସଂଘ । ଏହା ଉପରେ ଅନୁଧ୍ୟାନ କରିବେ […]

700

Tapas Behera
  • Published: Monday, 06 September 2021
  • , Updated: 06 September 2021, 07:59 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) ଖବରକାଗଜରେ ବିଜ୍ଞାପନ ଦେଇ ସରକାରଙ୍କ ସହାୟତା ଲୋଡ଼ିଲେ ରାଜ୍ୟର ଦୁଇ ପ୍ରମୁଖ ଶିଳ୍ପ ସଂଘ । କହିଛନ୍ତି, ସେମାନେ ଏବେ ଘୋର୍ ଲୁହାପଥର ସଂକଟ ଦେଇ ଗତି କରୁଛନ୍ତି। ବିରୋଧ ସତ୍ତ୍ୱେ ରାଜ୍ୟ ବାହାରକୁ ୬୦ ପ୍ରତିଶତ ଖଣିଜ ଚାଲିଯାଉଛି।  ରାଜ୍ୟ ଇସ୍ପାତ ଶିଳ୍ପ ଲାଗି ଅତିକମ୍‌ରେ ୫୦ ପ୍ରତିଶତ ଲୁହାପଥର ସଂରକ୍ଷିତ ରଖି ସରକାର ସେମାନଙ୍କୁ ଉଦ୍ଧାର କରନ୍ତୁ ବୋଲି ନିବେଦନ କରିଛନ୍ତି ଦୁଇ ସଂଘ । ଏହା ଉପରେ ଅନୁଧ୍ୟାନ କରିବେ ବୋଲି ବିଭାଗୀୟ ମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିବା ବେଳେ କାହିଁକି ଓ କିଭଳି ସ୍ଥିତିରେ ଶିଳ୍ପ ସଂଘ ଏଭଳି ନିଆରା ଢଙ୍ଗରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କଲା ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।

ଦାବି ଉପସ୍ଥାପନର ନିଆରା ତରିକା । ମୁଖ୍ୟମନ୍ତ୍ରୀଙ୍କ ଫଟୋ ଦେଇ ବିଭିନ୍ନ ଖବରକାଗଜରେ ବିଜ୍ଞାପନ ଜରିଆରେ ଅପିଲ କରିଛନ୍ତି ରାଜ୍ୟର ଦୁଇ ପ୍ରମୁଖ ଶିଳ୍ପସଂଘ- ଉତ୍କଳ ଚାମ୍ବର ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି ଏବଂ ଓଡ଼ିଶା ସ୍ପଞ୍ଜ ଆଇରନ୍ ମାନୁଫାକ୍ଚର୍ସ ଆସୋସିଏସନ୍ । ଉଭୟ ସଂଘ ନିବେଦନ କରିଛନ୍ତି, ପ୍ରି-ଏମ୍ପସନ୍ ସ୍କିମ୍ ଅଧୀନରେ ରାଜ୍ୟରେ ଥିବା ଇସ୍ପାତ ଶିଳ୍ପ ଲାଗି ଅତିକମରେ  ୫୦% ଲୁହାପଥର ସଂରକ୍ଷିତ ରଖି ମୁଖ୍ୟମନ୍ତ୍ରୀ ଇସ୍ପାତ କ୍ଷେତ୍ରର MSMEଙ୍କୁ ବଞ୍ଚାନ୍ତୁ । ଏହା ହେଲେ ଲକ୍ଷ ଲକ୍ଷ ଲୋକଙ୍କର ଜୀବନ ଜୀବିକା ବି ବଞ୍ଚିଯିବ । ଶିଳ୍ପସଂଘ ଦ୍ୱୟର କହିବା କଥା, ରାଜ୍ୟର ଏମ୍ଏସ୍ଏମ୍ଇ ଇସ୍ପାତ କ୍ଷେତ୍ର ଏବେ ଘୋର ଲୁହାପଥର ସଙ୍କଟ ଦେଇ ଗତି କରୁଛନ୍ତି।  ସ୍ଥାନୀୟ ଶିଳ୍ପସଂସ୍ଥା ଗୁଡ଼ିକର ବିରୋଧ ସତ୍ତ୍ୱେ ୬୦% ଲୁହାପଥର ରାଜ୍ୟ ବାହାରକୁ ପଠାଇ ଦିଆଯାଉଛି । ରାଜ୍ୟରେ ଲୁହାପଥର ଦର ଆକାଶଛୁଆଁ।  ଆଉ ଏହାର ଫାଇଦା ଉଠାଉଛନ୍ତି ମର୍ଚ୍ଚାଣ୍ଟ ମାଇନ୍ସ ଓନର । ଲୁହାପଥର ଅଭାବରୁ ବହୁ ସ୍ପଞ୍ଜ ଆଇରନ୍ ୟୁନିଟ୍ ବନ୍ଦ ହୋଇଯାଇଛି । ଅନେକ ଲୋକ ନିଯୁକ୍ତି ହରାଇଛନ୍ତି ।  ଏମିତି ସ୍ଥିତିରେ ପ୍ରି-ଏମ୍ପସନ୍ ନୀତି ହିଁ ଶିଳ୍ପଜଗତକୁ ରକ୍ଷା କରିପାରିବ।  ରାଜ୍ୟରେ ନିଯୁକ୍ତି ସୃଷ୍ଟି କରିବା ସହ ରାଜକୋଷକୁ ସମୃଦ୍ଧ କରିପାରିବ ବୋଲି ଦୁଇ ସଂଘ କହିଛନ୍ତି।

