ଦୃଷ୍ଟି ଶକ୍ତି ଛଡ଼େଇ ନେଲା ଦୈବ, ଦୁହେଁ ଦୁହିଁଙ୍କୁ କେମିତି ଦେଖିଲେ...

ଚୌଦ୍ୱାର:(ଓଡ଼ିଶା ରିପୋର୍ଟର): ଦୃଷ୍ଟି ଶକ୍ତି ସିନା ନାହିଁ । ତଥାପି ସେମାନେ ବି ସ୍ୱପ୍ନ ଦେଖନ୍ତି। ସାଥୀ ହୋଇ ଘର କରିବେ, ସଂସାର ଗଢିବେ। ଦୁନିଆକୁ ସିନା ସେମାନେ ଦେଖି ପାରୁ ନାହାନ୍ତି କିନ୍ତୁ ସ୍ୱପ୍ନକୁ ଅନୁଭବ କରିପାରୁଛନ୍ତି। ମନର ଆବେଗକୁ ବୁଝି ପାରୁଛନ୍ତି। ଘରଟିଏ କରିବା ପାଇଁ ଆଉ କ’ଣ ବା ଲୋଡ଼ା ? ବୋଧହୁଏ ସେଥିପାଇଁ ଭଗବାନ ତାଙ୍କର ସେଇ ସ୍ୱପ୍ନ ଆଜି ପୂରଣ କରିଛନ୍ତି। ଦୃଷ୍ଟିବାଧିତ ଗୋପାଳ ସ୍ୱାଇଁ ଏବଂ ପଙ୍କଜିନି ସାତ […]

blind-1

Tapas Behera
  • Published: Wednesday, 19 February 2020
  • , Updated: 19 February 2020, 05:00 PM IST

ଚୌଦ୍ୱାର:(ଓଡ଼ିଶା ରିପୋର୍ଟର): ଦୃଷ୍ଟି ଶକ୍ତି ସିନା ନାହିଁ । ତଥାପି ସେମାନେ ବି ସ୍ୱପ୍ନ ଦେଖନ୍ତି। ସାଥୀ ହୋଇ ଘର କରିବେ, ସଂସାର ଗଢିବେ। ଦୁନିଆକୁ ସିନା ସେମାନେ ଦେଖି ପାରୁ ନାହାନ୍ତି କିନ୍ତୁ ସ୍ୱପ୍ନକୁ ଅନୁଭବ କରିପାରୁଛନ୍ତି। ମନର ଆବେଗକୁ ବୁଝି ପାରୁଛନ୍ତି। ଘରଟିଏ କରିବା ପାଇଁ ଆଉ କ’ଣ ବା ଲୋଡ଼ା ? ବୋଧହୁଏ ସେଥିପାଇଁ ଭଗବାନ ତାଙ୍କର ସେଇ ସ୍ୱପ୍ନ ଆଜି ପୂରଣ କରିଛନ୍ତି। ଦୃଷ୍ଟିବାଧିତ ଗୋପାଳ ସ୍ୱାଇଁ ଏବଂ ପଙ୍କଜିନି ସାତ ଜନ୍ମର ସାଥୀ ହୋଇଛନ୍ତି।  ହାତରେ ହାତ ରଖି ଏକାଠି ଚାଲିବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି।

‘ମହାପ୍ରଭୁ…କାହିଁକି କରୁଣା ଉଣା…’ଗୋପାଳଙ୍କ ଦରଦୀ କଣ୍ଠର ଏଇ ଗୀତ ଛୁଇଁଥିଲା ପଙ୍କଜୀନିଙ୍କ ମନକୁ। ଗୀତ ଶୁଣି ବିଭୋର ହୋଇ ଯାଇଥିଲେ ସେ। ଗୋପାଳଙ୍କୁ ଦେଖି ପାରୁ ନ ଥିଲେ ମଧ୍ୟ ତାଙ୍କ ଦୁଃଖକୁ ଅନୁଭବ କରି ପାରୁଥିଲେ। ୨୦୧୨ରେ ପରସ୍ପରକୁ ଭେଟିଥିଲେ। ଏହା ଭିତରେ ବିତି ଯାଇଛି ୭ ବର୍ଷ। ଦୁହେଁ ଦୁହିଁଙ୍କୁ ଭଲ ଭାବେ ବୁଝି ପାରିଛନ୍ତି। ଗୋପାଳଙ୍କ ପାଖରେ ଥିବା ସଙ୍ଗୀତ ପ୍ରତିଭାକୁ ସମ୍ମାନ ଦେଇଛନ୍ତି ପଙ୍କଜୀନି। ତାଙ୍କ ତବଲା ଓ ସଙ୍ଗୀତ ସୁରରେ ବନ୍ଧା ପଡିଯାଇଛି ତାଙ୍କର ମନ। ପଙ୍କଜିନୀଙ୍କ ସ୍ୱରର ପ୍ରେମ ଡୋରୀ ମଧ୍ୟ କିଣି ନେଇଛି ଗୋପାଳଙ୍କ ମନ। ତେଣୁ ଦୁହେଁ ଦୁହିଁଙ୍କୁ ଜୀବନ ସାଥୀ କରିନେଇଛନ୍ତି।

