ବାରିପଦା/କଟକ(ଓଡ଼ିଶା ରିପୋର୍ଟର):ସମାଜ ଆଖିରେ ସେମାନେ ଜଣେ ଜଣେ ଦିବ୍ୟାଙ୍ଗ ହେଲେ ନିଜେ, ନିଜ ପରିବାର ଓ ଅନ୍ୟମାନଙ୍କ ପାଇଁ ବିଶାଳ ଉଦାହରଣ। ଜଣେ ପିଲାଦିନୁ ଗୋଟିଏ ହାତ ହରାଇଛିତ’ ଆଉ ଜଣେ ଜନ୍ମରୁ ଦୁଇ ଗୋଡ଼ର ଦୁର୍ବଳ ଅବସ୍ଥାକୁ ନେଇ ଭିନ୍ନକ୍ଷମ । କିନ୍ତୁ ଏ ଜୀବନ ଯୁଦ୍ଧରେ ଏମାନେ ଜଣେ ଜଣେ ବିଜୟୀ ଯୋଦ୍ଧା। ବାରିପଦା ଓ କଟକରୁ ଦୁଇ ଭିନ୍ନକ୍ଷମଙ୍କ କାହାଣୀକୁ ନେଇ ପଢ଼ନ୍ତୁ ଏହି ରିପୋର୍ଟ। କୋପି ରଞ୍ଜନ ମାହାନା । ବାରିପଦା ମେଡିକାଲ ରୋଡରେ ଛୋଟିଆ ପାନ ଦୋକାନଟିଏ କରି ପେଟପାଟଣା ଚାଳାଉଛନ୍ତି କୋପି। କୋପିଙ୍କ ପାନ ଭଙ୍ଗା ତରିକା ଦେଖିଲେ ଯେ କେହି ବି ଆଖି ଫେରାଇ ନେବା ମୁସ୍କିଲ।
ତାଙ୍କ ନିଆରା ଷ୍ଟାଇଲ, ଅମାୟିକ ବ୍ୟବହାର ଆଉ ସ୍ୱାଭିମାନୀ ପଣ ପାଇଁ ସେ ସ୍ଥାନୀୟ ଅଞ୍ଚଳରେ ବେଶ୍ ପରିଚିତ। ଘରେ ପତ୍ନୀଙ୍କ ସହ ଦୁଇ କଲେଜ ପଢୁଆ ପିଲାଙ୍କ ଦାୟିତ୍ୱ । ହେଲେ ଏମିତି ସ୍ଥିତିରେ ବି ନିଜ ଦାୟିତ୍ୱବୋଧରୁ କେବେ ଦୂରେଇ ନାହାନ୍ତି କୋପି। ଶାରିରୀକ ଅକ୍ଷମତା ପାଇଁ ସେ କେବେ ବି ଅନୁଶୋଚନା କି ଭାଗ୍ୟକୁ ନିନ୍ଦି ନାହାନ୍ତି। ବରଂ ପ୍ରତିକୂଳ ପରିସ୍ଥିତିରେ କାହାରି ଦାନ କି ଦୟା ବିନା କିଭଳି ଜୀବନକୁ ଜିଣି ହେବ ତାର ସରଳ ସୂତ୍ର ପାଇଛନ୍ତି କୋପି ରଞ୍ଜନ।
ସେହିପରି ଜନ୍ମରୁ ଯନ୍ତ୍ରଣାସିକ୍ତ ଜୀବନକୁ ଚିହ୍ନି ସାରିଥିବା ଆଉ ଜଣେ ଦିବ୍ୟାଙ୍ଗ ହେଉଚନ୍ତି ତ୍ରିନାଥ ସାହୁ। ଦୁଇଟି ଯାକ ଗୋଡ଼ ଅଚଳ ସତ୍ତ୍ୱେ କେବେ ଥକି ନାହାନ୍ତି ସେ । କଟକ ବଢେଇସାହିରେ ରହୁଥିବା ତ୍ରିନାଥ ୧୫ ପ୍ରାଣୀ କୁଟୁମ୍ବ ଚଳାନ୍ତି। ବୃତ୍ତିରେ ସେ ଜଣେ ଅଟୋ ଚାଳକ। ଆଜିକୁ ଦୀର୍ଘ ୧୭ ବର୍ଷ ହେବ ପରିବାର ପ୍ରତିପୋଷଣ ପାଇଁ ଆଉ କାହା ଉପରେ ନିର୍ଭର କରି ନାହାନ୍ତି ବରଂ କେତେଜଣ ବନ୍ଧୁ ଓ ଶୁଭେଚ୍ଛୁଙ୍କ ପରାମର୍ଶରେ ଅଟୋଟିଏ କରି ସେଇ ରୋଜଗାରରେ କଷ୍ଟେମଷ୍ଟେ ଚଳାଇଛନ୍ତି ସାଂସାର ଗାଡ଼ି । ତେବେ ବିଡ଼ମ୍ବନା ହେଉଛି ତ୍ରିନାଥଙ୍କ ଯୌଥ ପରିବାରରେ ୧୫ ସଦସ୍ୟଙ୍କ ମଧ୍ୟରୁ ଅନ୍ୟ ୬ ଜଣ ବି ତାଙ୍କ ଭଳି ଦିବ୍ୟାଙ୍ଗ ହେଲେ । ଦୁଃଖର ଏ ବିରାଟ ପାହାଡ଼ ଦେଖି ସେ କେବେ ପଛଘୁଞ୍ଚା ଦେଇ ନାହାନ୍ତି। ବରଂ ସବୁ କୋହ ଓ ଯନ୍ତ୍ରଣାକୁ ନିଜ ଭିତରେ ଚାପି ଭାଇଚାରାର ସହରରେ ଜଣେ ଭଲ ଅଟୋ ଚାଳକର ପରିଚୟ ପାଇଛନ୍ତି ସେ।
ଜୀବନର ଆରମ୍ଭରୁ ନିଜ ଅକର୍ମଣ୍ୟତାକୁ କେବେ ବୋଝ ନଭାବି ଅନ୍ୟ ସାଧାରଣ ବ୍ୟକ୍ତିଙ୍କ ଭଳି ସ୍ୱଚ୍ଛନ୍ଦରେ ଜୀବନ ଜିଇଁବାର କଳାରେ ସିଦ୍ଧହସ୍ତ ଏ ଦୁହେଁ ଅନେକଙ୍କ ପାଇଁ ଉଦାହରଣ ନିଶ୍ଚୟ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।