ରାଜ୍ୟର ଶିଳ୍ପଜଗତକୁ କଞ୍ଚାମାଲ ସୁନିଶ୍ଚିତ କରିବା ଲାଗି ୨୦୧୨ରେ ଓଡ଼ିଶା ସରକାର ପ୍ରି-ଏମ୍ପସନ୍ ପଲିସି ଘୋଷଣା କରିଥିଲେ  । ୨୦୧୪ରେ ଏନେଇ ବିଜ୍ଞପ୍ତି ଜାରି ହୋଇଥିଲା । ଶିଳ୍ପସଂଘ ଫିମି ଏହାକୁ ବିରୋଧ କରି ହାଇକୋର୍ଟ ଓ ସୁପ୍ରିମକୋର୍ଟ ଯାଇଥିଲା । କିନ୍ତୁ ରାଜ୍ୟ ସରକାରଙ୍କର ନିଷ୍ପତ୍ତିକୁ କାୟମ ରଖିଥିଲେ ଅଦାଲତ । ପ୍ରି-ଏମ୍ପସନ୍ ନୀତି ଅନୁସାରେ, ରାଜ୍ୟରେ ଥିବା ଶିଳ୍ପ ପାଇଁ ୫୦% କଞ୍ଚାମାଲ ସଂରକ୍ଷିତ ରହିବା କଥା । ଇଣ୍ଡିଆନ ବ୍ୟୁରୋ ଅଫ୍ ମାଇନ୍ସ ଦ୍ୱାରା ଧାର୍ଯ୍ୟ ଦରରେ ରାଜ୍ୟ ଭିତରର ଶିଳ୍ପକୁ ଖଣିଜ ମିଳିବା କଥା।   ଏ ସମ୍ପର୍କରେ ଶିଳ୍ପ ବିଶେଷଜ୍ଞଙ୍କ ମତ ଏବେ ଅର୍ଥନୀତିର ସ୍ଥିତି ଭଲ ନୁହେଁ ।  ଯଦି ସରକାର ନିଜ ରାଜ୍ୟର ଶିଳ୍ପସଂସ୍ଥା ଓ ଏହା ଉପରେ ନିର୍ଭର କରୁଥିବା ଲୋକଙ୍କ କଥା ନ ବୁଝିବେ, ତାହେଲେ ଓଡ଼ିଶାର ଖଣିଜକୁ ଦୃଷ୍ଟିରେ ରଖି ଯେଉଁ କମ୍ପାନି ୟୁନିଟ୍ ସ୍ଥାପନ କରିଥିଲେ, ଯଦି ସେସବୁ ବନ୍ଦ ହୋଇଯିବ, ତେବେ ନୂଆ ନିବେଶକ କେଉଁଠୁ ଆସିବେ? ସେପଟେ ଖଣି ଓ ଇସ୍ପାତ ମନ୍ତ୍ରୀ କହିଛନ୍ତି, ଆଜିର ବିଜ୍ଞାପନ ତାଙ୍କ ନଜରକୁ ଆସିଛି  ଏହାର ଅନୁଧ୍ୟାନ କରିବାକୁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛି ।

ମହାମାରୀ ସମୟରେ ରାଜ୍ୟ ରାଜକୋଷକୁ ସମୃଦ୍ଧ କରିଥିଲା ଖଣି ରାଜସ୍ୱ । ହେଲେ ଖଣି ଖାଦାନ ଭରା ଓଡ଼ିଶାରେ ଆଜି ଖଣିଜ ପଦାର୍ଥ ଲାଗି ରାଜ୍ୟ ସରକାରଙ୍କ ଆଗରେ ହାତ ପାତିଛି ଶିଳ୍ପ ଜଗତ । ସରକାର ଏ ସମସ୍ୟାର ସମାଧାନ କିଭଳି କରୁଛନ୍ତି ତାହା ଦେଖିବାକୁ ବାକି ରହିଲା ।

Related story