ଗାଁକୁ ନାହିଁ ଭଲ ରାସ୍ତା; ପାଣି ଓ କାଦୁଅରେ ପଶି ଯା’ଆସ କରୁଛନ୍ତି ଲୋକେ

ବାଲୁଗାଁ (ଶକ୍ତି ପ୍ରସାଦ ମହାପାତ୍ର): ବର୍ଷା ହେଲେ ରାସ୍ତାରେ ଚାଲେ ପାଣି। ଆଉ ବିପଦସଙ୍କୁଳ ଅବସ୍ଥାରେ ପାଣିରେ ପଶି ଯିବା ଆସିବା କରନ୍ତି ପିଲାଠୁ ବୟସ୍କ। ସେହିପରି ପାଣି ଛାଡ଼ି ଯିବା ପରେ କାଦୁଅ ପଚପଚ ରାସ୍ତାରେ ଯା’ଆସ କରନ୍ତି। ଦିନେ କି ମାସେ ନୁହେଁ,  ଦୀର୍ଘ ବର୍ଷ ହେଲା ବର୍ଷା ଦିନେ ଏପରି ଭାବେ ଯାତାୟତ କରୁଛନ୍ତି ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ୍‌ ତୋରସିଂହ ପଞ୍ଚାୟତର ବାଞ୍ଛାନିଧିପୁର ଓ ମନଇଚ୍ଛାପୁର ଗାଁ ଲୋକେ। ହେଲେ ସେମାନଙ୍କ […]

road

Jyoshna Pradhan
  • Published: Thursday, 03 October 2019
  • , Updated: 03 October 2019, 01:06 PM IST

ବାଲୁଗାଁ (ଶକ୍ତି ପ୍ରସାଦ ମହାପାତ୍ର): ବର୍ଷା ହେଲେ ରାସ୍ତାରେ ଚାଲେ ପାଣି। ଆଉ ବିପଦସଙ୍କୁଳ ଅବସ୍ଥାରେ ପାଣିରେ ପଶି ଯିବା ଆସିବା କରନ୍ତି ପିଲାଠୁ ବୟସ୍କ। ସେହିପରି ପାଣି ଛାଡ଼ି ଯିବା ପରେ କାଦୁଅ ପଚପଚ ରାସ୍ତାରେ ଯା’ଆସ କରନ୍ତି। ଦିନେ କି ମାସେ ନୁହେଁ,  ଦୀର୍ଘ ବର୍ଷ ହେଲା ବର୍ଷା ଦିନେ ଏପରି ଭାବେ ଯାତାୟତ କରୁଛନ୍ତି ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ୍‌ ତୋରସିଂହ ପଞ୍ଚାୟତର ବାଞ୍ଛାନିଧିପୁର ଓ ମନଇଚ୍ଛାପୁର ଗାଁ ଲୋକେ। ହେଲେ ସେମାନଙ୍କ ଦୁଃଖ ବୁଝିବାକୁ କେହି ନାହାନ୍ତି।

ବାଣପୁର ବ୍ଲକ୍‌ ଠାରୁ ମାତ୍ର ୫ କିମି  ଦୂରରେ ଥିବା ଏହି ପଞ୍ଚାୟତର ରୁଅପଡ଼ା ଠାରୁ ବାଞ୍ଛାନିଧିପୁର  ଓ ମନଇଚ୍ଛାପୁର ଗାଁର ମୁଖ୍ୟ ରାସ୍ତା ଶୋଚନୀୟ ହୋଇପଡ଼ିଛି। ବର୍ଷା ଯୋଗୁ ଖାଲଖମାରେ ଭର୍ତ୍ତି ଏ ରାସ୍ତା ଏବେ କାଦୁଅ ପଚ୍‌ପଚ୍‌। ଏହି ଦୁଇ ଗାଁରେ ପାଖାପାଖି ହଜାରେ ଲୋକ ବସବାସ କରନ୍ତି। ହେଲେ ଉଭୟ ଗାଁକୁ ଯିବା ଆସିବା ପାଇଁ ଏହି ମାଟି କାଦୁଅ ରାସ୍ତା ହିଁ ଏକମାତ୍ର ସାହାରା। ଲୋକେ ଯେମିତି ସେମିତି କଷ୍ଟେ ମଷ୍ଟେ ଯା’ଆସ କରୁଛନ୍ତି। କିନ୍ତୁ ଖରାପ ରାସ୍ତା ଯୋଗୁ ଆମ୍ବୁଲାନ୍ସ ଆସିପାରୁନି। ଏଣୁ ଗର୍ଭବତୀ ଓ ରୋଗୀଙ୍କୁ ନେବା ଆଣିବାରେ ଲୋକେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

