ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗତକାଲି ରାଜ୍ୟରେ ୩ ଲକ୍ଷ ଲୋକଙ୍କୁ ଟିକାକରଣ କରାଯିବାକୁ ଲକ୍ଷ୍ୟ ରଖାଯାଇଥିବା ବେଳେ ଟିକା ପାଇଥିଲେ ମାତ୍ର ୪୯ ହଜାର । ଲକ୍ଷ୍ୟ ଧାର୍ଯ୍ୟ ଓ ପ୍ରକୃତ ସତ ମଧ୍ୟରେ ରହୁଛି ଆକାଶ ପାତାଳ ତଫାତ। ଆଜି ମଧ୍ୟ ସମାନ ଅବସ୍ଥା । ଟିକା ପହଞ୍ଚି ନ ଥିବାରୁ ଆଜି ରାଜ୍ୟର ମାତ୍ର 114 ଟି ସ୍ଥାନରେ ଟିକାକରଣ ହେଉଛି । ଏହା ଭିତରୁ 72 ଟି ସେସନ କେବଳ ଭୁବନେଶ୍ୱରରେ ହେଉଛି । ଅବଶିଷ୍ଟ ୪୨ଟି ସେସନ ରାଜ୍ୟର ଅନ୍ୟ ଜିଲ୍ଲାରେ ଚାଲୁଛି। ଟିକା ଅଭାବରୁ ୧୬ଟି ଜିଲ୍ଲାରେ ଆଜି ଟୀକାକରଣ କାର୍ଯ୍ୟ ବନ୍ଦ ରହିଛି ।
ଟିକାଦାନ ପ୍ରକ୍ରିୟାକୁ ଜୋରଦାର କରିବାକୁ ଓ ଏହି ଅଭିଯାନରେ ସାମିଲ ହେବାକୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଲୋକମାନଙ୍କୁ ଆହ୍ୱାନ ଦେଉଛନ୍ତି। ହେଲେ ଆବଶ୍ୟକ ମୁତାବକ ମିଳିପାରୁନ ଟିକା। ଟିକାର ଅଭାବ ଥିବାରୁ ଲକ୍ଷ୍ୟ ଅନୁଯାୟୀ ଟୀକାକରଣ ହୋଇପାରୁନାହିଁ ।
ରାଜ୍ୟରେ ବର୍ତ୍ତମାନ ୧୯ ହଜାର କୋଭିସିଲଡ଼ ଟୀକା ଓ ୩ଲକ୍ଷ ଉପରେ କୋଭାସ୍କିନ ଟୀକା ମହଜୁଦ ରହିଛି ବୋଲି କହିଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ।
କେନ୍ଦ୍ର ସରକାରଙ୍କୁ ଆମେ ୬ ଲକ୍ଷ ଟିକା ମାଗିଥିଲୁ। ଆଜି ୧ ଲକ୍ଷ କୋଭିସିଲିଡ଼ ଟୀକା ପହଞ୍ଚିବ ବୋଲି ମେସେଜ ଆସିବ ଯାହାକି ପର୍ଯ୍ୟାପ୍ତ ନୁହେଁ ବୋଲି କହିଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ।
ତୃତୀୟ ଲହର ପୂର୍ବରୁ ଟୀକାକରଣ ଶେଷ କରିବାକୁ ଲକ୍ଷ୍ୟ ରଖିଛୁ । ଏହାକୁ ଆଖି ଆଗରେ ରଖି ପ୍ରତିଦିନ ୩ ଲକ୍ଷ ଟିକାକରଣ କରିବାକୁ ଟାର୍ଗେଟ କରିଛୁ। ମାତ୍ର ପର୍ଯ୍ୟାପ୍ତ ଟିକା ମିଳିପାରୁ ନ ଥିବାରୁ ତାହା ବାଧାପ୍ରାପ୍ତ ହେଉଛି। ପ୍ରତିଦିନ ୩ ଲକ୍ଷ ହିସାବରେ ଟିକା ଦେଲେ ଶନିବାର, ରବିବାର ଛାଡ଼ି ଆମେ ମାସକୁ ୭୫ ଲକ୍ଷ ଟିକେ ଦେଇପାରିବୁ। ଫଳରେ ୪-୫ ମାସରେ ଟିକାକରଣ ସାରିପାରିବୁ। ହେଲେ କେନ୍ଦ୍ର ସରକାର ଆବଶ୍ୟକ ମୁତାବକ ଟିକା ପଠାଉ ନ ଥିବାରୁ ତାହା ସମ୍ଭବ ହୋଇପାରୁନି ବୋଲି କହିଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।