ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କେନ୍ଦ୍ର ସରକାରଙ୍କ ନୂଆ କୃଷି ନୀତି ଯୋଗୁ ଚାଷୀଙ୍କୁ ମିଳୁଥିବା ଏମ୍ଏସ୍ପି ବନ୍ଦ ହେବ ବୋଲି ଯେଉଁ ଅପପ୍ରଚାର ହେଉଛି, ତାହା ସମ୍ପୂର୍ଣ୍ଣ ମିଥ୍ୟା। ଓଡ଼ିଶା ଓ ଭାରତରେ ଏମ୍ଏସ୍ପି ବ୍ୟବସ୍ଥା ପୂର୍ବଭଳି ଅପରିବର୍ତ୍ତିତ ରହିବ। ଭୁବନେଶ୍ୱରରେ ଆୟୋଜିତ ଗଣମାଧ୍ୟମ ସମ୍ମିଳନୀରେ ଏହା କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।
ଶ୍ରୀ ପ୍ରଧାନ କହିଛନ୍ତି-“କେନ୍ଦ୍ର ସରକାର ଆଣିଥିବା ୩ କୃଷି ବିଲ୍କୁ ସଂସଦରେ ଗୃହୀତ ହେବା ପରେ ରାଷ୍ଟ୍ରପତିଙ୍କ ଅନୁମୋଦନ ପରେ ଆଇନ୍ରେ ପରିଣତ ହୋଇଛି। ତେବେ ଏହି ବିଲ୍ ଦ୍ୱାରା ଏମ୍ଏସ୍ପି ବନ୍ଦ ହେବନାହିଁ। ଓଡ଼ିଶା ଓ ଭାରତରେ ଏମ୍ଏସ୍ପି ବ୍ୟବସ୍ଥା ପୂର୍ବଭଳି ଅପରିବର୍ତ୍ତିତ ରହିବ।”
ସେ କହିଛନ୍ତି-“ରାଜ୍ୟର ଚାଷୀମାନଙ୍କ ପାଖରୁ କେନ୍ଦ୍ର ସରକାର ୨୦୦୯ରୁ ୨୦୧୪ ଆର୍ଥିକ ବର୍ଷରେ ୧୪.୨୬ ମିଲିୟନ୍ ଟନ୍ ଧାନ କିଣିଛନ୍ତି। ୨୦୧୩-୧୪ ଆର୍ଥିକ ବର୍ଷରେ ଧାନର ଏମ୍ଏସ୍ପି କ୍ୱିଣ୍ଟାଲ୍ ପ୍ରତି ୧୩୧୦ ଟଙ୍କା ଥିଲା। ମାତ୍ର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ୨୦୧୪ରୁ ୨୦୨୦ ଆର୍ଥିକ ବର୍ଷରେ ୨୨.୮୬ ମିଲିୟନ୍ ମେଟ୍ରିକ୍ ଟନର ଧାନ କିଣିଛନ୍ତି। ୨୦୨୦-୨୧ରେ ଧାନର ଏମ୍ଏସ୍ପି କ୍ୱିଣ୍ଟାଲ ପ୍ରତି ୧୮୬୮ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ସେହିପରି ୨୦୧୪-୨୧ ଅଗଷ୍ଟ ସୁଦ୍ଧା ୨୦୨୭୨.୩୩ ଟନ୍ ଡାଲି କିଣାଯାଇଛି। ଏହାର ଏମ୍ଏସ୍ପି କ୍ୱିଣ୍ଟାଲ ପ୍ରତି ୬୨୭୧.୧୧ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ୨୦୧୪-୨୧ ଅଗଷ୍ଟ ସୁଦ୍ଧା ଓଡ଼ିଶା ଚାଷୀଙ୍କଠାରୁ ୧୨,୯୫୭.୬୩ ଟନ ତୈଳଜାତ ସାମଗ୍ରୀ ଭାରତ ସରକାର କିଣିଛନ୍ତି ଓ ଏହାର ଏମ୍ଏସ୍ପି କ୍ୱିଟାଲ ପ୍ରତି ୪୩୫୧.୮୮ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି।”
