କଟକ(ଓଡ଼ିଶା ରିପୋର୍ଟର): ଦିନେ ବିଳାଶପୂର୍ଣ୍ଣ ଜୀବନ ବିତାଉଥିଲା। ଆଜି ଭିଜିଲାନ୍ସ ହାତରେ ଧରାପଡ଼ିଯିବା ଭାୟରେ ନାଁ ବଦଳାଇ ଲୁଚିଥିଲା ତାଜାରେ। ହେଲେ ଛାଡ଼ିବା ମୁଡ୍ରେ ନଥିଲା ଭିଜିଲାନ୍ସ ଟିମ୍। ଘର ଭିତରେ ନପାଇ ତାଜା ଉପରେ ଚଢ଼ି ତାଙ୍କୁ ମାଡି ବସିଲା। ଏ ବାବୁ ଜଣକ ହେଲେ ଯାଜପୁର ତହସିଲର ପୂର୍ବତନ ନାଜିର ରଜତ ରାଉତରାୟ।
୨୦୦୯ରୁ ୨୦୧୮ ଯାଜପୁର ତହସିଲରେ ୫ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ଦୁର୍ନୀତି ହୋଇଥିଲା। ତହସିଲ ଅଞ୍ଚଳରୁ ଆଦାୟ ହେଉଥିବା ରାଜସ୍ୱ ଓ ରାଜଭାଗ ଅର୍ଥ ଜମା ନକରି ଆତ୍ମସାତ କରି ଦିଆଯାଉଥିଲା। ଏହି ୯ ବର୍ଷ ଭିତରେ ୩ ଜଣ ତହସିଲଦାରଙ୍କ ସମେତ ନାଜିର ରଜତ ରାଉତରାୟଙ୍କୁ ମିଶାଇ ପ୍ରାୟ ୨୧ରୁ ୨୨ ଜଣ ଏହି ଜାଲିଆତିରେ ସମ୍ପୃକ୍ତ ଅଛନ୍ତି। ଦୁର୍ନୀତି ଅଭିଯୋଗ ଆସିଥିବା ୩ ତହସିଲଦାର ହାଇକୋର୍ଟରୁ ବେଲରେ ଆଣିଛନ୍ତି। ତେବେ ରଜତଙ୍କୁ ମିଶାଇ ଅନ୍ୟ ସମସ୍ତେ ଫେରାର ଥିଲେ। ଏହି ମହା ଦୁର୍ନୀତର ମାଷ୍ଟର ମାଇଣ୍ଡ ଥିଲେ ରଜତ।
ଫେରାର ଥିବା ସମସ୍ତ ଅଭିଯୁକ୍ତଙ୍କୁ ଗିରଫ ପାଇଁ ଭିଜିଲାନ୍ସ ଉଦ୍ୟମ କରୁଥିଲା। ମାତ୍ର ସେମାନେ ଛଦ୍ମବେଶରେ ବୁଲୁଥିବାରୁ ଭିଜିଲାନ୍ସ ଟିମ୍ ଧରି ପାରୁନଥିଲା। ତେବେ ନାଜିର ରଜତ ରାଉତରାୟ ନିଜ ନାଁ ଅଜିତ ମହାପାତ୍ରର ପରିଚୟ ଦେଇ କଟକ ସିଡିଏ ସେକ୍ଟର-୭ ଅଞ୍ଚଳରେ ଦ୍ୱିତୀୟ ପତ୍ନୀଙ୍କ ସହ ରହୁଥିବା ବୁଧବାର ସୂଚନା ପାଇଥିଲା ଭିଜିଲାନ୍ସ। ଏହା ପରେ ଭିଜିଲାନ୍ସ ଟିମ୍ ସେହି ୩ ମହଲା ଘରେ ଚଢ଼ଉ କରିଥିଲା।
ଭିଜିଲାନ୍ସ ଟିମ୍କୁ ଦେଖି ଉଭୟ ସ୍ୱାମୀ ଓ ସ୍ତ୍ରୀ କବାଟ ବନ୍ଦ କରିଦେଇଥିଲେ। ଏହା ପରେ ରଜତ ଲିଫ୍ଟ ପାଇଁ ଲାଗିଥିବା ପାଇପ୍ରେ ଚଢ଼ି ଏକ ତାଜାରେ ଲୁଚି ଯାଇଥିଲା। ଭିଜିଲାନ୍ସ ଟିମ୍ ଘର ଭିତରେ ରଜତଙ୍କୁ ନପାଇ ଲିଫ୍ଟ ପାଇପ୍ ଯାଇଥିବା ଉପର ତାଜାରୁ ଧରିଥିଲା। ଆଜି ତାଙ୍କୁ କୋର୍ଟ ଚାଲାଣ କରାଯାଇଛି। ରଜତ ଦୁର୍ନୀତି ନେଇ ମାନିଥିବା କଟକ ଡିଭିଜନ୍ ଭିଜିଲାନ୍ସ ଏସ୍ପି ଅକ୍ଷୟ ମିଶ୍ର କହିଛନ୍ତି।