ଲଗାଣ ବର୍ଷା ହେଲେ ଗାଁର ରାସ୍ତା ବେହାଲ ହୋଇପଡୁଛି। କେତେବେଳେ ରାସ୍ତା ଉପରେ ଆଣ୍ଠୁଏ ପାଣି ତ’ ଆଉ କେତେବେଳେ ଅଣ୍ଟେ ପାଣି ପ୍ରବାହିତ ହୋଇଥାଏ। ଫଳରେ ବର୍ଷା ହେଲେ ଉଭୟ ଗାଁ ଏକ ପ୍ରକାର ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇଯା’ନ୍ତି। ତେଣୁ ପିଲାମାନଙ୍କ ସ୍କୁଲ୍ ଯିବା ବି ବନ୍ଦ ହୋଇଯାଏ। ଏନେଇ ଗାଁ ଲୋକେ  ବାରମ୍ୱାର ପ୍ରଶାସନ ଓ ରାଜନେତାଙ୍କୁ ଜଣାଇଥିଲେ ମଧ୍ୟ କେହି ଶୁଣୁ ନଥିବା ଗାଁ ଲୋକେ ଅଭିଯୋଗ କରିଛନ୍ତି।

କେଦାରନାଥ ସ୍ୱାଇଁ ନାମକ ଜଣେ ଗ୍ରାମବାସୀ କହିଛନ୍ତି, “ସମସ୍ତଙ୍କୁ କହି କହି ଥକିଗଲୁଣି। ତଥାପି ରାସ୍ତା ଖଣ୍ଡିଏ ହୋଇପାରିଲା ନାହିଁ। ସ୍କୁଲ୍‌ ପିଲାଙ୍କୁ ଅଣ୍ଟେ ପାଣିରେ ନେବା ଆଣିବା କରୁଛୁ। ରାସ୍ତା ସାରା ଖାଲଢ଼ିପ ହୋଇଥିବାରୁ ପିଲାମାନେ ପଡୁଛନ୍ତି। ଗାଁ ଭିତରେ କଂକ୍ରିଟ୍ ରାସ୍ତା ହେଲେ କ’ଣ ହେବ, ଗାଁର ମୁଖ୍ୟ ରାସ୍ତା ଅବସ୍ଥା ପୂରା କଦର୍ଯ୍ୟ। ଏନେଇ ଆମେ ବିଧାୟକ, ସରପଞ୍ଚ ଓ ଜିଲ୍ଲାପରିଷଦଙ୍କୁ ଜଣାଇଛୁ। କିନ୍ତୁ କିଛି ସୁଫଳ ମିଳିନି।”

ରାସ୍ତା କରା ନଗଲେ ବ୍ଲକ୍‌ ଘେରାଉ ସହ ରାଜରାସ୍ତାକୁ ଓହ୍ଲାଇବାକୁ ଗାଁ ଲୋକେ ଚେତାବନୀ ଦେଇଛନ୍ତି। ଅନ୍ୟପକ୍ଷରେ ବାଣପୁର ବିଡିଓ ଶିବାନନ୍ଦ ସ୍ୱାଇଁ କହିଛନ୍ତି, ଖୁବଶୀଘ୍ର ରାସ୍ତା ସମସ୍ୟାର ସମାଧାନ କରାଯିବ।

Related story