ବିରୋଧ ସତ୍ତ୍ୱେ ଆସନ୍ତାକାଲି ପାରିତ ହୋଇପାରେ ବିଶ୍ୱବିଦ୍ୟାଳୟ ବିଲ୍ !

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ସଂକ୍ରମଣ ଆଶଙ୍କା ମଧ୍ୟରେ ଆଜିଠୁ ଆରମ୍ଭ ହୋଇଥିବା ବିଧାନସଭାର ମୌସୁମୀ ଅଧିବେଶନରେ ଓଡ଼ିଶା ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲକୁ ବିଧାନସଭାରେ ଗୃହୀତ କରିବାକୁ ରାଜ୍ୟ ସରକାର ପଦକ୍ଷେପ ନେଇଛନ୍ତି। ଆଜି ଏହି ବିଲର କପିକୁ ଚିରିବା ସହ ଏହାକୁ କଳା ବିଲ୍ କହି କଂଗ୍ରେସ ବିରୋଧ କରିଥିବାବେଳେ ବିଜେପି ମଧ୍ୟ ଶାଣିତ ସ୍ୱରରେ ନିଜର ବିରୋଧ ଜାରି ରଖିଛି। ଏହାସତ୍ତ୍ୱେ ରାଜ୍ୟ ସରକାର ଆସନ୍ତାକାଲି ଏହି ବିଲକୁ ବିଧାନସଭାରେ ଗୃହୀତ କରିବା ନେଇ ରଣନୀତି […]

arun-sahoo

arun-sahoo

Manoranjan Sial
  • Published: Tuesday, 29 September 2020
  • Updated: 29 September 2020, 10:34 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ସଂକ୍ରମଣ ଆଶଙ୍କା ମଧ୍ୟରେ ଆଜିଠୁ ଆରମ୍ଭ ହୋଇଥିବା ବିଧାନସଭାର ମୌସୁମୀ ଅଧିବେଶନରେ ଓଡ଼ିଶା ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲକୁ ବିଧାନସଭାରେ ଗୃହୀତ କରିବାକୁ ରାଜ୍ୟ ସରକାର ପଦକ୍ଷେପ ନେଇଛନ୍ତି। ଆଜି ଏହି ବିଲର କପିକୁ ଚିରିବା ସହ ଏହାକୁ କଳା ବିଲ୍ କହି କଂଗ୍ରେସ ବିରୋଧ କରିଥିବାବେଳେ ବିଜେପି ମଧ୍ୟ ଶାଣିତ ସ୍ୱରରେ ନିଜର ବିରୋଧ ଜାରି ରଖିଛି। ଏହାସତ୍ତ୍ୱେ ରାଜ୍ୟ ସରକାର ଆସନ୍ତାକାଲି ଏହି ବିଲକୁ ବିଧାନସଭାରେ ଗୃହୀତ କରିବା ନେଇ ରଣନୀତି ପ୍ରସ୍ତୁତ କରିଛି। ବିଧାନସଭା ପକ୍ଷରୁ ଜାରି ଆସନ୍ତାକାଲିର କାର୍ଯ୍ୟସୂଚୀରେ ଓଡ଼ିଶା ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲକୁ ପାରିତ କରାଇବା ନିମନ୍ତେ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ପ୍ରସ୍ତାବ ରଖିବେ।

ମିଳିଥିବା ସୂଚନା ଅନୁସାରେ, କରୋନା ସଂକ୍ରମଣ ଆଶଙ୍କା ମଧ୍ୟରେ ଆଜିଠୁ ଆରମ୍ଭ ହୋଇଥିବା ୮ଦିନିଆ ମୌସୁମୀ ଅଧିବେଶନର ପ୍ରଥମ ଦିନରେ ଯେଉଁ ୭ଟି ବିଲ୍ ଗୃହରେ ଉପସ୍ଥାପିତ ହୋଇଛି ସେଥିରେ ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲ୍ ସାମିଲ ଥିଲା। ଏହି ବିଲ୍ ଉପସ୍ଥାପନ ହେବାମାତ୍ରେ ଉଭୟ କଂଗ୍ରେସ ଓ ବିଜେପି ସଦସ୍ୟମାନେ ଏହାକୁ ତୀବ୍ର ବିରୋଧ କରିବା ସହ କରୋନା ମହାମାରୀବେଳେ ତରବରିଆ ଭାବେ ସରକାର କାହିଁକି ଏଭଳି କରୁଛନ୍ତି ବୋଲି ପ୍ରଶ୍ନ କରିଛନ୍ତି। ଏପରିକି ଏହି ବିଲକୁ ସିଲେକ୍ଟ କମିଟିକୁ ପଠାଇବାକୁ ବିରୋଧୀ ଦଳ ସଦସ୍ୟମାନେ ପରାମର୍ଶ ଦେଇଛନ୍ତି।

ମାତ୍ର ବିରୋଧୀ ଦଳର ଏଭଳି ଦାବିକୁ ଅଣଦେଖା କରି ସରକାର ଆସନ୍ତାକାଲି ଏହି ବିଲକୁ ପାରିତ କରିବା ନିମନ୍ତେ ରଣନୀତି ପ୍ରସ୍ତୁତ କରିଛନ୍ତି। ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ କୁମାର ସାହୁ ଆସନ୍ତାକାଲି ବିଧାନସଭାରେ ଏହି ବିଲକୁ ବିଚାରକୁ ନେଇ ପାରିତ କରାଯାଉ ବୋଲି ପ୍ରସ୍ତାବ ରଖିବେ। ଶାସକ ଦଳର ସଂଖ୍ୟାଗରିଷ୍ଠତାକୁ ଆଧାର କରି ଏହି ବିଲକୁ ବିଧାନସଭାରେ ଗୃହୀତ କରାଇବା ନିମନ୍ତେ ସରକାର ପଦକ୍ଷେପ ନେବେ ବୋଲି ନିର୍ଭରଯୋଗ୍ୟ ସୂତ୍ରରୁ ସୂଚନା ମିଳିଛି।

