ଭୁବନେଶ୍ୱର: ଓଡିଶା ସରକାରୀ ଭାଷା ଆଇନ ୧୯୫୪କୁ କାର୍ଯ୍ୟକାରୀ କରିବା ନେଇ ଗଠିତ ନୀତିନିର୍ଦ୍ଧାରଣ କମିଟିର ପ୍ରଥମ ବୈଠକ ଅନୁଷ୍ଠିତ ହୋଇଯାଇଛି । ଓଡିଆ ଭାଷାକୁ କିଭଳି ରାଜ୍ୟ ଭାଷା ଭାବେ ପ୍ରଚଳନ କରାଯିବ ସେନେଇ ବୈଠକରେ ଆଲୋଚନା କରାଯାଇଥିଲା। ଏହି ଆଇନ କାହିଁକି କାର୍ଯ୍ୟକାରୀ ହୋଇପାରୁନାହିଁ ଓ କଣ କଲେ ଲାଗୁ ହୋଇପାରିବ ସେ ସମ୍ପର୍କରେ କମିଟିର ସଦସ୍ୟଙ୍କ ମତାମତ ନିଆଯାଇଥିଲା । ଏଥିପାଇଁ ଏକ ଖସଡା ପ୍ରସ୍ତୁତ କରିବା ଲାଗି ବିଶିଷ୍ଟ ଭାଷାବିତ୍ ଦେବୀପ୍ରସନ୍ନ ପଟ୍ଟନାୟକଙ୍କୁ ଦାୟିତ୍ୱ ଦିଆଯାଇଛି । ଗତକାଲି ସଚିବାଳୟରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଦେବୀପ୍ରସାଦ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ଏହି କମିଟିର ବୈଠକରେ ମନ୍ତ୍ରୀ ଅରୁଣ ସାହୁ, ଅତନୁ ସବ୍ୟସାଚୀ ନାୟକ, ବିକ୍ରମ ଆରୁଖ, ପ୍ରଣବ ପ୍ରକାଶ ଦାସଙ୍କ ସହିତ ଓଡିଶା ଭାଷା ସଂଗ୍ରାମ ସମିତିର ୭ ଜଣ ସଦସ୍ୟ ଯୋଗ ଦେଇଥିଲେ ।