‘ଓଡ଼ିଶାର ସବୁ ଯୋଗ୍ୟ ଚାଷୀଙ୍କୁ ମିଳିବ ପିଏମ୍ କିଷାନ ଟଙ୍କା’
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶାର ସବୁ ଯୋଗ୍ୟ ଚାଷୀଙ୍କୁ ମିଳିବ ପିଏମ୍ କିଷାନ ଯୋଜନା ଲାଭ। ଏନେଇ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର। ଟ୍ୱିଟ୍ କରି ଏ ସମ୍ପର୍କରେ ସୂଚନା ଦେଇଛନ୍ତି କେନ୍ଦ୍ର କୃଷିମନ୍ତ୍ରୀ ଶ୍ରୀ ତୋମାର। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଚିଠି ଆଧାରରେ ତୋମାର ଏହି ଟ୍ୱିଟ୍ କରିଛନ୍ତି। ସେଥିପାଇଁ କେନ୍ଦ୍ର କୃଷିମନ୍ତ୍ରୀ ଶ୍ରୀ ତୋମାରଙ୍କୁ ଧନ୍ୟବାଦ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ।
ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାର ଲାଭ ରାଜ୍ୟର ପ୍ରତ୍ୟେକ ଯୋଗ୍ୟ ହିତାଧିକାରୀଙ୍କୁ କିପରି ମିଳିପାରିବ ସେ ନେଇ ରାଜ୍ୟ ସରକାର ଓ ବିଭାଗୀୟ ମନ୍ତ୍ରଣାଳୟ ମଧ୍ୟରେ ଏକ ବୈଠକ ଡ଼କାଯାଉ। ଏହି ପ୍ରସଙ୍ଗରେ କେନ୍ଦ୍ର କୃଷି ଶ୍ରୀ ତୋମାରଙ୍କ ବ୍ୟକ୍ତିଗତ ହସ୍ତକ୍ଷେପ କରିବାକୁ ଚିଠି ଲେଖିଥିଲେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ। ଉକ୍ତ ଚିଠିରେ ରାଜ୍ୟ ସରକାରଙ୍କୁ ଅତିରିକ୍ତ ବଲ୍କ ୱିଣ୍ଡୋ କ୍ଲିୟରାନ୍ସ କରିବା ପାଇଁ ଅନୁମତି ଦିଆଯାଉ ବୋ କୁହାଯାଇଥିଲା। ଯାହା ଦ୍ୱାରା ହିତାଧିକାରୀଙ୍କ ସ୍ଥଗିତ ଥିବା କିସ୍ତି ଟଙ୍କାକୁ ଠିକ କରାଯାଇ ତୁରନ୍ତ ବ୍ୟାଙ୍କ ଖାତାକୁ ପଠାଯାଇପାରିବ ବୋଲି ଶ୍ରୀ ପ୍ରଧାନ ପତ୍ରରେ ଉଲ୍ଲେଖ କରିଥିଲେ।
Thank Union Min. Shri @nstomar ji for taking prompt cognisance on matters related to payment of #PMKisan instalments to all eligible farmers in Odisha on my request. Expeditiously resolving all administrative and non-compliance issues related to #PMKisan in Odisha is a priority. https://t.co/5jfbfJ4xeq
— Dharmendra Pradhan (@dpradhanbjp) March 6, 2021
କେନ୍ଦ୍ର କୃଷି ମନ୍ତ୍ରୀ ଶ୍ରୀ ତୋମାରଙ୍କୁ ଚିଠି ଲେଖି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଆହୁରି ମଧ୍ୟ ଲେଖିଥିଲେ, ପ୍ରତିଥର ପିଏମ୍ କିଷାନରେ କିସ୍ତି ଦିଆଯିବା ପୂର୍ବରୁ ରାଜ୍ୟମାନଙ୍କ ପାଇଁ କିଛି ପରିବର୍ତ୍ତନ କରିବା କାରଣରୁ ପିଏମ୍ କିଷାନ ହିତାଧିକାରୀଙ୍କ ତଥ୍ୟ ଖୋଲାଯାଏ। ଓଡ଼ିଶା ସରକାର ଚାଷୀଙ୍କ ପ୍ରକୃତ ଯାଞ୍ଚ କରିବା ପାଇଁ ପାଖାପାଖି ୧୪.୫ ଲକ୍ଷ ଚାଷୀଙ୍କ କିସ୍ତି ନଦେବା ପାଇଁ ନିଦ୍ଦେର୍ଶଜାରୀ କରିଥିଲେ। ଯାହା ଭାରତର ଅନ୍ୟ ରାଜ୍ୟମାନଙ୍କ ତୁଳନାରେ ଅସାଧାରଣ। ଏହା ଦ୍ୱାରା ଓଡ଼ିଶାରେ କେବଳ ୨୩ ଲକ୍ଷ ଚାଷୀ ପିଏମ୍ କିଷାନ ହିତାଧିକାରୀ ଲାଭ ପାଇପାରିଥିଲେ।
ଗତ ୧ ତାରିଖରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପତ୍ର ଲେଖି ଓଡ଼ିଶାରେ ପିଏମ୍ କିଷାନରେ ପଞ୍ଜିକୃତ ସମସ୍ତ ଓଡ଼ିଆ ଚାଷୀ ଯେପରି ଭାବରେ ଏହାର ଲାଭ ପାଇପାରିବେ ସେ ନେଇ ବ୍ୟକ୍ତିଗତ ହସ୍ତକ୍ଷେପ କରିବା ପାଇଁ ଅନୁରୋଧ କରିଥିଲେ। ରାଜ୍ୟ ସରକାରଙ୍କ ଅଧିକାରୀ ତଥା ପ୍ରଶାସନ ଦ୍ୱାରା ଆବଶ୍ୟକୀୟ ପ୍ରକ୍ରିୟାକୁ ଅନୁପାଳନ ନକରିବା ଯୋଗୁ ପିଏମ କିଷାନ ଯୋଜନାରେ ଅନ୍ତର୍ଭୃକ୍ତ ଓଡ଼ିଶାର ଚାଷୀ ଲାଭ ପାଇପାରୁନାହାନ୍ତି ବୋଲି କେନ୍ଦ୍ରମନ୍ତ୍ରୀ ମତପ୍ରକାଶ କରିଥିଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।