କୁବେର ଯନ୍ତ୍ରୀ! ଘରୁ ବାହାରିଲା ନଗଦ ଲକ୍ଷାଧିକ ଟଙ୍କା

ବାରିପଦା(ମାନିକ ଲାଲ ପାଣି): ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ଜଣେ କୁବେର ଯନ୍ତ୍ରୀ। ବାଲେଶ୍ୱର ଓ ମୟୂରଭଞ୍ଜ ଭିଜିଲାନ୍ସ ଟିମ୍‌ ମିଳିତ ଭାବେ ଯନ୍ତ୍ରୀଙ୍କ ଅଫିସ୍‌, ସରକାରୀ ଆବାସ, ପୈତୃକ ଘର ଓ ଶ୍ୱଶୁର ଘରେ ଚଢ଼ଉ କରିଛି। ଚଢ଼ଉ ସମୟରେ ନଗଦ ଲକ୍ଷେ ୪୦ ହଜାର ଟଙ୍କା ଓ ୨ ଲକ୍ଷ ଟଙ୍କା ସୁନା ଜବତ କରିଛି ଭିଜିଲାନ୍ସ।

ଆୟବହିର୍ଭୂତ ଠୁଳ ଅଭିଯୋଗରେ କୁଳିଅଣା ବ୍ଲକର ଆସିଷ୍ଟାଣ୍ଟ ଇଂଜିନିୟର ଧିରୟ ମାଝୀଙ୍କ ଘରେ ଆଜି ଭିଜିଲାନ୍ସ ଚଢ଼ଉ କରିଛି। ଏଥିସହିତ ତାଙ୍କ ବାରିପଦା କାଳିକାପୁର ସ୍ଥିତ ନିଜ ବାସ ଭବନ, କୋଷ୍ଠାଠାରେ ଥିବା ପୈତୃକ ଘରେ, ବଡ଼ସାହି ବ୍ଲକ ଧାନଶୁଳଠାରେ ଥିବା ଶଶୁର ଘର ଓ ତାଙ୍କ କାର୍ଯ୍ୟାଳୟରେ ଏକ ସଙ୍ଗରେ ଭିଜିଲାନ୍ସ ଚଢ଼ଉ କରିଛି। ଚଢ଼ଉ ସମୟରେ ଲକ୍ଷେରୁ ଅଧିକ ନଗଦ ଟଙ୍କା ଓ ଜବତ ହୋଇଛି। ଏହାଛଡ଼ା ବାରିପଦାରେ ଏକ ତିନି ମହଲା ଘର ଓ କୋଷ୍ଠାରେ ମାର୍କେଟ କମ୍ପ୍ଲେକ୍ସ ରହିଛି। ସେହିପରି ତାଙ୍କଠାରୁ ଅନେକ ଜମି ପଟ୍ଟା ଓ ପରିବାର ଲୋକଙ୍କ ନାଁରେ ଅନେକ ବ୍ୟାଙ୍କ ଆକାଉଣ୍ଟ ରହିଥିବା ଜଣାପଡ଼ିଛି। ବାଲେଶ୍ଵର, ମୟୂରଭଞ୍ଜ ଭିଜିଲାନ୍ସ ବିଭାଗର ଏକାଧିକ ଟିମ୍‌ ଏହି ଚଢଉରେ ସାମିଲ ହୋଇଛନ୍ତି।

ମିଳିଥିବା ସୂଚନା ଅନୁସାରେ ଭିଜିଲାନ୍ସ କୋଟିଏ ୨୫ ଲକ୍ଷ ୮୦୦୦ ଟଙ୍କାର ସମ୍ପତ୍ତି ଜବତ କରିଛି। ତାହା ଭିତରେ ଧିରୟ ମାଝୀଙ୍କର ବାରିପଦାରେ ରହିଛି ୩ ମହଲା ଘର, ଗାଁରେ ଗୋଟିଏ କୋଠା ଘର, ୭ ଲକ୍ଷ ଟଙ୍କାର ବୀମା, ନଗଦ ଲକ୍ଷେ ୪୦ ହଜାର ଟଙ୍କା, ୨ ଲକ୍ଷ ଟଙ୍କାର ଗହଣା, ଗୋଟିଏ ବାଇକ୍‌, ଗୋଟିଏ କାର୍‌ ପ୍ରମୁଖ ରହିଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।