ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ବିଜେପିରେ ମିଶିବେ ଉତ୍କଳ ଭାରତ ସଭାପତି ଖାରବେଳ ସ୍ୱାଇଁ। ଆଜି ସେ ବିଧିବଦ୍ଧ ଭାବେ ଭାରତୀୟ ଜନତା ପାର୍ଟିରେ ଯୋଗ ଦେବେ। ରାଜ୍ୟ ବିଜେପି କାର୍ଯ୍ୟାଳୟରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ଖାରବେଳ ଦଳରେ ସାମିଲ ହେବେ।
ଖାରବେଳ ୧୯୯୮ରୁ ୨୦୦୯ ମଧ୍ୟରେ ବାଲେଶ୍ୱରରୁ ବିଜେପି ଟିକେଟରେ ୩ ଥର ଲୋକସଭାକୁ ନିର୍ବାଚିତ ହୋଇଥିଲେ। ୨୦୦୯ ଲୋକସଭା ନିର୍ବାଚନ ପରେ ସେ ବିଜେପିରୁ ଇସ୍ତଫା ଦେଇଥିଲେ। ଉତ୍କଳ ଭାରତ ନାଁରେ ଗଢ଼ିଥିଲେ ନୂଆ ଦଳ। ବର୍ତ୍ତମାନ ସେ ପୁଣି ଥରେ ବିଜେପିକୁ ଫେରିବାକୁ ନିଷ୍ପତ୍ତି ନେଇଛନ୍ତି। ବିଜେପି ଆସନ୍ତା ନିର୍ବାଚନରେ ଖାରବେଳଙ୍କୁ କନ୍ଧମାଳ ଲୋକସଭା ଆସନରୁ ପ୍ରାର୍ଥୀ କରାଯିବ ବୋଲି ଚର୍ଚ୍ଚା ହେଉଛି।
ଗତକାଲି ପୂର୍ବତନ ପୁଲିସ ଡିଜି ପ୍ରକାଶ ମିଶ୍ର, ଜଳେଶ୍ୱରର ପୂର୍ବତନ ବିଧାୟକ ଦେବୀ ପ୍ରସନ୍ନ ଚାନ୍ଦ ସମେତ ଶତାଧିକ ନେତା ଓ କର୍ମୀ ବିଜେପିରେ ମିଶିଥିଲେ।
ଦଳୀୟ ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ମିଶ୍ରଣ ପର୍ବରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ,ବରିଷ୍ଠ ନେତା ବିଶ୍ୱଭୂଷଣ ହରିଚନ୍ଦନ,ଡାକ୍ତର ଦାମୋଦର ରାଉତ ଓ ଅନ୍ୟମାନଙ୍କ ଉପସ୍ଥିତିରେ ଏହି ନେତା ଓ କର୍ମୀମାନେ ବିଜେପିରେ ସାମିଲ ହୋଇଥିଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।