ତେବେ ପ୍ରଶ୍ନ ଉଠୁଛି, ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲକୁ ଗୃହୀତ କରାଇବାକୁ ସରକାର ଏତେ ବ୍ୟଗ୍ର କାହିଁକି ହେଉଛନ୍ତି। କରୋନା ମହାମାରୀବେଳେ ଏହାର ଆବଶ୍ୟକତା କ’ଣ ରହିଛି? ବିରୋଧୀ ଦଳଗୁଡ଼ିକର ଦାବି ଓ ଅଭିଯୋଗ ତଥା ଦେଶବିଦେଶର ପ୍ରତିଷ୍ଠିତ ଶିକ୍ଷାବିତମାନଙ୍କର ପ୍ରସ୍ତାବକୁ ଅଣଦେଖା କରି ସରକାର କାହିଁକି ଜିଦରେ ଅଟଳ ରହି ଏହି ବିଲକୁ ଗୃହୀତ କରିବାକୁ ଚାହୁଁଛନ୍ତି ।
ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରୀ ସାହୁ ଏହି ବିଲ ବିଶ୍ୱବିଦ୍ୟାଳୟର ସ୍ୱାୟତ୍ତତାକୁ କ୍ଷୂଣ୍ଣ କରିବ ନାହିଁ ବୋଲି କହୁଥିଲେ ମଧ୍ୟ ବିଶ୍ୱବିଦ୍ୟାଳୟର ପରିଚାଳନାରେ ରାଜ୍ୟ ସରକାରଙ୍କ ସିଧାସଳଖ ହସ୍ତକ୍ଷେପ ରହିବାର ପ୍ରାବଧାନ ଉକ୍ତ ବିଲରେ ଥିବା ଶିକ୍ଷାବିତମାନେ ମତ ବ୍ୟକ୍ତ କରିଛନ୍ତି।

ବିଲରେ ଥିବା ପ୍ରାବଧାନ ଅନୁସାରେ କୁଳପତିମାନଙ୍କର କାର୍ଯ୍ୟକାଳ ଅବଧିକୁ ୪ବର୍ଷ ଓ ଅବସର ବୟସସୀମା ୬୭ବର୍ଷକୁ ବୃଦ୍ଧି କରାଯାଇଛି। କୁଳପତିଙ୍କ ଚୟନ କମିଟିର ପୁନଃଗଠନ କରି ସେହି କମିଟିରେ ସିଣ୍ଡିକେଟର ଏକ ମନୋନୀତ ସଭ୍ୟଙ୍କ ବଦଳରେ ରାଜ୍ୟ ସରକାରଙ୍କ ଜଣେ ପ୍ରତିନିଧି(ଶିକ୍ଷାବିତ)ଙ୍କୁ ସାମିଲ କରାଯିବ। ଏଭଳି କରି ବିଶ୍ୱବିଦ୍ୟାଳୟଗୁଡ଼ିକରେ କୁଳପତି ନିଯୁକ୍ତିରେ ସରକାର ନିଜର ନିୟନ୍ତ୍ରଣ ରଖିବାକୁ ଚାହିଁଛନ୍ତି। ବିଶ୍ୱବିଦ୍ୟାଳୟଠୁ ଶିକ୍ଷକ ଓ ଅଣଶିକ୍ଷକଙ୍କ ନିଯୁକ୍ତି କ୍ଷମତା କାଢ଼ି ନିଆଯାଇ ଓଡ଼ିଶା ଲୋକସେବା ଆୟୋଗ ଓ ଓଡ଼ିଶା ଷ୍ଟାଫ ସିଲେକ୍ସନ୍ କମିଶନଙ୍କୁ ନ୍ୟସ୍ତ ହୋଇଛି। ରେଭେନ୍ସା ବିଶ୍ୱବିଦ୍ୟାଳୟ ଅଧିନିୟମ-୨୦୦୫କୁ ଉଚ୍ଛେଦ କରାଯାଇ ତାକୁ ଓଡ଼ିଶା ବିଶ୍ୱବିଦ୍ୟାଳୟ ଅଧିନିୟମ-୧୯୮୯ ଅଧୀନକୁ ଅଣାଯିବ। ରାଜ୍ୟର ସମସ୍ତ ବିଶ୍ୱବିଦ୍ୟାଳୟ ଏହି ଆଇନ ଅନ୍ତର୍ଗତ ପରିଚାଳିତ ହେବ। ତା’ଛଡ଼ା ସବୁଠୁ ଗୁରୁତ୍ୱପୂର୍ଣ୍ଣ ହେଉଛି ଏଣିକି ବିଶ୍ୱବିଦ୍ୟାଳୟଗୁଡ଼ିକର ସମୀକ୍ଷା ରିପୋର୍ଟ ବିଧାନସଭାରେ ଉପସ୍ଥାପନ କରାଯିବ ନାହିଁ। ବିଶ୍ୱବିଦ୍ୟାଳୟଗୁଡ଼ିକ ନିଜର ୱେବସାଇଟରେ ଏହା ସର୍ବସାଧାରଣଙ୍କ ଅବଗତି ନିମନ୍ତେ ଉପଲବ୍ଧ କରାଇବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos