ପୁରୀ(ଓଡ଼ିଶା ରିପୋର୍ଟର): ଗତବର୍ଷ ପୁଲିସ୍ ନାଁରେ ଅଭିଯୋଗ ଆଣି ଚର୍ଚ୍ଚାରେ ଥିବା ପୁରୀ ମୋବାଇଲ ଅବକାରୀ ସ୍କ୍ୱାଡ୍ ଇନ୍ସପେକ୍ଟର ସଞ୍ଜୟ କୁମାର ପଣ୍ଡା ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ୧୮ ହଜାର ଟଙ୍କା ଲାଞ୍ଚ ନେଲା ବେଳେ ଭିଜିଲାନ୍ସ ତାଙ୍କୁ ମାଡ଼ି ବସିଛି। ତାଙ୍କଠାରୁ ଲାଞ୍ଚ ଟଙ୍କା ଜବତ କରିଛି।
ଏକ ମାମଲାର କେସ୍ ଡାଏରୀ ଦାଖଲ ପାଇଁ ସଞ୍ଜୟ ଲାଞ୍ଚ ମାଗିଥିଲେ। ଏନେଇ ଭିଜିଲାନ୍ସରେ ଅଭିଯୋଗ ହୋଇଥିଲା। ଯୋଜନା ମୁତାବକ ଅଭିଯୋଗକାରୀ ଆଜି ଲାଞ୍ଚ ଟଙ୍କା ଦେଲା ବେଳେ ସାଦା ପୋଷାକରେ ଉପସ୍ଥିତ ଥିବା ଭିଜିଲାନ୍ସ ଟିମ୍ ତାଙ୍କୁ ମାଡ଼ି ବସିଥିଲା। ଆୟବହିର୍ଭୂତ ସମ୍ପତ୍ତି ଠୁଳ କରିଥିବା ସନ୍ଦେହରେ ଭିଜିଲାନ୍ସ, ସଂଜୟ ପଣ୍ଡାଙ୍କ ଦୁଇଟି ଠିକଣାରେ ଚଢ଼ଉ କରିଛି।
ଗତବର୍ଷ ଜୁନ୍ରେ ପୁଲିସ ନାଁରେ ଅଭିଯୋଗ କରି ଚର୍ଚ୍ଚାରେ ଥିଲେ ସଂଜୟ। ପୁରୀ ଜିଲ୍ଲାରେ ପୁଲିସ ଅଧିକାରୀମାନେ ନିଶା ବେପାରୀଙ୍କଠାରୁ ମାସିକିଆ ବଟି ନେଉଥିବା ସେ ଅଭିଯୋଗ କରିଥିଲେ। ସଞ୍ଜୟଙ୍କ ଏଭଳି ଅଭିଯୋଗ ଗଣମାଧ୍ୟମକୁ ଆସିବା ପରେ ସମଗ୍ର ରାଜ୍ୟରେ ଆଲୋଡ଼ନ ଖେଳାଇ ଦେଇଥିଲା। ଯାହାକୁ ନେଇ ସମାଲୋଚନାରେ ଶିକାର ହୋଇଥିଲା ପୁଲିସ୍। ପରେ କିନ୍ତୁ ନାଟକୀୟ ଭାବେ ନିଜ ବୟାନ ବଦଳାଇଥିଲେ ସଂଜୟ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।