ଶ୍ରୀ ପ୍ରଧାନ ଆହୁରି କହିଛନ୍ତି-“ରାଜ୍ୟର ଚାଷୀମାନେ ପୂର୍ବରୁ କେବଳ ଏଗ୍ରିକଲଚରାଲ୍ ପ୍ରଡ୍ୟୁସ ମାର୍କେଟ କମିଟି (ଏପିଏମସି) ଅଧିନିୟମ ଅନୁଯାୟୀ ଲାଇସେନ୍ସପ୍ରାପ୍ତ ବ୍ୟବସାୟୀଙ୍କୁ ସେମାନଙ୍କ ଉତ୍ପାଦିତ ସାମଗ୍ରୀକୁ ବିକ୍ରି କରିବାକୁ ବାଧ୍ୟ ହୋଇଥିଲେ। ଏହି ଆଇନ୍ ବଳରେ ଚାଷୀମାନେ ଏପିଏମ୍ସି ସହିତ ଏହାର ବାହାରେ ମଧ୍ୟ ମୁକ୍ତ ବଜାରରେ ନିଜର ସାମଗ୍ରୀକୁ ବିକି ପାରିବେ। ଅର୍ଥାତ ନୂତନ କୃଷି ନୀତି ଦ୍ୱାରା ମଣ୍ଡି ବ୍ୟବସ୍ଥା ବନ୍ଦ ହେବନାହିଁ। ମଣ୍ଡି ବାହାରେ ମଧ୍ୟ ଚାଷୀମାନେ ନିଜ ଉତ୍ପାଦିତ ସାମଗ୍ରୀକୁ ବିକି ପାରିବେ।”
ସେ ଆହୁରି କହିଛନ୍ତି-“ନୂଆ ନିୟମରେ ଚାଷୀ ଓ ବଜାର ମଧ୍ୟରେ ଏକାଧିକ ମଧ୍ୟସ୍ଥି ଓ ଦଲାଲି ବ୍ୟବସ୍ଥାକୁ ହଟାଯାଇଛି। ଚାଷୀମାନଙ୍କୁ ସିଧାସଳଖ ବଜାର ସହ ଯୋଡ଼ାଯାଇଛି। ଫଳରେ ଦେଶର ଯେକୌଣସି ବଜାରରେ ଚାଷୀମାନେ ଉତ୍ପାଦିତ ସାମଗ୍ରୀ ବିକ୍ରି କରିବାକୁ ସାମର୍ଥ୍ୟ ହେବେ। କୃଷିଜାତ ସାମଗ୍ରୀକୁ ସଂରକ୍ଷଣ କରି ରଖିବାର ବ୍ୟବସ୍ଥା ମଧ୍ୟ ବିଧେୟକରେ ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତ ସରକାର ଚାଷୀଙ୍କ କଲ୍ୟାଣ ପାଇଁ ବିହିତ ପଦକ୍ଷେପ ଗ୍ରହଣ କରିଛନ୍ତି। ଆତ୍ମନିର୍ଭର ଭାରତ ପ୍ୟାକେଜରେ ୧ ଲକ୍ଷ କୋଟିର କୃଷି ଭିତ୍ତିଭୂମି ପାଣ୍ଠି, ୧୦ ହଜାର କୃଷି ଉତ୍ପାଦ ସଂସ୍ଥା(ଏଫପିଓ) ଗଠନ ପାଇଁ ଯୋଜନା ହୋଇଛି। ଏହି ଆଇନ ଦ୍ୱାରା ଉଭୟ ଓଡ଼ିଶା ଓ ଭାରତର ଚାଷୀମାନେ ଲାଭବାନ ହେବେ। ଉତ୍ପାଦିତ ସାମଗ୍ରୀର ବର୍ଦ୍ଧିତ ସହାୟକ ମୂଲ୍ୟ ଚାଷୀମାନେ ପାଇପାରିବେ। କଣ୍ଟ୍ରାକ୍ଟ ଫାର୍ମିଂ ଦ୍ୱାରା କେବଳ ଚାଷୀର ଉତ୍ପାଦିତ ଫସଲ କିଣିହେବ।”
ସେ ଆହୁରି କହିଛନ୍ତି-“ଭାରତର ଜିଡିପିରେ କୃଷି କ୍ଷେତ୍ର ଏହି ବିଲ୍ ମହତ୍ୱପୂର୍ଣ୍ଣ ଭୂମିକା ରଖୁଛି। ତେଣୁ ଭାରତର ମୂଳ ଆଧାର କୃଷି କ୍ଷେତ୍ରରେ ଅଭୁତପୂର୍ବ ପରିବର୍ତ୍ତନ ଆଣିବା ଲକ୍ଷ୍ୟରେ ଏହି ବିଲ୍ ଅଣାଯାଇଥିଲା। ଏହି ବିଧେୟକ ଚାଷୀଙ୍କ ସ୍ୱାର୍ଥକୁ ସୁରକ୍ଷିତ ରଖିବା ସହ ସେମାନଙ୍କ ଦ୍ୱାରା ଉତ୍ପାଦିତ କୃଷିଜାତ ସାମଗ୍ରୀର ସଠିକ ମୂଲ୍ୟ ଦେବ ଏବଂ ଉପଭୋକ୍ତାଙ୍କୁ ମଧ୍ୟ ସଠିକ ମୂଲ୍ୟରେ ସାମଗ୍ରୀ ମିଳିପାରିବ। ପୂର୍ବରୁ ଚାଷୀମାନେ କେବଳ ଜୀବନଜୀବିକା ପାଇଁ ଚାଷ କରୁଥିଲେ। ମାତ୍ର ଏହି ନୂଆ କୃଷି ନୀତି ଦ୍ୱାରା ଯୁବ ଚାଷୀମାନେ କୃଷି ଉଦ୍ୟୋଗୀ ଭାବେ ନିଜକୁ ପ୍ରତିଷ୍ଠିତ କରିପାରିବେ।”
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।