ଗୋପାଳଙ୍କ ଘର କଟକ ଚୌଦ୍ୱାର କୟଳପଡା ଢିହସାହିରେ। ସେହିପରି ଭୁବନେଶ୍ୱରର ହଂସପାଳ ଅଞ୍ଚଳର ପଙ୍କଜିନୀ । ଦୁହେଁ ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ଗୋଷାଣୀ-ନୂଆଗାଁ ସ୍ଥିତ ଶ୍ରୀ ଜଗନ୍ନାଥ ଦିବ୍ୟାଙ୍ଗ ଭଜନ ସମାରୋହ ଅନୁଷ୍ଠାନର ସଦସ୍ୟ। ସାତ ବର୍ଷର ପ୍ରେମ ସମ୍ପର୍କ ପରେ ଜନ୍ମ ଜନ୍ମର ସାଥୀ ବନିଛନ୍ତି। ଏଥିପାଇଁ ଉଭୟ ପରିବାର ବି ଖୁସି। ହିନ୍ଦୁ ରୀତିନୀତି ଅନୁଯାୟୀ ଢିହସାହି ବାଲୁଙ୍କେଶ୍ୱର ଶିବ ମନ୍ଦିରରେ ଉଭୟଙ୍କ ହସ୍ତଗଣ୍ଠି ପଡ଼ିଛି। ଏହି ବାହାଘରର ସମସ୍ତ ଖର୍ଚ୍ଚ ବହନ କରିଛି ଶ୍ରୀ ଜଗନ୍ନାଥ ଦିବ୍ୟାଙ୍ଗ ଭଜନ ସମାରୋହ ଅନୁଷ୍ଠାନ।

ଦୁହେଁ ଦୁହିଁଙ୍କ ପାଇ ବହୁତ ଖୁସି। ଦିନେ ଭଗବାନଙ୍କ ଉପରେ ଅଭିମାନ କରି ଗୋପାଳକହୁଥିଲେ …ମୁଁ କେଉଁ ଭକ୍ତରେ ଗଣା ଯେ ତୋ କରୁଣାର ସିନ୍ଧୁ ମୋ ପାଇଁ ଉଛୁଳି ପଡ଼ି। ? ହେଲେ ଆଜି ସେଇ ଭଗବାନଙ୍କ ପ୍ରତି ଝରି ପଡ଼ୁଛି କୃତଜ୍ଞତା। ‘ଭଗବାନ କରୁଣା ମୋ ଉପରେ ଥିବାରୁ ମୁଁ ଆଜି ଜୀବନସାଥୀ ପାଇଛି’ ବୋଲି କହିଛନ୍ତି ଗୋପାଳ। ଅନ୍ୟପକ୍ଷେ ପଙ୍କଜୀନିଙ୍କର ମଧ୍ୟ ଅଗାଢ ବିଶ୍ୱାସ, ଗୋପାଳ ତାଙ୍କୁ ବହୁତ ଖୁସି ଦେବେ।  ଦୁହିଁଙ୍କର ଏହି ନିଃସ୍ୱାର୍ଥପର ପ୍ରେମକୁ ଦେଖି ଦେଖଣାହାରୀ ବି ଖୁସି। ଅଜାଡି ଦେଇଛନ୍ତି ଆଶୀର୍ବାଦ।

କୁହାଯାଏ ପ୍ରେମ ହେଉଛି ପବିତ୍ର ଓ ଶାଶ୍ୱତ। ଆଉ ମନ ଯେବେ ମନକଥାକୁ ଦେଖିପାରେ, ପଢ଼ିପାରେ ଆଉ ବୁଝିପାରେ ସେଠି ପ୍ରେମକୁ ଦେଖିବା ପାଇଁ ଆଖି ନୁହେଁ ବରଂ ନିର୍ମଳ ହୃଦୟଟେ ଲୋଡ଼ା ତାହା ଗୋପାଳ ଓ ପଙ୍କଜିନୀ ପ୍ରମାଣ କରିଛନ୍ତି।

Related story